STORYMIRROR

Lata Behera

Abstract

4  

Lata Behera

Abstract

ତୁ

ତୁ

1 min
246


ତୁ ଅଛୁ ବୋଲି ବଞ୍ଚିଛି କାଳିଆ

   ତୋ' ପାଇଁ ଚାଲୁଛି ବାଟ

ନିରାଶା ଜୀବନେ ଭରସା ହୋଇ ତୁ

   ଲଗେଇଛୁ ଭଲ ନାଟ ।

ମାୟାଧର ତୁହି ମାୟାରେ ରଚିଲୁ

    ସୁଖର ସଂସାର ଟିଏ

ଏମିତି ଖୁସି ତୁ ଅଜାଡି ଦେଇଛୁ 

   ଲୁହରେ ନିତି ଗାଧାଏ ।

କାହାକୁ କହିବି କି ଅବା କହିବି

ତୁ ଥାଉ ଥାଉ କୁଆଡେ ବା ଯିବି

    ହୁଏ ପଛେ ଛଟପଟ ।

ତୁ ଅଛୁ ବୋଲି।

ଏତେ ସମ୍ମାନ ଦେଲୁ ତୁ କାଳିଆ 

    କହିବାକୁ ନାହିଁ ଭାଷା 

ସେନେହ ମମତା ଏମିତି ଭରିଛୁ

   ସରୁନି ବି ଲୋକହସା ।

ଜୀବନଟା ଲାଗେ ବିଷାଦ ସହର

    ହୃଦୟଟା ବିଷଜ୍ଜଳା

ଯନ୍ତ୍ରଣା ଜୁଇରେ ଜଳୁଛି ଜୀବନ

   ବଢିଆ ତୋହର ଲୀଳା ।

କିଏ ବା ବୁଝିବ ତୋର ଏଇ ଖେଳ

ବୁଡି ଯିବ ବେଳ ଆସି ଯିବ କାଳ

   ନସରେ ଦୁଃଖର ବାଟ ।

ତୁ ଅଛୁ ବୋଲି ।


ତୋତେ ଦେଖି ଦେଲେ କାହିଁକି କାଳିଆ 

    ଖୁସି ଲାଗିଯାଏ ମୋତେ

ଓଠରେ ହସର ଜୁଆର ଖେଳଇ

   ଆଖି ଭାସେ ଲୁହ ସ୍ରୋତେ ।

ଲାଗୁଥାଏ ସତେ ସରଗର ସୁଖ

    ତୋ ପ୍ରେମରେ ହଜେ ମୁଁ 

ଭିଜି ଯାଏ ତନୁ ମନ ପ୍ରାଣ ମୋର

    ବୁଝି ପାରିବୁନି ତୁ ।

ତୋ ବିନା କେହି ନାହିଁ ମୋ ନିଜର

ଦୂରେଇ ଦେବିନି କରିବୁନି ପର

     ବୁଲା ପଛେ ବାଟଘାଟ ।

ତୁ ଅଛୁ ବୋଲି ।


ଦୋଷ ଧରିବୁନି ମୋ ନୀଳାଚଳିଆ

    ହାତ ଛାଡିବୁନି ତୁ

ତୁ ଯଦି ବାଟ ଆଡେଇ ଯିବୁରେ

    ବଞ୍ଚି ପାରିବିନି ମୁଁ ।

ତୋ ପାଇଁ ସିନା ହସୁଛି ଆଜି ମୁଁ 

   ଥାଇ ଦୁଃଖ କଷ୍ଟେ ଏତେ 

କଣ୍ଟାର ପଥରେ ଚାଲୁଛି ପଛରେ

   ଲାଗୁନି ଆଘାତ ମୋତେ ।   

ଆଖି ଖୋଲି ଦେଲେ ତୋତେରେ ଦେଖୁଛି 

ହତାଶ ବେଳରେ ସାହାର ପାଉଛି

    ରଖୁଛୁ ଅଳି ଅଝଟ ।

ତୁ ଅଛୁ ବୋଲି ।


ଯେତେ ଦିନ ମୁହିଁ ଥିବି ଦୁନିଆରେ

     ତୋ ସାଥେ ରଖିବୁ ମୋତେ

ଅଧା ବାଟେ କେବେ ଛାଡି ତୁ ଯିବୁନି

    ହାତ ଯୋଡୁ ଅଛି ତୋତେ ।

ଭୁଲେଇ ଦେବୁନି ଲୋଭ ମୋହ ମାୟେ

     ହୃଦୟେ ଥିବୁରେ ତୁ

ବିଦାୟ ବେଳାରେ ଶେଷ ସମୟରେ 

     ତୋତେ ଦେଖୁଥିବି ମୁଁ ।

ତୋ ଇଚ୍ଛା ଯାହା କର ଇଚ୍ଛାମୟ

ରଖିଥିବୁ ମନେ ହେବୁନି ନିର୍ଦ୍ଦୟ 

    ଭୁଲିବୁନି ନନ୍ଦ ଚାଟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract