ତମାଖୁ
ତମାଖୁ
ଦୀପ ଜାଳିବାକୁ ଗରିବ ଥାଳିରୁ
ଚିପୁଡି ନେଇନି ତେଲ
ଅଗରବତୀ ବି ଜାଳିଲେ ତୁମେ ତ
ଭଲକୁ କହୁଛ ଭେଲ ।
ବାୟୁମଣ୍ଡଳରେ ରସାୟନ ବିଷ
ଦେଇଛି ଯଦି ମୁଁ ଭରି
କହିବ କି ଭାଇ କେଉଁ ମନ୍ଦିରରେ
କେତେଜଣ ଗଲେ ମରି ?
କେଉଁ ଅବଧିରୁ କେତେ ଯେ ମଲେଣି
ତମାଖୁ ସେବନ ପାଇଁ
ସେହିକଥା ଟିକେ ଜଣାଅ କି କେବେ
ଜନସାଧାରଣଙ୍କୁ ଯାଇ ?
ଏଥିପାଇଁ ଅବା ଧୂମପାନ ଯୋଗୁଁ
ବିବିଧ କର୍କଟ ରୋଗ
ଶ୍ବାସଗତ ଅବା ଦାନ୍ତ ସମସ୍ୟାରେ
ହେଉନି କି କଷ୍ଟଭୋଗ ?
ପୂରା ପୃଥିବୀରେ ଆମରି ଦେଶରେ
ସର୍ବାଧିକ ଏହି ବ୍ୟାଧି
ଆପଣା ହସ୍ତରେ ଜିହ୍ଵା ଛେଦୁଥିଲେ
କିଏ ତା'ର ପ୍ରତିବାଦୀ !
ଯେତେଦିନ ଯାଏଁ ସମାଜ ଭିତରେ
ପ୍ରଚଳିତ ଥିବ ନିଶା
ତାହାରି ପ୍ରଭାବେ ଘର ପରିବାର
ହରାଏ ପ୍ରଗତି ଦିଶା ।
ନିଶା ସହ ଯେବେ ଔଷଧ ସକାଶେ
ବ୍ୟୟ ହେଉଥିବ ଅର୍ଥ
ସୁଦୃଢ଼ ଚରିତ୍ର ଗଠନ ଦିଗରେ
ଉଦ୍ୟମ ହୋଇବ ବ୍ୟର୍ଥ ।
ତମାଖୁ ବିହୀନ ଜୀବନ ଯାପନ
ଲାଗେ ସିନା ସ୍ବପ୍ନ ଭଳି
ଆଚରଣ ଦ୍ଵାରା ଶିଖାଅ ପିଲାଙ୍କୁ
ଭବିଷ୍ୟ ନଯାଉ ଜଳି ।
