ତୁମେ ଯେବେ ଛୁଇଁଦିଅ
ତୁମେ ଯେବେ ଛୁଇଁଦିଅ
ତୁମେ ଯେବେ ଛୁଇଁଦିଅ
ମୋ ବେନି ନୟନ ଛାୟାଧର
ଓଠ ଧାରେ ଖେଳିଯାଏ
କ୍ଷୀଣ ଏକ ଫୁଆରା ହସର ।
ମନ୍ଦ ମନ୍ଦ ସମୀରର
ଶ୍ରୁତି ମିଷ୍ଟ ମୃଦୁ ମହ୍ଲାରରେ
ଲୋଭନୀୟ ରଙ୍ଗେ ଭରା
କୁସୁମିତ ଲତିକା ଘେରରେ ।
ଜାତି ଜାତି ସୁଗନ୍ଧିତ
ମୋହଭରା ମହକରେ ଛାଇ
ସୂକ୍ଷ୍ମ ଶୁଭ୍ର ମେଘମାଳା
ଗଭାମଧ୍ୟେ ଯତନେ ସଜାଇ ।
ଦିଗ୍ ବଳୟୁ ସ୍ଵର୍ଣ୍ଣମୟ
ରାଶି ରାଶି ରେଣୁର ଚମକ
କମନୀୟ ଅବୟବୁ
ସତେକି ଝଟକେ ଝକମକ ।
ସ୍ଵର୍ଗୀୟ ଭାବରେ ବନ୍ଧା
ଜ୍ୟୋତିର୍ମୁଖେ ସଦା ସ୍ମିତ ହସ
ସାଗର ଭେଦି ଚକ୍ଷୁରେ
ମଦାଳସା ସ୍ଫୀତ ଅଭିଳାଷ ।
ସପନ ହେ... ତୁମ ସ୍ନେହେ
ଧନ୍ୟ ମୋର ହୃଦୟ ମାନସ
ନିତି ନିଶି ଦେଇଯାଅ
ଶୁଷ୍କ ହୃଦେ ପ୍ରିୟାର ପରଶ ।
ଟି. ଦୁର୍ଗା ପ୍ରସାଦ ରାଓ

