ତୁମ ସହ ବନ୍ଧୁ ବାନ୍ଧିବା ପରେ
ତୁମ ସହ ବନ୍ଧୁ ବାନ୍ଧିବା ପରେ
ମୁଁ ଆଉ ମୁଁ ହୋଇ ନାହିଁ
ତୁମେ ମୋ ଜୀବନେ ଆସିବା ପରେ
ମୁଁ ଆଉ ମୁଁ ହୋଇ ନାହିଁ
ତୁମେ ମୋ ହାତ ଧରିବା ପରେ ।
ମୋତେ ଗୋଡିରୁ ମୁକ୍ତା ରେ
ତିଆରି ସାରିଛ ତୁମରି ସ୍ପର୍ଶରେ
ମଧୁର ମୂର୍ଚ୍ଛନା ଭରି ଦେଇଛ
ମୋ ଚତୁଃପାର୍ଶ୍ଵ ତୁମରି ସ୍ବନରେ ।
ମୁଁ ଆଉ ମୁଁ ହୋଇ ନାହିଁ
ତୁମରି ସାଥିରେ ଭିଜିବା ପରେ
ମୁଁ ଆଉ ମୁଁ ହୋଇ ନାହିଁ
ତୁମରି ଭିତରେ ହଜିବା ପରେ ।
ତୁମେ ତ ସେଇ ଯିଏ ମୋ ଭୁଲକୁ
ତୃଟିକୁ ସଜାଡି ଦିଏ ଅଛଟକରେ
ମୋତେ ଖାଲ ଢିପରୁ କଢ଼େଇ ଆଣି
ଚାଲିବାକୁ ଦିଏ ପକ୍କା ସଡ଼କରେ ।
ମୁଁ ଆଉ ମୁଁ ହୋଇ ନାହିଁ
ତୁମ ସ୍ନେହ ଶ୍ରଦ୍ଧା ପାଇବା ପରେ
ମୁଁ ଆଉ ମୁଁ ହୋଇ ନାହିଁ
ତୁମ କଥା ସବୁ ମାନିବା ପରେ ।
ତୁମେ ତ କୁଢିଆକୁ କର୍ମଠ କରାଅ
ତୁମ ସ୍ନେହାଶିକ୍ତ କଥାରେ କଥାରେ
ତୁମେ ତ ଅବସାଦ ଦୂର କରି
ମନେ ଖୁସି ଭର ତୁମ ଦରଭିଜା ହସରେ ।
ମୁଁ ଆଉ ମୁଁ ହୋଇ ନାହିଁ
ତୁମରି ସାନ୍ନିଧ୍ୟ ପାଇବା ପରେ
ତୁମ ପରି ବନ୍ଧୁ ମୋ ପରିଧି ରେ
ପାଦ ଥାପି ଚାଲିବା ପରେ ।
ନିଜେ ତୃପ୍ତ ହୁଅ ଅନ୍ୟର ଖୁସି ରେ
ସବୁ କଷ୍ଟ ଦୁଃଖ ସହିବା ପରେ
ମୁଁ ଯଦି ବାଟୋଇ ତୁମେ ବଟ ବୃକ୍ଷ ସେଠି
ମୁଁ ଯହିଁ ଚାଲିକି ଥକ୍କିଲା ପରେ ।
ସତରେ ମୁଁ ଆଉ ମୁଁ ହୋଇ ନାହିଁ
ଅନ୍ୟକୁ ବୁଝିବା ହସି ହସାଇବା
କଳାଟି ତୁମଠୁ ଟିକିଏ ଜାଣିବା ପରେ
ତୁମ ସହ ବନ୍ଧୁ ବାନ୍ଧିବା ପରେ ।