ତୁମେ ତ ଫେରିଲ ନାହିଁ
ତୁମେ ତ ଫେରିଲ ନାହିଁ
ତୁମେ ନୀଳକଇଁ ପୋଖରୀ ପଠାରେ
ଫେରିଲନି ନଈ ଧାରେ
ତୁମେ ବି କୁମୁଦ ଉଆଁସ ଅନ୍ଧାରେ
ଫେରିଲନି ଆକାଶ ବୁକୁରେ
ବରଷା ଆସୁନି ମୌସୁମୀ ଡାକରା ପାଇ
ବସନ୍ତ ଲେଖୁନି ଆମ୍ବ ପତରରେ
ପ୍ରିୟାକୁ ପତରଟେ ଦେବାପାଇଁ
ସଂଗୀତରେ ନାହିଁ ମୂର୍ଚ୍ଛନା କାହିଁ
ମନଉପବନେ ଫୁଟୁନାହିଁ ଫୁଲ କଢି
ତୁମେ କି ଫେରିବ ସମୟ ଆଉଥରେ
ଖୋଜିବାକୁ କଣ ଥାଏ ଧୂଳିଘରେ
ମାଣିକ ଆସୁନି ଦହି ବି ବିକୁନି
ଶୂନ୍ୟ ଶୁନ୍ୟ ଲାଗେ ମାଣିକ ପାଟଣା ଗାଁ
ତଲେଇ ଟାଣି ଡ଼ଙ୍ଗା ବାହୁନି ନାବିକ
ହୃଦୟେ ସୁମରି କାଲିଜାଇ ମାଆ
ହଜେଇ ଦେଇ ଖୋଜୁଛି କେ କେତେ
ଫେରିପାଇବାକୁ ତାକୁ,ସେସବୁକୁ
ଆସିବନି ଫେରି ସମୟ ସାଥିରେ ନା ବାହି
ଯାଇଛି ଯେ ସ୍ମୃତି ହୋଇ ରହିବାକୁ
ଶୁଭୁନାହିଁ ଆଉ ଶାଗଡିଆ ଗୀତ
ଶୁଣିଦେଲେ ଯାରେ ହୃଦୟ ଯାଏ ତରଳି
ଶୁଭୁନାହିଁ ଆଉ ବଇଁଶୀ ସ୍ଵନ
ଯଶୋଦା ମାଆ ଆଖିରେ ନାହିଁ ସେ ସପନ
ଦୂରେ ଯାଇଛି ସେ ଗଳାମାଳି
ଆଉ କି ଫେରିବ କହ୍ନେଇ ରୂପେ ସେ
କୃଷ୍ଣ ନାମେ ପରା ମହାଭାରତ ଶଙ୍ଖ
ବଜାଏ ସତେ ଏକ ପେଁକାଳି
ଗଲା ପୁତ୍ର ଆଉ ବାହୁଡ଼ି ଆସେନା
ସଂସାରେ ଏମିତି ଅନେକ ଯେମିତି
ଖୋଜନ୍ତି ପଦଚିହ୍ନ ଭାଳି
ଯିଏ ଅବା ଯାହା ଗଲାଣି ଯାଉ
ଅଛି ଯିଏ ପାଖେ ସାଇତିବା ତାକୁ ସେମାନଙ୍କୁ
ବନ୍ଦାଇ ଚନ୍ଦନ କର୍ପୁର ଥାଳି
ମନ ହୃଦୟରେ କଳାକାହ୍ନୁ ନାଚୁ ତାଥେଇ ତାଥେଇ
ମାଆ ମନେ ଆଶା ନହେଉ ନିରାଶା
କାଲିକି ଆସିବ ତା ସୁନାଥାଳି ଦେବାକୁ ଚନ୍ଦନ ବୋଳି ।।