STORYMIRROR

Lokanath Rath

Classics Inspirational Others

3  

Lokanath Rath

Classics Inspirational Others

ସତ୍ୟ

ସତ୍ୟ

2 mins
187


ମିଛ ମାୟା ଭରା ଏ ସଂସାର କେବେ ଓଠରେ ଭରିଦିଏ ହସ, 

ସୁଖର ସମୟ ମରୀଚିକା ସମ ଲାଗେ ଖୁସି ପିଅଇ ବିଷ ।


ଜୀବନ ଯାତ୍ରା ଅଟେ ବଡ଼ କଷ୍ଟ, ରାସ୍ତା ହୁଏ ନାହିଁ କେବେ ଶେଷ, 

ବଞ୍ଚିବାର ଆଶା ବାଟ କଢାଏ, ଅନ୍ତ ହୁଏ ପାଇ ମୃତ୍ୟୁ ପରସ ।


ଜନ୍ମ ନେଲେ ଏଠି ମୃତ୍ୟୁ ନିଶ୍ଚୟ, ଜାଣି ମଣିଷ ହୁଏ ଅଜଣା, 

ସେଥିପାଇଁ ବାଟ ଭୁଲି ଅବାଟରେ ଯାଏ, ଭୁଲିଯାଏ ଠିକଣା ।


ବେଳେ ବେଳେ ଅଜ୍ଞାନୀ ତ ପ୍ରଶ୍ନ କରେ ଧର୍ମ ଓ ଅଧର୍ମ କୁ ନେଇ, 

ଅହଙ୍କାରୀ ସ୍ୱାର୍ଥ ଲାଗି ଛଳନା କରି ଦିଏ ସତ୍ୟକୁ ଲୁଚାଇ ।


ଧର୍ମ ର ମାର୍ଗ ଅଟେ କଠିନ, କିନ୍ତୁ ସେ ଅଟେ ସତ୍ୟର ଆଧାର, 

କଣ୍ଟକିତ ସେହି ପଥେ ଚାଲି ଜୀବନ ହୁଏ ସାର୍ଥକ ସୁନ୍ଦର ।


ଅସତ୍ୟ ଓ ଅଧର୍ମ ମରୀଚିକା ସମ ଲାଗଇ ବଡ଼ ମଧୁର, 

ଦିଅଇ ସେ ସବୁ ଦୁଃଖ ଯାତନା ଜୀବନେ ହୋଇ ବଡ଼ ନିଷ୍ଠୁର ।


ଯେତେ ଯିଏ ଯେବେ ରଖିଛି ଅବା ରଖିବ ବି ସତ୍ୟକୁ ଲୁଚାଇ, 

କିନ୍ତୁ ସତ୍ୟ ସଦା ସୂର୍ଯ୍ୟ ର କିରଣ ସମ ପ୍ରକଟିତ ହୁଅଇ ।


ସତ୍ୟ ଅଟେ ମନୁଷ୍ୟ ମାୟାଜାଲେ ପଡି ହସେ ବଞ୍ଚିବା ଆଶାରେ, 

ଭୁଲେ ସେ ମୃତ୍ୟୁ ତ ସତ୍ୟ, ଅନ୍ୟକୁ ଦୁଃଖ ଦିଏ ଅବର୍ତ୍ତମାନରେ ।


ସତ୍ୟ ସେ ତ ଶିବ, ସେ ସୁନ୍ଦର, ସେ ତ ଅଟେ ଈଶ୍ୱର ନିରାକାର, 

ଦେଖେ ନାହିଁ, ବୁଝେ ନାହିଁ ସେ ସମ୍ପର୍କ, ଅଟେ ଦର୍ଶନ ଜୀବନର ।


ସତ୍ୟ ଥାଏ ଅସତ୍ୟ ମଧ୍ୟରେ, ସେ ତ ପରା ଅଟେ ସଦା ଅମର,

