ସୁଖୀ ରହିବା ପାଇଁ
ସୁଖୀ ରହିବା ପାଇଁ
ସୁଖୀ ରହିବାକୁ, ଚାହୁଁଥିଲେ ବନ୍ଧୁ,
ଆଦରିବା କିଛି ମନ୍ତ୍ର ।
ଯେଉଁ ମନ୍ତ୍ର ବନ୍ଧୁ, ନିରାଟ ସତ୍ୟ ଯେ,
ସାଧନା ରୂପକ ତନ୍ତ୍ର ।।
ସମ୍ପର୍କ ରଖିବା, ମନ ମିଶୁଥିଲେ,
ଭାଙ୍ଗେ ନା ସମ୍ପର୍କ କଦା ।
ମନ ଭାଙ୍ଗି ଗଲେ, ଦୁଃଖ ଆସିଯାଏ,
ଜଳେ ଜୀବନ ସର୍ବଦା ।।
ସ୍ଥାନ ବନାଇବା, ଇଜ୍ଜତ ପାଇବା,
ଝୁରୁଥିବେ ସର୍ବ ଜନ ।
ଇଜ୍ଜତ ନଥିଲେ, କ୍ଷୁବ୍ଧ ହୁଏ ମନ,
ଲୋଡ଼ା ନାହିଁ ସେ ଆସନ ।।
ଶୃତିର ଆକାଂକ୍ଷା, ନାହିଁ ଯାହାଠାରେ,
ବୁଝାଇ କି ଲାଭ ହୁଏ ।
ବୃଥା ଆଶ୍ଫାଳନ, ଦୃଢ଼ ପ୍ରବଚନ,
ଦୁଃଖ ହିଁ ନିଜକୁ ଦିଏ ।।
ଯେଉଁ ଦ୍ରବ୍ୟ ପାକ, ନହୁଏ ହଜମ,
ଭୋଜନେ କି ପ୍ରୟୋଜନ ।
ଉଦରେ ଯନ୍ତ୍ରଣା, ଦୁଃଖ କଷ୍ଟ ପୀଡା,
ରୋଗରେ ବିତେ ଜୀବନ ।।
ସତ୍ୟର ହଜମ, ହୁଏ ନାହିଁ ଜାର,
ସତ୍ୟରେ ଆସଇ କୋପ ।
ତୁଛା ହେବ ନିଜ, ମାନ ଓ ସମ୍ମାନ,
ବୁଝାଇଲେ ଭୀମ ରୂପ ।।
ଦୁଃଖ ତ ଆସିବ, ନ ଡରିବା କେବେ,
ଦୁଃଖ ସୁଖ ଆମ ପାଇଁ ।
ନ ଡରି ଦୁଃଖକୁ, କରିବା ସାମନା,
ସୁଖ ରହିଥିବ ଚାଇଁ ।।
ମୌସମ ରୂପରେ, ଯିଏ ବଦଳଇ,
ବଦଳାଏ ନିଜ ସାଥି ।
ଲୋଡ଼ା ନାହିଁ ସିଏ, ଜୀବନ ପଥରେ,
ଦୁଃଖ ଦିଆ ସେଇ ପ୍ରୀତି ।।
ପିତା ମାତା ଗୁରୁ, ଆଉ ଗୁରୁଜନ,
ଥାଉ ତାଙ୍କରି ଆଶିଷ ।
ଦୁଃଖ ହୁଏ ଦୂର, ନିରୋଗ ଶରୀର,
ମିଳଇ ଜୀବନେ ଯଶ ।।