STORYMIRROR

Geetanjali Prusty

Inspirational

4  

Geetanjali Prusty

Inspirational

ସୁପ୍ତ ତୁମେ କାହିଁ କୁହ

ସୁପ୍ତ ତୁମେ କାହିଁ କୁହ

1 min
267


କୋଟି ଭୁଭୁକ୍ଷୁର ଆର୍ତ୍ତ ଚିତ୍କାର

ଶୁଭୁନାହିଁ ଶୁଭୁ ନାହିଁ

ନିଘୋଡ଼ ନିଦ୍ରାରେ ରତ୍ନ ପଲଙ୍କରେ

କେମିତି ପାରୁଛ ଶୋଇ ll


ହା ଅନ୍ନରେ ଭୋକର ଭୂଗୋଳ

ବଦଳୁଛି ବାରମ୍ବାର

ପେଟ ପାଇଁ ନାଟ କି ଅବା ଚାଲିଛି

କରିବକି ସୁବିଚାର ll


ରାଜଗାଦୀ ପରେ ଚକା ମାଡ଼ି ତୁମେ

ବସିଛ ଏ ଜାତି ପାଇଁ

ଭୁଲିକି ଯାଉଛ ଜାତିର କଷଣ

ସୁପ୍ତ ତୁମେ କୁହ କାହିଁ ll


ଯେଉଁ ମତଦାନେ କ୍ଷୀପ୍ର ଗତିରେ

ନେତା ହୋଇ ଉଭା ହେଲ

ଆଗରେ ପଛରେ ଚାମଚା ଚାଲିଲେ

ସେମାନଙ୍କୁ ଭୁଲି ଗଲ ll


ନିରନ୍ନ ଜନତା ଦୂରେ ଥାଇ ଦେଖେ

ତୁମ ରାଜକୀୟ ଠାଣି

ଦୃଷ୍ଟି ପଟଳରେ ଫେରି ନଚାହିଁଲ

ଦେଇ ଥିଲ ଯେଉଁ ବାଣୀ ll


ଧୈର୍ଯ୍ୟ ନାହିଁ ଆଉ ଧୈର୍ଯ୍ୟ ନାହିଁ ଆଉ

ତୁମ ଅବିଚାର ସହି

ଶୋଷଣ କଷଣ ଯେତେ ପ୍ରବଞ୍ଚନା

ଅସୁଲ କରିବେ ସେହି ll


କେତେ ଦିନ ଆଉ ଅଙ୍ଗରକ୍ଷୀ ସାଥେ

କରିବ ରାଜ୍ୟ ବିହାର

ବିଦେଶ ବି ଯିବ କୋଟିଏ ଖର୍ଚ୍ଚରେ

ନିରୀହର ଉପହାର ll


ନିଃଶ୍ବ ଜନତା ନୟନ ଯୁଗଳେ

ନିରାଶାର ଯେଉଁ ବହ୍ନି

ଧ୍ବଂସ କରିବ ଅଚିରେ ତୁମକୁ

ଜାଳି ପ୍ରତିଶୋଧ ଅଗ୍ନି ll


ପାଇବନି ପଥ ଫେରିବାକୁ ଆଉ

ରୁଦ୍ଧ ଦ୍ୱାର ପ୍ରତିବନ୍ଧେ

ସବୁ ଅର୍ଗଳି ପୂରି ରହିଥିବ

ଜନତାର ପ୍ରତିଶୋଧେ ll


ବଡ଼ ହେବା ନିଶା ପରିତ୍ୟାଗ କର

ପତିତ ଜନର ପାଇଁ

ଯାହା ପାଇଁ ତୁମେ ଉର୍ଦ୍ଧ୍ୱେ ଉଠିଛ

ବିଜୟ ଝଣ୍ଡା ଉଡ଼ାଇ ll


ଚାହିଁ ଦିଅ ଥରେ ପ୍ରୀତି ମମତାରେ

କି ଦୁଃଖ କଷଣେ ବଢ଼ି

ସ୍ୱାସ୍ଥ୍ୟ, ଶିକ୍ଷା, ଖାଦ୍ୟ ନାହିଁ ନାହିଁରେ ସେ

କେମିତି ଯାଆନ୍ତି ସଢ଼ି ll


ମାନବିକତାର ମହାମନ୍ତ୍ରରେ

ଦୀକ୍ଷିତ ହୁଅ ଥରେ

ଭୁଲିଯିବ ସେହି ବଡ଼ଲୋକି ପଣ

ରାଜକୀୟ ବ୍ୟବସ୍ଥାରେ ll


କୋଳେଇ ନିଅରେ ନିଜ ଛାତି ପରେ

ମମତାକୁ କରି ପୁଞ୍ଜି

ଦେଖିବ କିଭଳି ସ୍ୱର୍ଗ ପାଲଟିବ

ସୁଖକୁ ପାରିବ ଭୁଞ୍ଜି ll


ସକଳ ପ୍ରାଣରେ ଦେବତା ଆସ୍ଥାନ

ତାଙ୍କୁ କର ତୁମେ ତୁଷ୍ଟ

ସେହି ଆଶୀର୍ବାଦେ ସଦମ୍ଭେ ଚଳିବ

ହେବ ନାହିଁ ପଥଭ୍ରଷ୍ଟ ll



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational