STORYMIRROR

Dr Baman Chandra Dixit

Romance

4  

Dr Baman Chandra Dixit

Romance

ତୁମ କଥା

ତୁମ କଥା

1 min
256

ତୁମ ଓଦା ସଡ଼ ସଡ଼ ଦେହ ଦେଖି

ଦେଖ ସାଗର ଲାଜରେ ସରିଗଲା

ଅଙ୍ଗ ସଙ୍ଗ ବିନା ବେଳା ବାଲୁକାରେ

ଢେଉ ମଥା ପିଟିପିଟି ମରିଗଲା।


ଝରି ପଡୁଥିଲା ଟୋପା ଟୋପା ପାଣି

ତୁମ ପୁରିଲା ପୁରିଲା ଦେହୁଁ ଯେବେ

କଷା ବୟସ ପୀୟୂଷ ପିଆଲାରୁ

ରସ ପିଉ ପିଉ ନିଶା ଘାରିଗଲା।


ଟୋପେ ପାଣି ବି ଅଟକି ରହିଛି ଗୋ

ମୋତି ସମ ସୌମ୍ୟ ତୁମ ଓଠ ତଳେ

ଢଳି ଯିବା ଆଗୁଁ ସାଉଁଟି ନେବାକୁ

ପିଆସି ଅଧର ମୋର ଚାହୁଁଥିଲା।


କିଞ୍ଚିତ ଘୁଞ୍ଚେଇ ପିନ୍ଧା ବସନ କୁ

ହାତ ପାପୁଲି ମୁଠେଇ ଚିପୁଡିଲ

ମୁହଁ ପୋଛୁପୋଛୁ ଲାଜେଇ ଚାହିଁଲ

ଛାତି ଭିତରେ ମୋ ଛୁରୀ ଚାଲିଗଲା।


ଛାଟି ଦେଲ ଯେବେ କେଶ ଗୁଚ୍ଛକୁ ଗୋ

ଅଣୁ ଅଣୁ ଖେଳି ଗଲେ ଏଣେ ତେଣେ

ତରୁଣ ଅରୁଣ ପ୍ରୀତି-ରଙ୍କା ରହି

ଇନ୍ଦ୍ରଧନୁ ଚିତ୍ରଲେଖା ଲେଖୁଥିଲା।


ଶାଢ଼ୀ କାମୁଡ଼ି ଧରିଛ ଦାନ୍ତ ଧାରେ

ଅସଜଡ଼ା କୁଞ୍ଚ ସଜାଡୁ ସଜାଡୁ

ତୁମେ ନଇଁ ଯାଉଥିଲ ଯେତେବେଳେ

ମୋ ଛାତିରୁ କଳିଜା ଖସିଗଲା।


ତୁମେ ଯାଉ ଯାଉ ଫେରି ଚାହୁଁଥିଲ

ମନ୍ତ୍ର ମୋହିନୀ ମାୟା ମୟୁଖ ଫେଇ

ମୃଦୁ ଶିହରଣେ  ପ୍ରାଣ ପୁଲକିତ

ସମ୍ମୋହିତ ନୟନ ମୋ ଚାହିଁଥିଲା।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Romance