ସୁନାବେଶ
ସୁନାବେଶ
ରଥପରେ ସୁନାବେଶ ଟି
ଦେଖଗୋ ଚତୁର୍ଦ୍ଧା ମୂରତୀ
ମହଣ ମହଣ ସୁନାରେ
ବେଶ ହୋଇଛନ୍ତି ଠାକୁରେ
ପ୍ରବଳ ଗହଳି ଦାଣ୍ଡ ରେ
ଜୟ ଜଗନ୍ନାଥ ତୁଣ୍ଡ ରେ ।
ବରଷରେ ପାଞ୍ଚ ଥରଟି
ସୁନା ବେଶ ପ୍ରଭୁ ହୁଅନ୍ତି
ଦଶରା କାର୍ତ୍ତିକ ପୂର୍ଣ୍ଣିମା
ପୌଷ ଆଉ ଦୋଳ ପୂର୍ଣ୍ଣିମା
ରଥପରେ ଏଇ ଥରେଟି
ଆଖି ପରା ଲାଖି ରହେଟି।
ବାହୁଡ଼ା ରେ ରଥ ଫେରନ୍ତି
ତାପର ଦିନ ଏ ବେଶଟି
ବଡ ଏକାଦଶୀ ସେଦିନ
ଜ୍ୟୋତ୍ସ୍ନା ବିଧଉତ ଗଗନ
ଅଧାଗଢ଼ା ଦାରୁବ୍ରହ୍ମ ଟି
ପୂର୍ଣ୍ଣ ସ୍ବରୂପେ ଝଟକନ୍ତି ।
ରଥପରେ ସୁନା ବେଶ ଟି
ସମସ୍ତେ ଯେ ଦେଖି ପାରନ୍ତି
ସେଲାଗି ଗହଳୀ ପ୍ରବଳ
ଚାହିଁଥାନ୍ତି ଭକ୍ତ ବତ୍ସଳ
କୋଷ କୋଷ ଦୂରକୁ ସେହି
ଭକତ ଙ୍କ ଧାଡି ଲମ୍ଵଇ ।
ତାଳୁରୁ ତଳିପା ଯାଏଟି
ଜାତି ଜାତି ଅଳଙ୍କାର ଟି,
ଅପୂର୍ବ ଶୋଭା ବିମଣ୍ଡିତ
ଆଖି ରହିଯାଏ ଲାଖିତ
ଦାରୁବ୍ରହ୍ମ ପୂର୍ଣ୍ଣ ସ୍ବରୂପ
ଦୁଃଖ ହରା କାୟା କଳପ।
ଶ୍ରୀମନ୍ଦିରେ ଶିଳାଲେଖ ଟି
ସୁନାବେଶ କଥା ଲେଖାଟି
ଜୟବିଜୟ ଦ୍ଵାରେ ଅଛି
ଯହିଁରେ ତାହା ଲେଖା ଅଛି
କପିଳେନ୍ଦ୍ର ଙ୍କ ସମୟରେ
ଏ ସୁନା ବେଶ ରଥପରେ ।
ଇତିହାସ ଯାଏ ବଖାଣୀ
ବୀର ଓଡ଼ିଆ ଙ୍କ କାହାଣୀ
ରାଜା କପିଳେନ୍ଦ୍ର ଦେବଟି
ଗଙ୍ଗା ଠାରୁ ଗୋଦାବରୀ ଟି,
ରାଇଜକୁ ଜୟ କରିଲେ
ସୁନା ରୁପା ବୋହି ଆଣିଲେ ।
ଗଜପତି ସେହି ସୁନାକୁ
ଅରପିଲେ ମହାପ୍ରଭୁ ଙ୍କୁ
ସେଥିରେ ଚତୁର୍ଦ୍ଧା ମୂରତୀ
ସୁନାବେଶେ ସଜ ହୁଅନ୍ତି
ବୀର ଜାତି ବୀର ଗାଥା ଟି
ବଖାଣେ ଏ ସୁନା ବେଶଟି ।
ଶ୍ରୀମନ୍ଦିର ରତ୍ନଭଣ୍ଡାର
ରହିଛି ରତ୍ନ ଅଳଙ୍କାର
ସରିଲେ ମଧ୍ୟାହ୍ନ ଧୂପ ଟି
ବେଶ ଯେ ଆରମ୍ଭ ହୁଏଟି
ଅଳଙ୍କାର ଗଣା ଯାଏଟି
ଗୋଟିଗୋଟି ବୁହା ହୁଏଟି ।
ଶହେ ରୁ ଅଧିକ ପ୍ରକାର
ଲାଗି ହୁଅନ୍ତି ଅଳଙ୍କାର
ପାଳିଆ ଭଣ୍ଡାର ମେକାପ
ପାଳିଆ ଖୁଣ୍ଟିଆ ସେବକ,
ଅଳଙ୍କାର ସବୁ ଗଣନ୍ତି
ରଥ ଉପରକୁ ଆଣନ୍ତି।
ଭିତିରଚ୍ଛ ମହାପାତ୍ର ଯେ
ଚଢି ନନ୍ଦିଘୋଷ ରଥଯେ
ମନେ ଭରି ଭାବ ଭକତି
