STORYMIRROR

Gangadhar Meher

Classics

3  

Gangadhar Meher

Classics

ତପସ୍ଵିନୀ - ସପ୍ତମ ସର୍ଗ

ତପସ୍ଵିନୀ - ସପ୍ତମ ସର୍ଗ

9 mins
480


[ ରାଗ: କଳହଂସ କେଦାର ]

ବୋଇଲେ ସତୀ, "ସଖି, ମୋ' ଦୁର୍ବିପାକ

ଘଟାଇ ଅଛି ଏକା ମୋ ଦୁଃଖଯାକ;

ମୋ କର୍ମ ପାଇଁ ଦୋଷୀ ନୁହନ୍ତି ବିଧି

କାନ୍ତ ତ ସ୍ୱଭାବେ ମୋ କରୁଣାନିଧି ଗୋ ! ୧ |

କାନ୍ତ ବିଚ୍ଛେଦେ ରହିପାରେ ଜୀବନ,

ଏମନ୍ତ କ୍ଷଣେ ଭାବି ନ ଥିଲା ମନ;

ସହିଲି ସହି, ଘୋର ଦୁଃସହ ଦୁଃଖ,

ଦେଖିବି ବୋଲି ଏକା ସ୍ୱମୀ-ଶ୍ରୀମୁଖ ଗୋ ! ୨ |

ସେକାଳେ ଆଶା ମୋର କର୍ଣ୍ଣକୁହରେ

ଆଶ୍ୱାସ ମନ୍ତ୍ର ଦେଇ ମୁମୂର୍ଷା ହରେ,

ଏବେ ସେ ଆଶା ନିଜେ ଯାଇଛି ମରି;

ଦଗ୍ଧ ହେଉଛି ପ୍ରାଣ ତାହାକୁ ସ୍ମରି ଗୋ !" ୩ |

ସଖୀ ବୋଇଲେ; 'ସଖି', ବୁଝିଲି ନାହିଁ,

କେମନ୍ତେ ଥିଲା ଆଶା ମଲା କିପାଇଁ ?

ତୋ ପରି ସାଧ୍ୱୀ ପାଇ ଦାରୁଣ ବ୍ୟଥା,

ନ ନିନ୍ଦୁ ବିଧୁ, ଏତ ବିଚିତ୍ର କଥା ଗୋ !" ୪ |

ବୋଇଲେ ସତୀ, "ମୋର ଦୁଃଖ-କାହାଣୀ

ଶୁଣି ସଜନି, ସବୁ ପାରିବୁ ଜାଣି,

ଯେମନ୍ତେ ଆମନ୍ତ୍ରିଲି ଘୋର କଷଣ,

ଯେମନ୍ତେ ଆଶାର ମୋ ହେଲା ମରଣ ଗୋ ! ୫ |

ପଞ୍ଚବଟୀରେ ଦିନେ କୁଟୀର ପାଶେ

ଖେଳିଲା ସ୍ୱର୍ଣ୍ଣମୃଗ ଏକ ଉଲ୍ଲାସେ,

ଚିକ୍କଣ ଲଭି-ରବି-କିରଣ ସଙ୍ଗ ଗୋ ! ୬ |

ହେମାଙ୍ଗେ ଚିତ୍ରବିନ୍ଦୁ ଚୟର କାନ୍ତି

ନେତ୍ରେ ଆଣିଲା ମୋର ରତନଭ୍ରାନ୍ତି,

ସେ ଜାତି ମୃଗ ଦେଖି ନ ଥିଲି ଦିନେ

ନଗରେ, ରାଜପୁରେ ଅବା ବିପିନେ ଗୋ ! ୭ |

ଭାବିଲି, ବାହୁଡ଼ିବି ଯେବେ ନଗରେ

ସୁଚାରୁ ମୃଗଟିକି ନେବି ସଙ୍ଗରେ,

ଚକିତ କରାଇବି ପୂରବାସୀଙ୍କି

ତା ସଙ୍ଗେ ବର୍ଣ୍ଣି ବନଶୋଭାରାଶିକି ଗୋ ! ୮ |

ଆହାର ଦେଖାଇଲି ଧରିବା ଆଶେ

ଚମକି ମୃଗବର ପାଶେ ନ ଆଶେ,

ମନ ଲୋଭଇ ମୋର ନେତ୍ର ରଞ୍ଜାଇ

ପଶିଲା ବାରମ୍ବାର ବିପିନେ ଯାଇ ଗୋ ! ୯ |

ତା' ପାଇଁ ବ୍ୟସ୍ତ ହେବା ଦେଖି ମୋ ମନ

କାନ୍ତ ବୋଇଲେ ସ୍ନେହବହି ବହନ,

'ସୁନ୍ଦର ମୃଗଟିକୁ ଆଣି ମୁଁ ତୂର୍ଣ୍ଣ

ସଖି, ତୋ କୁତୂହଳ କରିବି ପୂର୍ଣ୍ଣ ଗୋ ! ୧୦ |

ଧନୁ ଆଶୁଗ ଧରି ଆଶୁ ଗମନେ

ଚଳିଲେ କାନ୍ତ ତାର ଅନୁଧାବନେ,

ମୃଗାନୁସାରୀ କାନ୍ତ ଅତି ସତ୍ୱର

ଦୃଷ୍ଟି-ସୀମାରୁ ମୋର ହେଲେ ଅନ୍ତର ଗୋ ! ୧୧ |

ଶୁଭିଲା ବନ ମଧ୍ୟେ "ରଖ ଲକ୍ଷ୍ମଣ"

ସେ ଡାକେ ବିଚଳିତ ହେଲା ମୋ ମନ,

ମନ ସହିତ ତହିଁ ଦେଲି ଶ୍ରବଣ |

ପୁଣି ଉଠିଲା ରବ 'ରଖ ଲକ୍ଷ୍ମଣ' ଗୋ ! ୧୨ |

ଲକ୍ଷ୍ମଣ ବୀର ଥିଲେ ମୋର ନିକଟ

ବୋଇଲି, 'ଦେଖ ବତ୍ସ, ହେଲା ସଙ୍କଟ |'

ବୋଇଲେ କରିବାକୁ ମୋ ମନ ଥୟ,

'ରାଘବୀ ଭାଷା ନୁହେଁ ନ କର ଭୟ ଗୋ !' ୧୩ |

ବୀର ସ୍ୱଭାବ ସଖି, ବୁଝନ୍ତି ବୀର,

ଦେଖିଲି ଲକ୍ଷ୍ମଣଙ୍କୁ ଧୀର ଗମ୍ଭୀର |

ନାରୀ-ହୃଦୟ ସତେ ଅତି ଦୁର୍ବଳ;

ଅଧିକ ହେଲି ତାଙ୍କ ବାକ୍ୟେ ବିକଳ ଗୋ ! ୧୪ |

ବିନୟ ପରେ କରି କଟୁ ଭାଷଣ

ସ୍ୱାମୀ ସମୀପେ ତାଙ୍କୁ କଲି ପ୍ରେଷଣ,

ମୋ ସୁଖ-ସଉଭାଗ୍ୟ ସମ୍ପଦରାଶି

ଗଲେ ଲକ୍ଷ୍ମଣ ଗତି-ସ୍ରୋତରେ ଭାସି ଗୋ ! ୧୫ |

ବିପଦ ହୋଇ ଏଣେ ବିଗ୍ରହଧାରୀ

ଯୋଗୀନ୍ଦ୍ର ବେଶେ ଦ୍ୱାରେ ହେଲା ଭିଖାରୀ,

ସ୍ୱାମୀ ଆସିବା ଯାଏ ନ ଟାକି ମନ୍ଦ

ଭିକ୍ଷା ନିମନ୍ତେ କଲା ଘୋର ନିର୍ବନ୍ଧ ଗୋ ! ୧୬ |

ଭିକ୍ଷା ଦିଅନ୍ତେ ବଳେ ଧରି ମୋ କର

ବିମାନେ ବସାଇଲା ନେଇ ସତ୍ୱର,

କଲି ବିନୟ କେତେ, କେତେ ତର୍ଜ୍ଜନ

ନ କଲା କର୍ଣ୍ଣପାତ ତହିଁ ଦୁର୍ଜନ ଗୋ ! ୧୭ |

ଜାଣିଲି ବେଶ ନୁହେ ଗୁଣର ଚିହ୍ନ

ବାହାରେ ସାଧୁବେଶ, ଭିତରେ ଭିନ୍ନ,

ମଣନ୍ତି ଲୋକେ ସର୍ବଶୁଭଦ ଧର୍ମ;

କେ ଜାଣେ ଧର୍ମ ନାମ ବହଇ ଯମ ଗୋ ! ୧୮ |

ଦକ୍ଷିଣ-ମୁଖେ ଖଳ ବାହିଲା ରଥ

କମ୍ପାଇ ଘନ ଘୋଷେ ଗଗନପଥ;

