ସୂର୍ପଣଖା
ସୂର୍ପଣଖା


ରାମାୟଣ ପୃଷ୍ଠା ଯେବେ ରୋମନ୍ଥନ କରେ
ସୂର୍ପଣଖା ଚରିତ୍ରଟି ମନେ ଉଙ୍କିମାରେ।
ରାବଣର ଅଳିଅଳି ଭଉଣୀ ଯେ ସେହି
ଜନ୍ମବେଳେ ମିନାକ୍ଷୀ ର ପରିଚୟ ନେଇ।
ହସ୍ତେ ବଡ ବଡ ନଖ ରଖି ସେହି ବାଳା
ମିନାକ୍ଷୀ ରୁ ସେହି ସୂର୍ପଣଖା ବୋଲାଇଲା।
ଅସୁରୀ ପ୍ରବୃତ୍ତି ସହ ତନ୍ତ୍ର ମନ୍ତ୍ର ମାୟା
ସବୁଥିରେ ପ୍ରବୀଣା ସେ ବିଶ୍ରବା ତନୟା।
ଦିନୁଦିନ ବଢେ ପୁଣି ଚନ୍ଦ୍ରକଳା ପ୍ରାୟ
ରାବଣକୁ ଘାରିଲା ଯେ ତାହାର ବିବାହ।
ଆସିଥିଲେ ଲଙ୍କା ପୁରେ ନାରଦ ମହର୍ଷି
ଆନନ୍ଦ ରେ ପଦଧୌତ କଲେ ଲଙ୍କପତି।
ପଚାରିଲେ ସୂର୍ପଣଖା ସ୍ବୟଂବର କଥା
ନାରଦଙ୍କ ଉତ୍ତରରେ ଘୂରିଗଲା ମଥା।
ତାର ସ୍ବୟଂବର ତୋର ମୃତ୍ଯୁ ର କାରଣ
ସେଥିରେ ମନ ନ ବଳା ତୁହି ଦଶାନନ।
ନାରଦ ଙ୍କ କଥା ଯେବେ ରାବଣ ଭାବଇ
ମନେ ତାର ଆସେ ଦୁଃଖ ସୂର୍ପଣଖା ପାଇଁ ।
ସେହିଦିନୁ ସୂର୍ପଣଖା ସଙ୍ଗତରେ ଦାସୀ
ଖଞ୍ଜିଣ ପରଖୁଥାଏ ତାର ଗତିବିଧି।
ବିଧିର ବିଧାନ ପୁଣି କରିବ କେ ଆନ
କରୁଥଲା ସୂର୍ପଣଖା ଉଦ୍ଯାନ ଭ୍ରମଣ।
ଦାନବ ରାଜ କୁମାର ବିଦ୍ଯୁତଜିହ୍ବା ନାମ
ପ୍ରଥମ ଦର୍ଶନେ ସୂର୍ପ କଲା ତାଙ୍କୁ ପ୍ରେମ।
ରାବଣର ଆଗେ ସବୁ ପ୍ରକାଶ କରିଲା
ବିଦ୍ଯୁତଜିହ୍ବାଙ୍କୁ ନିଶ୍ଚୟ ବରିବ କହିଲା।
ବିଦ୍ଯୁତଜିହ୍ବା ଥିଲା ପୁଣି ଏମିତିକା ଯୋଦ୍ଧା
ଜିହ୍ବାରୁ ତା ବିଦ୍ଯୁତ ସ୍ରୋତ ପ୍ରବାହ ସର୍ବଦା।
ଯେଉଁ ଯୋଦ୍ଧା ସହ ସିଏ ସମର କରିବ
ଜିହ୍ବାରେ ଲେହନ କରି ତାର ପ୍ରାଣ ନେବ।
ସବୁ ଶୁଣି ଦଶାନନ ନାରଦଙ୍କୁ ଡାକି
ସୂର୍ପଣଖା ବିବାହ ସେ କରିବ କେମିତି।
ନାରଦ ରାବଣଙ୍କୁ ଯେ କହିଲେ ବୁଝାଇ
ବିବାହ ଏଥର ତାକୁ ଦିଅ ଲଙ୍କାସାଇଁ ।
ବିବାହର ପରେ ତାକୁ ତୋ ଭିଣୋଇ ସାଥେ
ଲଙ୍କା ରେ ରଖିବୁ ସବୁ ସୁବିଧା ସହିତେ।
କେବେହେଲେ ତାହା ସାଥେ କରିବୁନି ବାଦ
ନହେଲେ ଆଣିବ ତୋର ପାଇଁ ସେ ବିପଦ।
ନାରଦ ଙ୍କ କଥାମାନି ବୀର ଦଶାନନ
ରାଜ୍ୟ ରୁ କିଛି ଅଂଶକୁ କଲା ତାକୁଦାନ।
ଆନନ୍ଦ ରେ ରହିଲା ସେ ସୂର୍ପଣଖା ପୁଣି
ଇନ୍ଦ୍ରଜିତ ସହିନପାରିଲା ସବୁଜାଣି।
ଦଶାନନ ଙ୍କ ସଭାରେ ବିଦ୍ଯୁତଜିହ୍ବା ମିଳି
ଦେବତାଙ୍କୁ ମୁକ୍ତି ପାଇଁ କଲା ବହୁ ଅଳି।
ରାବଣ ସମସ୍ତ କଥା ଶୁଣି ନଶୁଣିଲା
ଇନ୍ଦ୍ରଜିତ ଆଢୁଆଳେ ସବୁ ଶୁଣୁଥିଲା।
ରାବଣର ପ୍ରସ୍ଥାନରେ ଇନ୍ଦ୍ରଜିତ ଆସି
ବିଦ୍ଯୁତଜିହ୍ବା ସହ ଯୁକ୍ତି କଲା ଉପହସି।
ଅତର୍କିତ ଭାବେ ତାକୁ କଲା ଆକ୍ରମଣ
ଚାହୁଁ ଚାହୁଁ ବିଦ୍ଯୁତଜିହ୍ବା ଲଭିଲା ମରଣ।
ରାବଣ ଚକିତ ଦେଖି ଭିଣୋଇ ନିଧନ
ସବୁ ଦିଶୁଥିଲା ତାକୁ ଅନ୍ଧକାରାଚ୍ଛନ୍ନ।
ଏପଟରେ ପୁତ୍ର ସେପଟରେ ତା ଭଗିନୀ
ଘୋର ଶୋକ କଲା ପୁଣି ବୀର ଲଙ୍କାମଣି।
ସୂର୍ପଣଖା କୁ ସାନ୍ତ୍ବନା ଦେଲା ଦଶାନନ
ପଞ୍ଚବଟୀ ରେ
କରିଲା ପ୍ରାସାଦ ନିର୍ମାଣ ।
ସୂର୍ପଣଖା କୁ ରଖିଲା ସେହି ପ୍ରାସାଦରେ
ଇନ୍ଦ୍ରଜିତ କୋପଦୃଷ୍ଟି ନ ଆସୁ ଉପରେ।
ସେହିଦିନୁ ସୂର୍ପଣଖା ପଞ୍ଚବଟୀ ଠାରେ
ମନକୁ ବୁଝାଇ ପୁଣି ରହିଲା ସେଠାରେ।
ସୂର୍ପଣଖା ର ସୁରକ୍ଷା ପାଇଁ ଦଶାନନ
ଖରା, ଧୂସୂରା ତ୍ରିଶିରା କଲା ନିୟୋଜନ ।
କିଛି ଦିନ ପରେ ସୂର୍ପ ପୁତ୍ର ଜନ୍ମ ଦେଲା
ଜପାସୁର ନାମ ତାର ଆନନ୍ଦେ ରଖିଲା।
ପିତା ପରିଚୟ ଜପା ମାତାଙ୍କୁ ମାଗିଲା
ପିତାଙ୍କ ମୃତ୍ୟୁ କାରଣ ମାତାଠୁ ଶୁଣିଲା।
ଗୋଟି ଗୋଟି ପୁତ୍ର ଆଗେ ସବୁ ଦେଲାକହି
ଇନ୍ଦ୍ରଜିତ ଯୋଗୁଁ ଆମ ଦୁର୍ଦ୍ଦଶା ଯେ ଏହି।
ଇନ୍ଦ୍ରଜିତ ମୃତ୍ୟୁଭେଦ ପୁତ୍ରକୁ କହିଲା
ସେହିଦିନୁ ଜପାସୁର ତପ ଆରମ୍ଭିଲା ।
ଆହାର, ନିଦ୍ରା ବରଜି ବାରବର୍ଷ ପାଇଁ
ତପ ଆରମ୍ଭିଲା ଇନ୍ଦ୍ରଜିତ ବଧ ପାଇଁ ।
ପୁତ୍ର ଚାରିପାଖେ ସଦା ଛାଇ ପରି ରହି
ଇନ୍ଦ୍ରଜିତ ମୃତ୍ଯୁଦିନ ବସିଗଣୁଥାଇ।
ଦିନେ ଅରଣ୍ଯକୁ ପୁଷ୍ପତୋଳିବାକୁ ଗଲା
ଫେରିବାକୁ ତାର ଟିକେ ଉଛୁର ହୋଇଲା।
ବିଧିର ବିଧାନ ଥିଲା ଅତି ଯେ ଦାରୁଣ
ମୃଗୟା ନିମନ୍ତେ ପଞ୍ଚବଟୀରେ ଲକ୍ଷ୍ମଣ।
ଜପାସୁର କୁ ଭ୍ରମ ରେ ମୃଗ ଶିଶୁ ଭାଳି
ବିନ୍ଧିଲେ ନାରାଜ ଜପା ପଡିଲାକ ଟଳି।
ଲକ୍ଷ୍ମଣ ଙ୍କୁ ଜପାସୁର ଶପଥ କରାଇ
ଇନ୍ଦ୍ରଜିତ ମାରିବାକୁ କହିଲା ବୁଝାଇ।
ତେବେ ଯାଇ ଆତ୍ମା ତାର ଶାନ୍ତି ଯେ ପାଇବ
ସ୍ବର୍ଗରେ ଥାଇ ଦେଖିବ ପିତୃହନ୍ତା ଶବ।
କିଛି କ୍ଷଣ ପରେ ପୁଣି ସୂର୍ପଣଖା ଆସି
ମୁଣ୍ଡ ପିଟି କାନ୍ଦିଲା ସେ ପୁତ୍ର ମୃତ୍ଯୁ ଦେଖି।
ପଦଚିହ୍ନ ଅନ୍ବେଷଣ କଲା ସୂର୍ପଣଖା
ଅଦୂରେ ଦେଖିଲା ରାମ ଲକ୍ଷ୍ମଣ ଓ ସୀତା।
ସୁନ୍ଦରୀ ତରୁଣୀ ରୂପ ଧରି ବିରାଙ୍ଗନା
ଶ୍ରୀରାମ ଲକ୍ଷ୍ମଣେ କଲା ପ୍ରେମର ଯାଚନା।
ନିଷ୍ଫଳ ହୋଇ ସୀତାଙ୍କୁ କଲା ଆକ୍ରମଣ
ଲକ୍ଷ୍ମଣ କାଟିଲେ ତାର ବେନି ନାଶା କର୍ଣ୍ଣ।
ଖରା ଧୂସୂରା ତ୍ରିଶିରା ଭଗ୍ନୀ ଦୁଃଖ ଦେଖି
ରାମ ଲକ୍ଷ୍ମଣଙ୍କ ସହ ସମରେ ପ୍ରବେଶି।
ତିନିଜଣ ଯାକ ଯେବେ ହାରିଲେ ପରାଣ
ସୂର୍ପଣଖା ପହଞ୍ଚିଲା ରାବଣ ଭବନ।
ରାବଣ ଦେଖି ଭଗ୍ନୀ ର ଏପରି ଅବସ୍ଥା
ମାୟା କରି ହରିଲା ସେ ଜନକ ଦୁହିତା।
ମନେ ମନେ ସୂର୍ପଣଖା ଭାରି ଖୁସିହେଲା
ରାବଣ ନିଧନ ଦିନ ବସି ସେ ଗଣିଲା।
ତାଡକା ସୁବାହୁ ଥିଲେ ତାର ଆଈ, ମାମୁଁ ।
ତାଙ୍କ ନିଧନ ଏଯାଏ ପାଶୋରିନି ମନୁ।
ଜାଣିଲା ସେ ମହାବୀର ଶ୍ରୀରାମ ଲକ୍ଷ୍ମଣ
ନିଶ୍ଚିତ ଇନ୍ଦ୍ରଜିତ ଯେ ଲଭିବ ମରଣ।
ତାପରେ ମରିବ ନିଶ୍ଚେ ଗର୍ବୀ ଦଶାନନ
ପୁତ୍ର ପ୍ରେମେ ଅନ୍ଧ ହୋଇ ବୁଜୁଛି ନୟନ ।
ପୁତ୍ର କୁ କରିଲା ନାହିଁ କେବେ ସେ ଆକଟ
ସେଥିପାଇଁ ପତି ତାର ଛାଡିଲେ ତା ହାତ।
ଧ୍ବଂସ ପାଉ ଲଙ୍କା ପୁଣି ମରୁ ଇନ୍ଦ୍ରଜିତ
ସୂର୍ପଣଖା ନେବ ପୁଣି ନିଶ୍ଚେ ପ୍ରତିଶୋଧ।