ତୁ କେତେ ସୁନ୍ଦର
ତୁ କେତେ ସୁନ୍ଦର
ଆହା ଆଜି ତୋତେ ଦେଖି ଏହି ମନଯାଏ ଲାଖି
ଲାଗୁ ସତେ ତୁ କେତେ ସୁନ୍ଦର
ମନ ତୁ ସଭିଙ୍କ ମୋହି ନେଉ ଆରେ ଫୁଲ
କାଶତଣ୍ଡୀ ପରା ନାମ ଅଟେ ତୋହର |
ତୋର ଆଗମନ ସତେ କିଛି ନୀରବେ କହି ଯାଏ
ପବନ ତୋର ସଙ୍ଗେ ଝୁଲି ଖେଳୁଥାଏ
ହସି ହସି କିଛି କଥା ଚୁପି ଚୁପି କହେ
ଲାଗେ କାହାରି ଆସିବାକୁ ସତେ ଚାହିଁଥାଏ|
କିଏ ଜାଣେ କେବେ ତୋର କେମିତି ହେଲା ଜନ୍ମ
କିଏ ତୋତେ କହିଲା ଆସିବା ପାଇଁ
କିଏ ତୋର ମାଳି କିଏ ନିଏ ତୋର ଯତନ
କେହି କିଛି କହି ପାରେ ନାହିଁ |
ବହୁ ଦୂରୁ ତୋତେ ଦେଖି ଭଲ ଲାଗେ ସତେ
ତୁ ସତେ ଲାଗୁ ନୁହଁଇ କାହାର ,
କିନ୍ତୁ ସଭିଙ୍କୁ ଆପଣାର କରୁ ନିଜ ସେହି ରୂପରେ
କାଶତଣ୍ଡୀ ସତେ ତୁ କେତେ ସୁନ୍ଦର |
ଅନାବନା ଜାଗାରେ ଦେଖି ତୋର ସୁନ୍ଦର କୋମଳ କାନ୍ତି
ଲମ୍ବା ଲମ୍ବା ହୋଇ ଧାଡିରେ ରହି ,
କେତେ କେତେ ମଧୁର ସ୍ବପ୍ନ ତୁ ସଭିଙ୍କୁ ଦେଖାଉ
ତୋର ରୂପ ମନ ନିଏ ମୋହି |
ତୋତେ ଦେଖି ଲାଗେ ସତେ ଆସିବେ ଜଗତ ମାତା
ସେଥିପାଇଁ ତୁ ରହିଛୁ ଫୁଟି ,ଚାହିଁ ,
ତାଙ୍କରି ସ୍ୱାଗତ ହେବ ଏହି ଧରା ପୃଷ୍ଠେ ଏବେ
ହସି ହସି ସଭିଙ୍କୁ ଦେଉଛୁ ଚେତାଇ |
ତାଙ୍କ ପାଇଁ ଲାଗେ ସତେ ବିଛାଇଛୁ ଧବଳ ଚାଦର
ସୂଚନା ଦେଉଛୁ ଶରତ ଋତୁର ଆଗମନର ,
ରାସ୍ତାକଡ ନଦୀକୂଳ ପରି କେତେକେତେ ପରିତ୍ୟକ୍ତ ଜାଗାରେ
ଝୁଲି ଝୁଲି ଖେଳୁ ପବନ ସାଙ୍ଗରେ |
ଏମିତି ଫୁଲ ଅଟୁ ସତେ ସଦା ନଦେଉ ଧରା
ବିରଳ ତୋର ରୂପ ରଙ୍ଗ ପରା ,
ମନ କହେ ତୋତେ ରଖିବି ସାଥେ ଚିରଦିନ ପାଇଁ
ଆହା ,କାଶତଣ୍ଡୀ ତୁ କେତେ ସୁନ୍ଦର ।