କାନ୍ଦିଲି ଯେତେ ଯେତେ ଉଚ୍ଚ ଆରବେ,

ବିଲୀନ ହେଲା ରଥ-ଘୋଷ-ଗରଭେ ଗୋ ! ୧୯ |

ଦେଖିଲି ତଳେ ବନ ମୟୂରଗଣ

ଅନାଇ ମୋତେ କରୁଥିଲେ ରୋଦନ;

ହରିଣ ଯୂଥ ଯୂଥ ଊର୍ଦ୍ଧ୍ୱ ନୟନେ

ଚକିତ ଦୃଷ୍ଟି ଦେଇଥାନ୍ତି ସ୍ୟନ୍ଦନେ ଗୋ ! ୨୦ |

ପକ୍ଷୀଏ ପଥ ରୋଧି କଲା ସମର

ତା' ପକ୍ଷ ପକାଇଲା ଛେଦି ପାମର;

ପବନ ପ୍ରତିକୂଳ ହୋଇ ଗତିକି

ନିବାରି ନ ପାରିଲା ମନ୍ଦମତିକି ଗୋ ! ୨୧ |

ପଥ ପର୍ବତଶ୍ରେଣୀ ମସ୍ତକ ଟେକି

ପାରିଲେ ନାହିଁ ବ୍ୟୋମ-ବିମାନ ଛେକି,

ମହୀବାସୀଙ୍କି ବାର୍ତ୍ତା ଦେବାର ପାଇଁ

ଦୀନ ନୟନେ ଥାଏଁ ତଳକୁ ଚାହିଁ ଗୋ ! ୨୨ |

ରଥ-ଶବଦେ ଭାଷା ହେବ ବିଫଳ

ଜାଣି ପକାଇଦେଲି ଭୁଷା ସକଳ;

ଦେଖିଲି ନଦୀମାନେ ହୋଇ ବିକଳ

ଶୀର୍ଣ୍ଣ ଶରୀରେ ଯେହ୍ନେ ହେଲେ ବିଶ୍ଚଳ ଗୋ ! ୨୩ |

ତନୁ ସଂକୋଚି ତୁଙ୍ଗ ପାଦପଚୟ

ଭିଡ଼ିଲେ ପରସ୍ପରେ ଲଭି ତା' ଭୟ,

ଅବନୀ କ୍ରମେ ହୋଇଗଲା ନୀରବ;

ଲୁଚି ରହିଲେ ମୃଗ ବିହଙ୍ଗ ସର୍ବ ଗୋ ! ୨୪ |

ପୂର୍ବ ପଶ୍ଚିମ ଯାମ୍ୟ କକୁଭକ୍ରୟ

କ୍ରମେ ଦିଶିଲା ଗାଢ଼ ନୀଳିମାମୟ,

ମହୀ ଲକ୍ଷଣ କିଛି ନ ହେଲା ଦୃଷ୍ଟ,

ତହିଁ ମଧ୍ୟକୁ ରଥ ବାହିଲା ଦୁଷ୍ଟ ଗୋ ! ୨୫ |

ଅଗ୍ରେ ଦିଶିଲା ଦିଗମୂଳ ଉଜ୍ଜ୍ୱଳ,

କ୍ରମେ ମଣିଲି ତାକୁ ବନ-ଅନଳ,

ଯେତିକି ହେଲା ରଥ ତା ପାଶ ପାଶ,

ଅସଂଖ୍ୟ ଜ୍ୟୋତିଃପୁଞ୍ଜ ହେଲା ପ୍ରକାଶ ଗୋ ! ୨୬ |

ଭାବିଲି ନଭ ତେଜି ତାରା ସକଳ

ଦିବସେ ଛନ୍ତି ତହିଁ ଦଳକୁ ଦଳ,

ବିଧୂ ବିରହେ ତେଜି ନଭୋମଣ୍ଡଳ

ହୃଦୟେ ଜାଳୁଛନ୍ତି ବିରହାନଳ ଗୋ ! ୨୭ |

କିବା ମୋ ମର୍ତ୍ତ୍ୟଲୀଳା ହୋଇଛି ଶେଷ,

ଶମନପୁରେ ହେଉଅଛି ପ୍ରବେଶ ?

