STORYMIRROR

samhita jena

Inspirational

4  

samhita jena

Inspirational

ତପୋଭୂମି ଭାରତ

ତପୋଭୂମି ଭାରତ

1 min
342

ହିମାଳୟ ଯାର ମଥାର ମୁକୁଟ

  ପାଦ ଧୋଉଥାଏ ପାବନୀ ଗଙ୍ଗା

ପଥର ଯାହାର ଇତିହାସ କହେ

  ଫର ଫର ଉଡୁଥାଏ ତ୍ରୀରଙ୍ଗା।


ଅଗନା ଅଗନି ସବୁଜ ବନାନୀ

  ଚଢେଇ ଗାଆନ୍ତି ପ୍ରାତଃ ସଙ୍ଗୀତ

ପାହାଡ଼ ଗୁମ୍ଫାରେ ସାଧୁ ସନ୍ଥ ବାସ

  ସେହି ମୋର ଦେଶ ଭାରତ ବର୍ଷ।


ସେବା ମମତାର ପ୍ରତିମୂର୍ତ୍ତି ନାରୀ

   ସମୟ ସାଥୀରେ ତାଳ ସେ ଦିଏ

କର୍ତ୍ତବ୍ୟ ପାଳନେ ସାଧନାର ବଳେ

   ଶିକ୍ଷା,ସଂସ୍କୃତିକୁ ଆଗକୁ ନିଏ।


ଶିକ୍ଷା ଓ ଶାସନ ସାଧୁ ଉପାର୍ଜନ

  ଗଢ଼ିଥାଏ ଏଠି କୀର୍ତ୍ତିର ସ୍ତମ୍ଭ

ଭାରତୀୟଙ୍କର ପରିଚୟ ଯାହା

  ମନେ ଭରିଥାଏ ଗର୍ବ ଓ ଦମ୍ଭ।


ସଂଯମତା ବଳେ ସାଧୁ ସଙ୍ଗ ମେଳେ

  ପ୍ରଚାରିତ ହୁଏ ଧର୍ମର କଥା

ଧର୍ମ ଆଚରଣେ ଦୟା,କ୍ଷମା ଗୁଣେ

  ବାଣ୍ଟୁଥା'ନ୍ତି ସାଧୁ ଶାନ୍ତି ବାରତା।


ଅଯୋଧ୍ୟା ଓ କାଶୀ ପୁରୀ ବାରଣାସୀ

  ବେଦର ମହିମା ପ୍ରଚାର କରେ

ସାରା ପୃଥିବୀର ଆକର୍ଷଣ କେନ୍ଦ୍ର

  ପଵିତ୍ରତା ଭରିଥାଏ ମନରେ।


ପ୍ରାଚୀ,ଗୋଦାବରୀ,କୃଷ୍ଣା ଓ କାବେରୀ

  ଶୀତଳତା ଭରିଦିଏ ପ୍ରାଣରେ

ତ୍ରିବେଣୀ ସଙ୍ଗମ ଜଳଧାରା ବହେ

  ଆମ ଏଇ ମାଆ ମାଟି କୋଳରେ।


ସର୍ବଧର୍ମ ସମନ୍ୱୟର ଏ ଦେଶ

  ଅଖଣ୍ଡ ଭାରତେ ଅଛି ଏକତା

ପାରାବାର ଜାର ଦିଗନ୍ତ ବିସ୍ତାରି

 କର୍ତ୍ତବ୍ୟ ବୁଝାଏ ପବିତ୍ର 'ଗୀତା'।


ପିତୃ ସତ୍ୟ ପାଳି ପୁତ୍ର ଯାଏ ବନେ

  ଆତ୍ମା ଛାଡି ଚାଲିଯାଏ ଶରୀର

ବିନା ଦୋଷେ ନାରୀ ଅଭିଶାପ ପାଇ

  କେବେ ତ ପାଲଟି ଯାଏ ପଥର।


ଏ ମାଟିର ପୁତ୍ର ଶ୍ରବଣ କୁମାର

  ପିତା ମାତା ଭାର ବୁହେ କାନ୍ଧରେ

ଦସ୍ୟୁ ରତ୍ନାକର ତପରେ 'ବାଲ୍ମୀକି'

  'ରାମାୟଣ' ରଚନ୍ତି ଏ ମାଟିରେ।


ଏ ସାରା ଭାରତେ ପୁଣ୍ୟ ନୀଳାଚଳ

  ବିଜେ ଦାରୁବ୍ରହ୍ମ 'ଶ୍ରୀଜଗନ୍ନାଥ'

ଓଁ କାର ଶବଦେ ଗହ ଗହ ନାଦେ

  ପ୍ରକମ୍ପିତ 'ତପୋଭୂମି ଭାରତ'।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational