ତୁମେ ମାନେ ଆସି ଅଛ ବୋଲି
ତୁମେ ମାନେ ଆସି ଅଛ ବୋଲି
ତାତି ଖରା କାଳେ ଛାଇ ଭଳି
ଶୀତଳ କରିଛ ମୋ ତନ ମନ,
ଝାଞ୍ଜି କାଳେ ଜଳୁ ଥିବା ବେଳେ
ବାହୁନି ଆଣ କି ଧୀର ପବନ ।
ଶୁଷ୍କ ଓଠେ ସତେ ଭରି ଦିଅ ତୁମେ
ମିଠା ଝରଣାର ମୃଦୁ ସ୍ପନ୍ଦନ ।।
ଝଡ଼ି ବରଷାରେ ଭିଜା ଦେହେ
ବାଜେ ସତେ ଉଷ୍ମ ନିଆଁର ଝାସ,
ଚଡ଼କରେ ଭୀତ ମନେ ମୋର
ଭରି ଦିଅ ତୁମେ ସ୍ନେହ ଆଶ୍ୱାସ ।
ରଙ୍ଗହୀନ ଏଇ ଜୀବନରେ ମୋର
ଇନ୍ଦ୍ରଧନୁ ପରି ଦିଅ ଆଭାସ ।।
ଶୀତ ସକାଳର ଖରା ଭଳି
ଆସି ଅଛ ତୁମେ ମୋ ଅଗଣାରେ,
କାକର ରେ ଜୁଡୁବୁଡୁ ଦେହ ମୋର
ହସି ଉଠେ ତୁମ ଉଷ୍ମତାରେ ।
ସଜ ଗୋଲାପର ମହକ ସତେ କି
ଭରି ଦିଅ ତୁମେ ମୋ ଜୀବନରେ ।।
ଋତୁ ବସନ୍ତର ଫଗୁ ହୋଇ
ଭରି ଦିଅ ମନେ ଅମୃତ ଛନ୍ଦ,
ଶରତର ଶତ ପର୍ବ ଭଳି
ଆଣି ଦିଅ ତୁମେ ନିତି ଆନନ୍ଦ ।
କେଉଁ ଦୂରୁ ସତେ ଭାସି ଭାସି ଆସେ
ସଞ୍ଜ ଶେଫାଳୀର ମଧୁ ସୁଗନ୍ଧ ।।
