ସୁନା ଭଉଣୀର ସୁନେଲି ରାକ୍ଷୀ
ସୁନା ଭଉଣୀର ସୁନେଲି ରାକ୍ଷୀ
ଜଗତେ ମଣିଷ ଜନମ ନେଇ
ସଂପର୍କ ଡ଼ୋରିରେ ବାନ୍ଧି ହୁଅଇ,
ଶରଧା ସେନେହ ଅଜାଡ଼ି ଦେଇ
ହସରେ ଲୁହରେ ଦିନ କାଟଇ।
ପରିବାର ମଧ୍ୟେ ଭାଇ ଭଉଣୀ
ମାଆ ବାପାଙ୍କର ପରଶମଣି,
ତାଙ୍କ ଆଶା ଇଚ୍ଛା ମନକୁ ଜାଣି
ହସ ଖୁସି ଯେତେ ଦିଅନ୍ତି ଆଣି।
ବଢ଼ିଥାନ୍ତି ଦୁହେଁ ଏକାଠି ଖେଳି
କରିଥାନ୍ତି କେତେ ଅଳି ଅର୍ଦ୍ଦଳି,
ବିପଦେ ଆପଦେ ଉଭୟେ ମିଳି
ପରସ୍ପରର ହୁଅନ୍ତି ସଙ୍ଖାଳି।
ଭାଇ ପାଇଁ କରେ ଭଉଣୀ ଆହା
ଭଉଣୀ ଲାଗି ଭାଇ ହୁଏ ସାହା,
ଖୋଜନ୍ତି ସେମାନେ ଯେତେକ ଯାହା
ଜଣେ ଆଣିଦିଏ ଜଣକୁ ତାହା।
ଭାଇ ଭଉଣୀଏ ଗୋଟିଏ ମନ
ନେଇ ରହିଥାନ୍ତି ସାରା ଜୀବନ,
ନୀତି ଆଦର୍ଶକୁ କରି ପାଳନ
ରଖିଥାନ୍ତି ପରିବାରର ମାନ।
ଓଡ଼ିଆ ସଂସ୍କୃତି କେଡ଼େ ମହାନ
ତାକୁ ନେଇ ହୁଏ ପୂଜା ପାର୍ବଣ,
ଭାବ ଭକ୍ତିର ଏ ଅତୁଟ ବନ୍ଧନ
ସୁଖ ଶାନ୍ତି ଲାଗି ଦିଏ ଆହ୍ଵାନ।
ବରଷକୁ ଆସେ ରାକ୍ଷୀ ପୁନେଇଁ
ଯା' ଲାଗି ଭଉଣୀ ଥାଏ ଅନାଇଁ,
ଦିଅଁ ଦେବତାର ଚରଣ ଛୁଇଁ
ଶୁଭ ମନାସଇ ଭାଇର ପାଇଁ।
ଭାଇର ଶରଧା ହୃଦୟେ ରଖି
ପଥ ଚାଲୁଥାଏ ଆଗକୁ ଦେଖି,
ସୁନା ଭଉଣୀର ସୁନେଲି ରାକ୍ଷୀ
ପବିତ୍ର ବନ୍ଧନ ଅମ୍ଳାନ ସାକ୍ଷୀ।
ବାନ୍ଧିଦେଇ ରାକ୍ଷୀ ଭାଇର ହାତେ
ଭଉଣୀ ମାଗଇ ଶରଧା ଯେତେ,
ଭାଇ ଉପହାର ଦିଏ ତା' ମତେ
ଦୁହେଁ ରହିଥାନ୍ତି ଦୁହିଁଙ୍କ ହିତେ।
ଜାତିର ଆରାଧ୍ୟ ଦେବୀ ଦେବତା
ଭଉଣୀ ସୁଭଦ୍ରା ଜଗା ବଳିଆ,
ରାକ୍ଷୀ ବନ୍ଧନର ପ୍ରେରଣ ଦାତା
ଆଶୀର୍ବାଦ ଦେଇ ହୁଅନ୍ତି ସାହା।
ରାକ୍ଷୀ ସୁରକ୍ଷାର ଅଟେ ପ୍ରତୀକ
ଭାଇ ଭଉଣୀଙ୍କ ଦିଗଦର୍ଶକ,
ଅତୁଟ ପବିତ୍ର ତାଙ୍କ ସଂପର୍କ
ସୁଖେ ରଖେ ତାଙ୍କୁ ଜୀବନ ଯାକ।
