STORYMIRROR

Panchanan Jena

Children Stories

4  

Panchanan Jena

Children Stories

ପତ୍ରଝଡ଼ା

ପତ୍ରଝଡ଼ା

1 min
346


ବଢିଲାଣି ଟାଆଁସିଆ ଖରା

ଫାଲଗୁନ ଛୁଉଁ ଛୁଉଁ ଧରା

ଜାଗର ମେଳା ସରିଲା ପରେ

ଶୀତ ମାଉସୀ ଘରକୁ ଫେରିବ ଫେରିବ

ଦାଣ୍ଡୁ ଅଗଣା ହେଉଛି ପରା

ଘରୁ ବାହାର ବାହାରୁ ଘର

ନିତି ମାରୁଛି ପଇଁତରା ।


ବେଳ ମଥାନ ଉପରେ ଚଢିଲେ

ପବନ ପାନିଆ ଚଲାଏ

ଝାଞ୍ଜ ଅପା ଘର ଝଙ୍କାଳିଆ

ନିମ୍ୱ ମହାଦ୍ରୁମ ଡାଳ ହଲାଏ

ଆଶାବାଡ଼ିର ତରଳ ବାଉଁଶ ପିଢ

ପାଚିଲା ପତ୍ର ଝଡାଏ

ପୁରା ପୁଙ୍ଗୁଳା ଲଙ୍ଗଳା ଦିଶୁଥାଏ

ଗଡ଼ିଆ ଏ ମୁଣ୍ଡରୁ ସେ ମୁଣ୍ଡ

ଆରପାରି ଠିଆ ସିଧା ଦିଶୁଥାଏ ।


ଜେଜେ ଲଗେଇ ଥିବା ଶାଗୁଆନ୍‌ ଧାଡ଼ି

ପତ୍ରଝଡ଼ା ରଙ୍ଗରେ ଗୀତ ଗାଏ

ପଇଡ଼ା ଡ଼ିହର ଲମ୍ବା ପିଜୁଳି ଗଛ

ଟାଙ୍ଗରା ବାଙ୍ଗରା ହୋଇଯାଏ 

ମଥା ଉପରେ ଥିବା ବହଳ ସବୁଜ ଛତା

ଖୋଳପା ଛାଡ଼ୁଥାଏ ।


ପର୍ଣ୍ଣମୋଚୀ ପାଦପ ବଂଶସବୁ

ପତ୍ର ଝଡାଏ 

ଗୋଟିଏ ପରେ ଗୋଟେ 

ସୁଅ ଲଗାଏ

ପଞ୍ଜରା ଧରି ମୁଣ୍ଡ କୁଣ୍ଡାଏ

ବୋଧହୁଏ ଡହଡହ ଗ୍ରୀଷ୍ମ ଆସିବ ହାଏ ।


ଅଗଣାରେ ଗର୍ଭିଣୀ ଆମ୍ବଗଛ ପୁଲକିତ

ମାତୃତ୍ୱ ଆଜି ପୁଷ୍ପିତ ପଲ୍ଲବିତ

ଅଙ୍ଗେ ଅଙ୍ଗେ ବଉଳର ବାସ

ସ୍ଫୁରିତ ଉଦର 

ଅଧରେ ମଲ୍ଲୀହସ

ନୂଆ ସଜବାଜ ସମ୍ଭାର 

କୁଆଁ କୁଆଁ ଶୁଣିବ ମଧୁମାସ ।


Rate this content
Log in