STORYMIRROR

Sachidananda Kar

Inspirational Children

4  

Sachidananda Kar

Inspirational Children

ତାକୁ ଭାରି ଭଲପାଇଛି ତେଣୁ

ତାକୁ ଭାରି ଭଲପାଇଛି ତେଣୁ

1 min
320

    ସଜ କୁସୁମର ଅନେକ ସକାଳ

      ମୋ ଜୀବନ ମୋତେ ଦେଇଛି ଆଣି

    ପରଷିଛି ପୁଣି ଶେଫାଳିର ସଞ୍ଜ

      କେତେ ଯେ ସେମିତି ମୋ ମନ ଜାଣି ।। 


    ଝିପି ଝିପି ଝଡ଼ି ବରଷାର ଦିନ

      ଆଣିଛି କେତେ ସେ ମୋ ଖୁସି ପାଇଁ

    ଭସେଇବି ବୋଲି କାଗଜର ଡଙ୍ଗା

      ମୋତେ ସିଏ ପୁଣି କରିଛି ବାଇ ।। 


    ଦେଇଛି ସେ ମୋତେ ମହୁର ଆନନ୍ଦ

      ଚାଖିଛି ତା' ପାଇଁ ଅଲଣା ଲୁଣ

    ଜାଣିଛି ତା' ପାଇଁ ରାଗ ବୋଲି ଲଙ୍କା

      ବୁଝିଛି କଲରା ପିତାର ଗୁଣ ।। 


    ପାଇଛି ତା' ପାଇଁ ଗାଆଁର ପରଶ

      ସହରରେ ରହି ନେଇଛି ମଜା

    ଖାଇଛି କେତେ ମୁଁ ଗାଆଁ ଗଡ଼ିଆର

      ମଉରାଳି ମାଛ ବେସର ଭଜା ।। 


    ଦେଖିଛି ତା' ପାଇଁ ଶୋଭାର ମରତ

      ଫଗୁଣ ବି ମୋତେ ଯାଇଛି ଛୁଇଁ

    ବୁଲି ଦେଖିବାକୁ ପାଇଛି ସୁଯୋଗ

      ବନ ଉପବନ ପାହାଡ଼ ଭୂଇଁ ।। 


    ବାଟୋଇ କରି ସେ ଜୁଟାଇଛି ବାଟେ

      କେତେ ଭଲ ବନ୍ଧୁ କେତେ ଯେ ମିତ

    ସୁଖୀ ହେବା ପାଇଁ ବତାଇଛି ସିଏ

      କରିବାକୁ ଦୀନଦୁଃଖୀର ହିତ ।। 


    ସପନ ଦେଖିବା ଶିଖାଇଛି ସିଏ

      ମନେ ନାନା ଆଶା ଦେଇଛି ଭରି

    ଦେଇଛି ବୁଝାଇ ନିଜକୁ କେମିତି

      ଗଢ଼ିବାକୁ ହୁଏ ସୁନ୍ଦର କରି ।। 


    କାନେ କାନେ ମୋର କହିଛି ସେ ମୋତେ

      ଜନମଟି ନୁହେଁ କରମ ବଡ଼

    ତା' କଥାରେ ମୋର ଭାଙ୍ଗିଛି ଅଳସ

      କାମରେ ଲାଗି ମୁଁ ଜିତିଛି ଗଡ଼ ।। 


    ଭଲପାଇ ମୋତେ ଦେଇଛି ସେ ବୁଣି

      ଅସୁମାରୀ ସୁଖ କିରଣ ରେଣୁ

    ଅତି ଆପଣାର ଜୀବନ ସେ ମୋର

      ତାକୁ ଭାରି ଭଲପାଇଛି ତେଣୁ ।। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational