ସୁଖୀ ଜୀବନର ରହସ୍ୟ
ସୁଖୀ ଜୀବନର ରହସ୍ୟ
ଶବ୍ଦରୁ ସୃଜନ-19. ରହସ୍ୟ :
ସୁଖୀ ଜୀବନର ରହସ୍ୟ ହେଉଛି ଯେଉଁଠି ରହିବା ଯେବେ,
ଆଦରି ନେବା ସେ ଜାଗା ଜିନିଷକୁ ଡରିଯିବା ନାହିଁ କେବେ ।
ସବୁଠାରୁ ଭଲ ଅନୁବାଦକ ଯେ ପଶୁଭାଷା ବୁଝିପାରେ,
ମୁକ ମଣିଷର ମନର କଥାକୁ ଲେଖିପାରେ ପଢ଼ିପାରେ ।
ସବୁଠାରୁ ବଡ଼ ଚିକିତ୍ସକ ସେହି ମୁକଙ୍କୁ ଚିକିତ୍ସା କରେ,
ସବୁଠାରୁ ଭଲ ଶିକ୍ଷକ ଜନନୀ ଶିଶୁମନ ପଢ଼ିପାରେ ।
ଆଶା ବିଶ୍ଵାସକୁ ହରାଇବା ନାହିଁ ଆଉ ସବୁଗଲେ ଯାଉ,
ଆସନ୍ତା କାଲିକୁ ଫେରିବ ସେ ଚିଜ ଏତିକି ଭରସା ଥାଉ ।
ଆମର ସୁରକ୍ଷା-ଖାଦ୍ୟ ଚିନ୍ତାକରି ଯୋଜନା କରନ୍ତି ଯିଏ,
ଆମଠୁ ଆଗରୁ ଅତି ସଚେତନ ପରମ ପିତା ହିଁ ସିଏ ।
ପ୍ରତିଦିନ କିଛି ଭଲ ଜିନିଷକୁ ଖୋଜି
ଦେଖି ଖୁସିହେବା,
ଭଲକାମ କରୁଥିବା ମଣିଷକୁ ଉତ୍ସାହିତ କରୁଥିବା ।
ସବୁଠାରୁ ବଳି ଶକ୍ତିଶାଳୀ ଅସ୍ତ୍ର ହେଉଛି ଆତ୍ମ-ବିଶ୍ୱାସ,
ନିଜସ୍ୱ ବିଶ୍ୱାସ ଦୃଢ଼ ହୋଇଗଲେ ବିପଦେ ଲାଗିବ ହସ ।
ଯେଉଁ ଘଟଣାଟି ଦୁଃଖ ଦେଇଥିଲା ତାକୁ ଶୀଘ୍ର ଭୁଲିଯିବା,
ଯେଉଁ ଘଟଣାଟି ସୁଖଦାୟୀ ତାକୁ ସ୍ମୃତି କରି ରଖିଦେବା ।
ମଣିଷର ପାଇଁ ଆନନ୍ଦ ଅମୃତ କ୍ରୋଧ ହୋଇଥାଏ ବିଷ,
ସମ୍ପର୍କ ଗଢ଼ିବା ପାଇଁ ମହୋଷଧି ରସାୟନ ମିଠାହସ ।
ଅହଂକାର ଏକ ବନ୍ଧୁକର ଗୁଳି ଦିଆସିଲି କାଠି ଈର୍ଷା,
ସ୍ନେହ ଶ୍ରଦ୍ଧା ପ୍ରେମ ବାଦଲ ସମାନ ଅନ୍ୟପାଇଁ କରେ ବର୍ଷା ।
ଜିଦଛୁରୀଟିଏ ସଂପର୍କକୁ କାଟେ ସ୍ୱାର୍ଥକହେ ଏକାମୁହିଁ,
ତ୍ୟାଗ ନଦୀଟିଏ ଦେଇ ଚାଲିଥାଏ କାହାକୁ କିଛି ନ କହି ।