ଆତ୍ମ ତୃପ୍ତି ସଙ୍ଗେ ମଧ୍ୟ ପ୍ରାପ୍ତ କରାଏ ସାନ୍ନିଧ୍ୟ ଇଶ୍ଵରଙ୍କର ।


ସତ୍ୟର ଅନ୍ୱେଷଣ କରି କେତେ କେତେ ମହାନ ମନିଷୀଗଣ, 

ମାନବ ସମାଜ କୁ ସଦା ଦେଇଛନ୍ତି ତ କେତେ ଉଦାହରଣ ।


ସେଥିଲାଗି ଦେଇଛନ୍ତି ସେମାନେ ନିଜ ସୁଖର ବି ଜଳାଞ୍ଜଳି, 

ଅଧର୍ମ ଓ ଅଜ୍ଞାନ ର ମାର୍ଗରୁ ଏ ସମାଜ ଉଦ୍ଧରିବ ବୋଲି ।


ପାଇଛନ୍ତି ଅନେକ ଲାଞ୍ଚନା ଭେଟି ସେ ଅସତ୍ୟର ପ୍ରକୋପ କୁ, 

ତଥାପି ଧର୍ମ କୁ ଆଦରି ଅଗ୍ରସର ହୋଇ ପାଇଲେ ସତ୍ୟକୁ ।


ଶରୀର ନିର୍ବଳ ହେଲେ ବି, ଯଦି ସତ୍ୟ ଥାଏ ନିଜ ଅସ୍ତ୍ର ହୋଇ, 

ବଳବାନ ପରାଜିତ ହୁଏ ଅଧର୍ମ, ଅସତ୍ୟର ବଶ ହୋଇ ।


ଆଜି ଏହି ଦୁନିଆ ତ ଲାଗେ ଭୁଲିଛି ଅତୀତର ଐତିହ୍ୟକୁ, 

ଅସତ୍ୟର ମାୟାଜାଲେ ଛନ୍ଦିହୋଇ ବରିଛି ସେ ତ ଅଧର୍ମକୁ ।


ଅସତ୍ୟ କୁ ଆବୋରି ଆଜି କରନ୍ତି ସମାଜେ କେତେ କେତେ ପାପ, 

ନାରୀ ଚିରହରଣ କରି ଲଗାନ୍ତି ସମାଜେ କଳଙ୍କର ଛାପ ।


ଆଉ କିଛି କରନ୍ତି ଆତ୍ମାର ଉତ୍ପୀଡ଼ନ ମିଥ୍ୟାର ସାଥୀ ହୋଇ, 

ସେ କୁକର୍ମ ଅଧର୍ମକୁ ଦେଖି ଆଜି ଲଜ୍ଜ୍ୟାରେ ମଥା ଯାଏ ନଇଁ ।


ଆଜି ଏ ଦୁନିୟାରେ ତ ନେତାଏ ଦିଅନ୍ତି ଅନେକ ପ୍ରତିଶୃତି, 

ନିଜ ସ୍ୱାର୍ଥ ହାସଲ ପାଇଁ ସମୟକ୍ରମେ ସେସବୁକୁ ଭୁଲନ୍ତି ।


ଆଜି ଖୋଜିବାକୁ ହୁଏ ନ୍ୟାୟ କୁ ଦୁନିୟାରେ ଅଣ୍ଡାଳି ଅଣ୍ଡାଳି, 

ସତ୍ୟକୁ ଭୁଲି, ମିଥ୍ୟାର ପ୍ରକୋପେ ଦେଖ ଧର୍ମକୁ ଦିଅନ୍ତି ବଳି ।


ଏବେବି ସମୟ ଅଛି, ଏ ଦୁନିଆରେ ହେବ ଧର୍ମର ପ୍ରତିଷ୍ଠା, 

ଯଦି ସ୍ୱାର୍ଥ ଓ ଅହଂ କୁ ଭୁଲି ସର୍ବେ ରଖିବେ ସତ୍ୟ ପ୍ରତି ନିଷ୍ଠା ।



Rate this content
Log in

Similar oriya poem from Classics