ତୁମେ ଅଛ ବୋଲି ବାପା
ତୁମେ ଅଛ ବୋଲି ବାପା
କେତେ ଯେ ମଧୁର ସ୍ନେହ ଶରଧାର
ଝରାଇ ଅମୀୟ ଧାର
ମଧୁ ମୟୀ ହାସେ ଉପଦେଶ ଭାଷେ
କରି ଆନନ୍ଦ ମୁଖର ॥
ପ୍ରୀତି ଅନୁରାଗେ ସତତ ସରାଗେ
ଦିଅ ଶତ ଶୁଭାଶିଷ
ତୁମ ଆଲିଙ୍ଗନେ ସେନେହ ପ୍ଲାବନେ
ପ୍ରାଣ ଆମ ପୁଲକିତ ॥
ତୁମେ ଅଛ ବୋଲି ଆମେ ଶିଖୁ ଚାଲି
ପଡି ଉଠି ବାରମ୍ବାର
ଟିକି ଟିକି ହେତେ ଧରି ତୁମେ କେତେ
ଶିଖାଅ କାର୍ଯ୍ଯ ଅପାର ॥
କେତେ ଆଦର ର ଅନାବିଳ ଝର
ଝରାଇ ବାପା ଅନ୍ତରୁ
କେଡେ ମନୋରମ ଆହା କି ! ମହାନ
ସନ୍ଦେଶ ତୁମ ପାଖରୁ ॥
ପାଇ ପାରୁ ଅଛୁ ତୁମେ ଅଛ ବୋଲି
ସ୍ବଚ୍ଛ ଅଛି ଆମ ମନ
ପାଇ ପାରୁ ଅଛୁ ତୁମ ସୁଦୟାରୁ
ଯେବେ ଯାହା ପ୍ରୟୋଜନ ॥
ଆଦର୍ଶ ବତାଇ ଆହ୍ବାନ ଯୋଗାଇ
ଦେଉଛ ଆମରି ପାଇଁ
ମଜା କଥା ଗପ କାହାଣୀ ଅମାପ
ସେନେହେ ଦିଅ ଶୁଣାଇ ॥
ତୁମ ସ୍ନେହ ଶ୍ରଦ୍ଧା ବାଧା ଓ ସୁବିଧା
ସବୁ ଆମ ହିତ ଲାଗି
ତୁମର ଆଦର ତୁମର ଯତନ
ପ୍ରତି କ୍ଷଣେ ଉଠେ ଜାଗି ॥
ବାତ୍ସଲ୍ଯ ଆବେଗେ ଆହା କେତେ ରଙ୍ଗେ
ଢାଳି ନିତି ଅନୁରାଗ
ବାଲ୍ଯ ଚପଳତା ଶୈଶବ ‐ ମୂଦୁତା
ଅଭିନବ ଭାବ ‐ରଙ୍ଗ ॥
ରସ ହସ ଖେଳ ଭାଷ‐ କୌତୂହଳ
ରଚୁଛୁ ନିତି ସନ୍ତୋଷେ
ତୁମେ ଅଛ ବୋଲି ବାପା ଆମେ ଚଳି
ପାରୁଛୁ ପରମ ତୋଷେ ॥

