ତୁମେ ଗଲା ପରେ
ତୁମେ ଗଲା ପରେ
ମନର ଅଗଣା ଶୂନ୍ୟ ପଡ଼ିଅଛି
ହୃଦୟ ପଡିଛି ଖାଲି,
ତୁମେ ଗଲା ପରେ ପାଷାଣ ଶରୀର
ପାରୁନି ଆଗକୁ ଚାଲି |
ମୋ ମନରେ କେତେ ସ୍ୱପ୍ନ ସଜାଇଲ
ପୂରଣ କରିଲ ନାହିଁ,
ଅଧା ବାଟେ ମୋତେ ପର କରିଦେଲ
ନିଃସଙ୍ଗ ଯେ ଲାଗୁଥାଇ |
ଆଉ କା ଜୀବନେ ସଂଜୀବନୀ ଦେଲ
ଗଢ଼ିଲ ନୂଆ ସଂସାର,
ମୋ ଜୀବନ ପଥ ଶୂନ୍ୟ କରିଦେଲ
ବଞ୍ଚିବା ଲାଗେ ଅସାର |
ଏତେ କଥା ଯଦି ତୁମ ମନେ ଥିଲା
ସମ୍ପର୍କ ଗଢ଼ିଲ କାହିଁ,
ପୁରୁଣା ସ୍ମୃତିକୁ ଭୁଲି ପାରୁନାହିଁ
ଆଖି ଲୁହ ହୁଏ ନଈ |
ହୃଦୟକୁ ମୋର ଖେଳନା ଭାବିଲ
ଛଳନା ଭରିଲ ମନେ,
ବିଗତ ଦିନର ଅଭୁଲା ମୁହୂର୍ତ୍ତ
ମନେ ପଡୁନାହିଁ ଦିନେ |
କି ଲାଭ ପାଇଲ ମୋତେ ଦୁଃଖ ଦେଇ
ରହିବ ବୋଲି ସୁଖରେ,
ଶସ୍ତା ମନ ତୁମ ଚିହ୍ନି ନପାରିଲି
ଦିନ ରାତି ଝୁରି ମରେ |
ସଳିତା ଭଳି ମୁଁ ଜଳୁଥିବି ନିତି
ଯେତେ ଦିନ ଥିବ ପ୍ରାଣ,
ତୁମ ସ୍ମୃତି ଧାରେ ଚାଲୁଥିବି ବାଟ
ବଞ୍ଚିଥିବି ଯେତେ ଦିନ |

