STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ତୁ ଯା ଯା ଯା

ତୁ ଯା ଯା ଯା

1 min
47


ଶୁଦ୍ଧପୂତ ହୋଇ    ଜେଜେ ଡାକ ଦେଲେ

    କୁନା ମୁନି ଦୁହେଁ ଆସ,

ସନ୍ଧ୍ୟା ଆଳତୀର     ଘଣ୍ଟ ଶୁଭିଲାଣି 

      ପ୍ରାର୍ଥନା କରିବା ବସ।

ସାମ୍ପ୍ରତିକ ମହା     ମାରୀକୁ ଦୂରେଇ

     ଜଗତର ଶାନ୍ତି ପାଇଁ,

ସନ୍ଧ୍ୟା ସକାଳରେ     କରିବା ପ୍ରାର୍ଥନା

      ଉଦ୍ଧରିବେ ଭାବଗ୍ରାହୀ।

ସୁନାପିଲା ଭଳି       କୁନା ମୁନି ଜେଜେ

      ପାଶେ କରିଲେ ପ୍ରାର୍ଥନା

ଶେଷରେ ମୁଣ୍ଡିଆ      ମାରିଣ କରିଲେ

       ସର୍ବ ମଙ୍ଗଳ କାମନା।

ମହାମାରୀ କରୋନା        ବିଷୟେ କୁନା

         ଜାଣିବାକୁ କଲା ଅଳି,

ସବିଶେଷ କଥା         କହିବାକୁ ଜେଜେ

          ବୈଠକେ ଗଲେ ଚଳି।

ଚୀନରୁ  ଆସିଛି       କରୋନା  ଭୂତାଣୁ

        ବିଶ୍ଵକୁ ଦେଇଛି ଦୁଃଖ,

ଚାଇନା  ରୋଗର    ପ୍ରଭାବେ  ଭାରତ

         ହରାଇଛି ସବୁ ସୁଖ।

ସମସ୍ୟା  ଆସିଛି     ଧୈର୍ଯ୍ୟ ନ ହରାଇ

       କରିବା ତା ମୁକାବିଲା,

ସମାଧାନ ରାସ୍ତା      ଆମ ପାଖେ ଅଛି

       ନ କରିବା ହୋ ହାଲ୍ଲା।

ପରିଷ୍କାର ପରିଛନ୍ନ    ରହି ଆମେ କେବେ

        ଗହଳି କରିବା ନାହିଁ,

ମୁହଁରେ ନାକରେ     ପଟି ବାନ୍ଧି ସାମାଜିକ

      ଦୂରତାରେ ଥିବା ରହି।

ବାହାରୁ  ଆସିଲେ       ହାତ ପାଦ ମୁଖ

      ନାକ ଶୋଧନ କରିବା,

ପିନ୍ଧା ଲୁଗାପଟା       ଅଙ୍ଗପ୍ରତ୍ୟଙ୍ଗକୁ 

     ଡେଟଲରେ ଧୋଇ ଦେବା।

ଗରମ ଖାଇବା    ଗରମ ପିଇବା

      ଯୋଗ ପ୍ରାଣାୟାମ କରି,

ଗରମ ପାଣିରେ    ଦିନକୁ ଦି ଥର

      କରିବାରେ ନିଶ୍ଚେ କୁଳି।

ଅଦା ତେଜପତ୍ର  ହଳଦୀ  ତୁଳସୀ

       ଗୁଜୁରାତି ଆଉ ମହୁ,

ଲୁଣ ଲବଙ୍ଗ ଓ    ଗୋଲମରିଚକୁ

      ଫୁଟାଇବ ତୁମ ବୋଉ।

ସକାଳରୁ ଦାନ୍ତ      ଘଷି  ପିଇଦେବା

       ତାକୁ ଉଷୁମ ଉଷୁମ,

ତଟକା ଫଳ ଓ     ପନି ପରିବା

      ଖାଦ୍ୟ ଖାଇବା ସୁଷମ।

ଅସୁସ୍ଥ ଲାଗିଲେ   ଚିକିତ୍ସକଙ୍କର ଆମେ

       ପରାମର୍ଶ ନେବା,

ସଠିକ ସମୟେ     ଔଷଧ ଖାଇ

     କରୋନା ଦୂରେଇ ଦେବା।

ଆମ ପରିବେଶ    ପରିଷ୍କାର ରଖି

      ବିଶୋଧନ ଯେ କରିବା,

ଖାଲି ସ୍ଥାନେ  ବୃକ୍ଷରୋପଣ ତ କରି

       ପ୍ରଦୂଷଣକୁ ରୋକିବା।

ବୁଝିଲ ତ କୁନା    ମୁନି ମୋର କଥା

       ସର୍ବଦା ମନେ ରଖିବ,

ହାତ ପାଦ ମୁଖ    ନାକ ସଫାକରି

      ସାମାଜିକ ଦୂରେ ଥିବ।

ଆମକୁ ତ ଦେଖି     କରୋନା କହିବ

       ବାଃ ଭାରତୀୟ ବାଃ,

ସୁରକ୍ଷିତ ରହି     କହିବା ଗରବେ

     କରୋନା ତୁ ଯା ଯା ଯା।




ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational