ତଥାପି ଜୀବନ
ତଥାପି ଜୀବନ
ବୟସ ହୋଇଲା ଭଗାରୀ ଦିଏ ଦାରୁଣ ଦୁଃଖ
ଗୋଡ଼ ହାତ ହେଲା ଶିଥିଳ ପାଏ କଷ୍ଟ ଅନେକ।
ଖସିଲାଣି ବଳ ବୟସ ଘରନଧରେ ମନ
ପତନ ଦଶନ ସକଳ ମଳିନ ମା ନୟନ।
ବୋଝ ପରେ ନଳିତା ବିଡ଼ା ସମ ପ୍ରାଣ ସଙ୍ଗିନୀ
କି ରୋଗ ଆସିଲା କେଜାଣି ସଦା ଶଯ୍ୟାଶାୟିନୀ।
କୁଡ଼ିଆଟି ମୋର ଦଦରା ଦିଶଇ ଜହ୍ନ ତାରା
ସଜାଡ଼ିବା ପାଇଁ ଅକ୍ଷମ ନାହିଁ କେହି ସାହାରା।
ଦିନରେ ଲଣ୍ଠନ ଦେଖାନ୍ତି ରାଜନେତା ସକଳ
ଭୋଟ ସରିଗଲେ କାହାର ଆଉ ନଥାଏ ବେଳ।
କେତେ ପ୍ରତିଶ୍ରୁତି ପାଇଣ ଗଲା ଜୀବନ ମୋର
ତଥାପି ଭରସା ମୋହର ପ୍ରଭୁ କଳାଠାକୁର ।
ତେଲିଆ ମୁଣ୍ଡରେ ତେଲଟି ପା'ନ୍ତି ଇନ୍ଦିରାବାସ
ମୋତେ କିଏ ଅବା ପଚାରେ ମୁ ଯେ ତୁଚ୍ଛ ମଣିଷ।
ଫଟା କାଚ ସମ ଜୀବନ ମୋର ହେଲା ଅଲୋଡ଼ା
ବନ୍ଧୁ ପରିଜନ ପାଖକୁ ଗଲେ ଖାଉଛି ତଡ଼ା।
ବୃଦ୍ଧ ବୟସରେ ଖଞ୍ଜଣି ବାଇ ଗାଏ ମୁଁ ଗୀତ
କେବଳ ଖଞ୍ଜଣି ସାଜିଛି ମୋର ପରାଣ ମିତ।
ଦୁଃଖ କଷ୍ଟେ ଚଳି ଯାଉଛି ବିଭୁ ନାମକୁ ଗାଇ
ଖଞ୍ଜଣି ବାଦନେ ମିଳଇ ଦୁଇ ପଇସା ତହିଁ।
ତୁହି ଏକା ମୋର ଭରସା ପ୍ରଭୁ କଳାଠାକୁର
ଜୀବ ଗଲାବେଳେ ତୁଣ୍ଡରେ ଥାଉ ନାମ ତୋହର।