ଶ୍ରୀଜଗନ୍ନାଥ ଙ୍କ ବାଡେଟି
ପ୍ରଭୁଙ୍କୁ ସେ ବେଶ କରନ୍ତି
ଅଳଙ୍କାର ମାନ ଖଞ୍ଜିଟି ।
ତିଳଛ୍ଛ ମହାପାତ୍ର ସେତ
ଚଢିଣ ତାଳଧ୍ଵଜ ରଥ,
ବଳଭଦ୍ର ବଡ ଠାକୁର
ବେଶ କରିଥାନ୍ତି ତାଙ୍କର
ସୁଭଦ୍ରା ଙ୍କ ବେଶ କରନ୍ତି
ପୁଷ୍ପାଳକ ମାନେ ମିଶିଟି।
କାଳିଆ ବଳିଆ ଭାଇତ
ମଥାରେ ଶୋଭିତ କିରୀଟ
ସୂର୍ଯ୍ୟ ଚନ୍ଦ୍ର କର୍ଣ୍ଣେ କୁଣ୍ଡଳ
ତିଳକ ଶୋଭଇ କପାଳ
ଓଢିଆଣୀ ଆଡକାନୀଟି
କଟୀପରେ କମର ପଟି।
ଘାଗଡା କଦମ୍ବ ସେବତୀ
ବହାଡା ତାବିଜ ମାଳିଟି,
ଗଳାରେ ମାଳି ଜାତି ଜାତି
ଜାନୁ ପର୍ଯ୍ୟନ୍ତ ଲମ୍ବିଥାନ୍ତି
ଝୋବାକଣ୍ଠି ଯେ ତ୍ରିଖଣ୍ଡିକା
ଶୋଭନ୍ତି ଚନ୍ଦ୍ରିକା ଅଳକା ।
ଶ୍ରୀଭୁଜ ଶ୍ରୀପୟର ସେତ
ଖଞ୍ଜା ହେବାରୁ ଦାରୁଭୂତ
ପୂର୍ଣ୍ଣ ବ୍ରହ୍ମ ପ୍ରକାଶ ହୋଇ
ଭକ୍ତ ମନ ନିଅନ୍ତି ମୋହି
ପାଦ ପାଣି ମନକୁ ଜିଣି
ଦୟା ବାରି ଯାଆନ୍ତି ବୁଣି ।
ଶ୍ରୀଜଗନ୍ନାଥ ଙ୍କ ହସ୍ତରେ
ଶୋଭନ୍ତି ଶଙ୍ଖ ଚକ୍ର କରେ
ସୁବର୍ଣ୍ଣମୟ ଶରୀରରେ
ଶଙ୍ଖ ଟି କେବଳ ରୁପାରେ
ହଳ ମୁଷଳ ହଳପାଣି
ବଳଭଦ୍ରଙ୍କ ଦିବ୍ୟ ଠାଣି।
ସୁଭଦ୍ରା ଙ୍କ ମଥା ଶୋଭିତ
କାରୁକାର୍ଯ୍ୟ ଭରା କିରୀଟ
ସୂର୍ଯ୍ୟ ଚନ୍ଦ୍ର କର୍ଣ୍ଣ କୁଣ୍ଡଳ
ଗଳାରେ ତ ଘାଗଡା ମାଳ
କଦମ୍ବ ଓ ସେବତୀ ମାଳି
ଓଢିଆଣୀ ରୂପରେ ବଳି ।
ଏମିତି ଯେ ଭାଇ ଭଉଣୀ
ହୁଅନ୍ତି ସୁବର୍ଣ୍ଣ ଛାଉଣୀ
ରାଜାଧିରାଜ ବେଶ ଏହି
ସବୁରି ମନ ନିଏ ମୋହି
ଭକ୍ତ ବତ୍ସଳ ଭାବଗ୍ରାହୀ
ଭକତ ପାଇଁ ଲିଳା ଏହି ।
ବର୍ଷକେ ଥରେ ଏହି ଯୋଗ
ଦର୍ଶନ ମିଳେ, ଥିଲେ ଭାଗ୍ୟ
ରଥ ଉପରେ ସୁନାବେଶ
ମନରେ ଭରଇ ସନ୍ତୋଷ
ଅପୂର୍ବ ସେହି ଦରଶନ
ଜୀବନ ହୋଇଥାଏ ଧନ୍ୟ।
ଧାଡ଼ିରେ ଭକତେ ଆସନ୍ତି
ଉର୍ଦ୍ଧ ବାହୁ ହୋଇ ନାଚନ୍ତି
ପ୍ରଭୁଙ୍କୁ ଦର୍ଶନ କରନ୍ତି
ସୁବର୍ଣ୍ଣ ବେଶ ଦେଖିଥାନ୍ତି
ଜୟଜୟ ଶ୍ରୀଜଗନ୍ନାଥ
କହି କରନ୍ତି ପ୍ରଣିପାତ।
ଜୟ ହେ ପ୍ରଭୁ ଚକାଡୋଳା
ତୁମ୍ଭର ଏହି ଦିବ୍ୟ ଲୀଳା
ତୁମକୁ ଧ୍ଯାଇ ବଖାଣିଲି
ଯାହା ମୁଁ ନେତ୍ରେ ଦେଖିଥିଲି
ଶେଷରେ କରେ ମୁଁ ମିନତି
କ୍ଷମିବ ମୋର ଦୋଷ ତୃଟି ।
