ତୁମେ ମୋ ଗୋଲାପ ମୁଁ ତୁମ କଣ୍ଟା
ତୁମେ ମୋ ଗୋଲାପ ମୁଁ ତୁମ କଣ୍ଟା
ଗୋ ପ୍ରାଣପ୍ରିୟା ! ମୋ ହୃଦୟର ସ୍ପନ୍ଦନ
ତୁମ ସାଥେ ହେବ ବୋଲି ଏ ଜନ୍ମରେ ମିଳନ
ଦେଖୁଥିଲି ମୁଁ ଦିନରାତି ଅସରନ୍ତି ସପନ
ପ୍ରେମ ପୁଲକେ ପୁଲକାଇ ଯୋଗାଉଥିଲ ଇନ୍ଧନ
ଆଖି ଆଖି ମିଶାଇ ପରସ୍ପରର ରଖିଥିଲୁ ଧ୍ୟାନ
ଦୁହିଁଙ୍କର ଏକ ହୋଇଥିଲା ଆତ୍ମା ଓ ମନ
ନଥିଲା କାହାରି କିଛି ବି ତ ଅଭିଯୋଗ ଅଭିମାନ
ମନେ ପଡ଼େ ଯେବେ ସ୍ମୃତିର ସେ ବିଗତ ଦିନ
ଜିଇଁ ଉଠନ୍ତି ସବୁ ସ୍ମୃତିମାନେ ପାଇ ପ୍ରାଣ
ମୋ ଆଖି ସାମ୍ନାରେ ଆସି ତୁମେ ଦିଅ ଦର୍ଶନ
ହାତ ବଢ଼ାଇ ଛୁଉଁ ଛୁଉଁ ହୁଅ ଅନ୍ତର୍ଦ୍ଧାନ
ଗୋ ପ୍ରାଣପ୍ରିୟା ! ବିରହ ଯନ୍ତ୍ରଣାର ପ୍ରୀତି ଚନ୍ଦନ
ପାଣି ବିନା ଛଟପଟ ହୁଏ ମୋର ଏ ଜୀବନ
ଭାବେ ମୁଁ ନିଜକୁ କରି ଅସହାୟ ଅକିଞ୍ଚନ
ତୁମେ ମୋ ଗୋଲାପ ମୁଁ ତୁମ କଣ୍ଟା ପରି ନ୍ୟୁନ
ସେ ଦିନର ସେ ନିଝୁମ୍ ରାତିର ସମ୍ମୋହନ
ଏବେ ବି ସ୍ତବ୍ଧରେ ମୁଗ୍ଧ କରି ରଖେ ଏ ତନୁମନ
ଅତୀତଟା ଫେରି ଆସି ଦେଇ ଯାଏ ଚୁମ୍ବନ
ହଜିଲା ପ୍ରେମ ସତେଜ ହୋଇ ଖେଳାଏ ଶିହରଣ
ହସି ହସି ଜୋଛନା ଢାଳିଦିଏ ପୁନେଇଁ ଜହ୍ନ
ଖେଳେ ଆନନ୍ଦର ଲହରୀ ଲାଗେ ଫୁଗୁଣ ଫଗୁଣ
ତୁମେ ଗୋଲାପ ପରି ହୁଅ ପ୍ରତୀୟମାନ
ଗୋ ପ୍ରାଣପ୍ରିୟା ! ମୋ ଜୀବନ ମରୁର ମରୁଦ୍ୟାନ
ସତୃଷ୍ଣ ନୟନେ ଦେଖେ ତୁମ ରୂପ ଲାବଣ୍ୟ
ଏତେ ନିବିଡ଼ତା ଘନିଷ୍ଠତାକୁ କଲ ପ୍ରତ୍ୟାଖ୍ୟାନ
ସ୍ଵୀକାର କଲ ନାହିଁ ପ୍ରେମ ଅମର ଚିରନ୍ତନ
କହିଲ ପ୍ରେମ ଉପଭୋଗ ପାଇଁ ଏକ ଆକର୍ଷଣ
ଆଖିରୁ ହେଲ ଦୂର ଭାବିଲ ମୋତେ ତୁଚ୍ଛ ନଗଣ୍ୟ
ସଂସାର ପାଦପେ ତୁମେ ଗୋଲାପ ସୁମନ
ମୁଁ ତୁମ କଣ୍ଟା ହୋଇ ରହିଗଲି ସବୁଦିନ
ତଥାପି କାହିଁକି ତୁମକୁ ଝୁରେ ଏତେ ମୋ ମନ
ତୁମେ ଭଲରେ ସୁରକ୍ଷିତ ରୁହ କରେ ନିବେଦନ
ତୁମେ ମୋ ଗୋଲାପ ମୁଁ ତୁମ କଣ୍ଟା ସମାନ
ଗୋ ପ୍ରାଣପ୍ରିୟା ! ଦେଖୁଛି ଦେଖୁଥିବି ତୁମ ସପନ।

