ତୁ ଥାଆ ମୁଁ ଯାଉଛି ରୁଷି
ତୁ ଥାଆ ମୁଁ ଯାଉଛି ରୁଷି
ଟୁଉକୁ ମୂଷି ଟୁକେଇ ମୂଷି
ଆ' ଯିବା ମେଳା ବୁଲି
ଜିନିଷ କିଣିବା ମଉଜ କରିବା
ଖେଳିବା ଦୋଳିରେ ଝୁଲି ।
ଟୁଉକୁ ମୂଷି ଟୁକେଇ ମୂଷି
ଆ' ସଜେଇବା ଘର
ସୁନ୍ଦର ଦିଶିବ ମନ କିଣିନେବ
ଦେଖୁଥିବା ଯେତେ ଥର ।
ଟୁଉକୁ ମୂଷି ଟୁକେଇ ମୂଷି
ଆ' ଲଗେଇବା ଗଛ
ପାଣି ବୋହି ଦେବା ଯତନ କରିବା
ଆଉ କାମ କରି ପଛ ।
ଟୁଉକୁ ମୂଷି ଟୁକେଇ ମୂଷି
ଆ' ଯିବା ଫୁଲ ତୋଳି
ନାଲି,ହଳଦିଆ ରଙ୍ଗ ସବୁ ତା'ର
ଦେହେ ଆଣି ହେବା ବୋଳି ।
ଟୁଉକୁ ମୂଷି ଟୁକେଇ ମୂଷି
ଆ' ଯିବା ଖେଳି ଖେଳ
ତୋଅର ଛୁଟି କି ମୋଅର ବି ଛୁଟି
ଏ ଆମ ଖେଳିବା ବେଳ ।
ଟୁଉକୁ ମୂଷି ଟୁକେଇ ମୂଷି
ଆ' ଯିବା ପାଣି ଆଣି
ସାଇତିବା ଘରେ ସଫା ମାଠିଆରେ
ପିଇବା ନିଇତି ଛାଣି ।
ଟୁଉକୁ ମୂଷି ଟୁକେଇ ମୂଷି
ଆ' ଯିବା ପଢି ପାଠ
ଦୁଇ ଚୋଉ କେତେ ପଚାରିଲେ କେହି
କହିଦେବୁ ବେଗେ ଆଠ ।
ଟୁଉକୁ ମୂଷି ଟୁକେଇ ମୂଷି
ଆ' ଯିବା ଦେଖି ପୁଷି
ଲୁଚିବୁ ଗାତରେ ନ ଯିବୁ ଯେବେ ତୁ
ଥାଆ ମୁଁ ଯାଉଛି ରୁଷି ।
