ତମେ
ତମେ
ତମେ ଦେଇପାର ମୋ ବିଶ୍ୱାସରେ ବିଷ
ହେଲେ ବି ତ ମୋ ବିଶ୍ୱାସ ଅମର
ତମେ ସିନା ଭୁଲିଗଲ ମୋ ସ୍ମୃତିକୁ କବରି ଦେଇ
ହେଲେବି ତ ମୋ ସ୍ମୃତି ସେମିତି ଜାଜ୍ଜଲ୍ୟମାନ
ତମେ ସିନା ଭୁଲିଗଲ କିନ୍ତୁ ମୁଁ ଆଜି ଭୁଲିନି କିଛିବି
କାହିଁକିନା ମୁଁ ବୁଝିନଥିଲି ବୋଲି ଜଟିଳ ଗଣିତ
ଏତିକିତ ଜାଣିଥିଲି ଠିକଣା ମୋର
ହେଲେ ବି ତ ତମେ ଶିଳାଠୁ କଠିନ, ଅଭିଶପ୍ତ ନୁହେଁ,
ଶିଳାଟିଏ ନୁହେଁ ପଥର ବି ନୁହେଁ, ହେଲେ ବି ତ ଅଧୀର
ତମେ ସିନା ଜାଳିଦେଲ
ସ୍ମୃତିକୁ କବରି ଦେଲ, ମୁଁ, କିନ୍ତୁ ଵୁଝିଛି ସେ ଜଟିଳ ଗଣିତ
ଵୁଝିଛି ତମ ବୈଜ୍ଞାନିକ ପ୍ରଣାଳୀ
ଏଠି ପ୍ରାଚୀର ହେବ ଯଦି ଟିକିଏ ସତ୍ୟର ଗୁଜବ ପାଇ
ମୁଁ ସେମିତି କିଛିବି କରିନି
ଖାଲି ବାସ୍ତବତାକୁ ଭଲପାଇଛି ବୋଲି
ଆଜି ନିୟତି ବି ଏତେ କ୍ରୁର ନିଷ୍ଠୁର
କାହିଁକି ମୁଁ ସେମିତି କିଛିବି କରିନି,
ଟିକିଏ ସ୍ବର୍ଗୀୟ ଭଲପାଇବା ବି ଏଠି ମିଳେନି
ଅହଂକାର ଏବେ କାହିଁକି ତିମିର ଅନ୍ଧକାର
ଅଚ୍ଛାଦିତ କରିଛି
ସେଥିପାଇଁ ତ ବାଟବଣା ହେଇଯାଏ
ରଙ୍ଗମଞ୍ଚ ପାଲଟିଯାଏ ଜୀବନଟା
ମରୀଚିକା ପାଲଟିସାରିଛି ମୁଁ ନାଟକର ପ୍ରଥମ ଦୃଶ୍ୟରୁ,
ଅସରନ୍ତି ରାସ୍ତାଟିଏ ଜୀବନ ମରୁଭୂମି ତୁଲ୍ୟ
କେବେ ମରୀଚିକା କେବେ ହତାଶ
କେବେ ମେଘ ନାହିଁ ଆତଙ୍କର ଛାୟା ଖେଳିଯାଏ
କାହିଁକିଯେ ଦୁଃଖ ଚିର ସହଚର ହୁଏ
ଏଠି ଶାନ୍ତି ମୃଗତୃଷ୍ନା ମରୀଚିକା ଝଡ ତୋଫାନ ଭଳି
ଏକ ଭୟଙ୍କର ଶବ୍ଦ
ଯାହା କଳ୍ପନା କରିବାର ନୁହେଁ
ସଂଘର୍ଷ ହିଁ ହୁଏ ଜୀବନର ଅନ୍ୟନାମ
ମନ ଭଳି ଏକ ସ୍ୱଚ୍ଛ ଆଇନା ଯଦି
ଅକାରଣରେ ଭାଙ୍ଗିଯାଏ, ତାକୁବି ଯୋଡି ହୁଏନି
ନା ସ୍ୱର୍ଗ ଗଢି ହୁଏ ନା ଭଙ୍ଗାମନ ଯୋଡି ହୁଏ
ଏଥିପାଇଁ କଣ ଆମେ ଶ୍ରେଷ୍ଠ ଜୀବ
କର୍ମକୋଢ଼ି ପାଲଟିଯାଏ ମଣିଷ
ଭୁଲିଯାଏ ତା କର୍ତ୍ତବ୍ୟ
ଖାଲି ପଙ୍ଗୁ ଭବିଷ୍ୟତର
ପରିକଳ୍ପନାରେ
ନା ସ୍ୱର୍ଗ ଗଢ଼ିହୁଏ
ନା ଭଙ୍ଗାମନ ଯୋଡି ହୁଏ
ଜୀବନ ସଂଜ୍ଞାହୀନ ଫର୍ମଟେ ପାଲଟିଯାଏ ।।