ଦେଖିଲି ମନୋହର ଅଟ୍ଟାଳୀଶ୍ରେଣୀ

ଦିଶନ୍ତି ରମ୍ୟ ହେମକଳସ ଘେନି ଗୋ ! ୨୮ |

ଦିଶିଲା କ୍ରମେ ପୁର ଅଟ୍ଟାଳୀ ବୀଥି

ନଗର ରଞ୍ଜିଛନ୍ତି ଖର-ଦୀଧିତି;

ସ୍ୱକରେ ହର୍ମ୍ୟଶିର କଳସମାନ

ରାସାଣି କରୁଛନ୍ତି ଜାଜ୍ଜ୍ୱଲ୍ୟମାନ ଗୋ ! ୨୯ |

ସେକାଳେ ମନେ ମୋର ହେଲା ବିଚାର

ଅଟଇ ଯୋଗୀ ନିଶ୍ଚେ ଶମନଚାର,

କୃତାନ୍ତ ପାଶ ଯିବି ସଦର୍ପେ ପଶି

ଉଞ୍ଚାଇ ଦୀପ୍ତ ପତି-ଭକତି-ଆସି ଗୋ ! ୩୦ |

ନଗର ପ୍ରାନ୍ତେ ଯୋଗୀ ଓହ୍ଲାଇ ରଥ

ଚାଲିଲା ଚାହିଁ ଏକ ଉଦ୍ୟାନ ପଥ,

ମଣ୍ଡିତ ପଥ ଚାରୁ ମର୍ମରୋପଳେ

ଉଦ୍ୟାନ ଶୋଭେ ନାନା କୁସୁମ ଫଳେ ଗୋ ! ୩୧ |

ଅଶୋକ ତରୁ ତହିଁ ଅଧିକତର

କୁସୁମ ପୁଞ୍ଜେ ପୁଞ୍ଜେ ଦିଶେ ସୁନ୍ଦର;

ଉଦ୍ୟାନ ମଧ୍ୟେ ଏକ ଉଜ୍ଜ୍ୱଳ ହର୍ମ୍ୟ

ବିବିଧ ରତନରେ ଦିଶଇ ରମ୍ୟ ଗୋ ! ୩୨ |

ବୋଇଲା ଯୋଗୀ ମୋତେ; 'ସେଠାରେ ରହ

ଗଣିବୁ ନାହିଁ ଚିତ୍ତେ କାନ୍ତ-ବିରହ;

କାନନବାସ-କ୍ଲେଶ ହେଲା ତୋ ଶେଷ,

ସ୍ୱରଗ ସୁଖ ଭୁଞ୍ଜ ମଣ୍ତି ଏ ଦେଶ ଗୋ ! ୩୩ |

ତିନିଭୁବନେ ଯେଉଁ ଦ୍ରବ୍ୟ ଦୁର୍ଲଭ

ବାଞ୍ଛିଲା ମାତ୍ରେ ଏବେ ହେବ ତୋ ଲଭ୍ୟ;

ସହସ୍ର ସୁକୁମାରୀ ସ୍ନେହ ପ୍ରକାଶି

ହେବେ ତୋ ଅରବିନ୍ଦ-ଚରଣେ ଦାସୀ ଗୋ ! ୩୪ |

ରତନ ବିଭୂଷିତ ସହସ୍ର ନାରୀ

ଡାକି ବୋଇଲା ଅତି ଦୃଢ଼େ ତିଆରି,

ଏହାକୁ ଜାଣି ମୋର ହୃଦୟେଶ୍ୱରୀ

ସେବି ରହିବ ହୃଦେ ଭକତି ଭରି ଗୋ ! ୩୫ |

ଖଟିବ ନିତି ଏହା ମାନସ ଜାଣି

ଶୁଣାଉଥିବ ମୋର ମହିମା-ବାଣୀ,

ମୋର ସମ୍ପଦେ ଯେହ୍ନେ ମଜ୍ଜେ ତା ମନ;

ତହିଁକି କରୁଥିବ ଅତି ଯତନ ଗୋ ! ୩୬ |

ଏମନ୍ତ କହି ଯୋଗୀ ହେଲା ଅନ୍ତର

ବିସ୍ମୟେ ପୂରିଗଲା ମୋର ଅନ୍ତର,

କିଏ ସେ ଯୋଗୀ ମୋତେ ଆଣିଲା କାହିଁ;

କେଉଁ ପୂର ତା କିଛି ଜାଣିଲି ନାହିଁ ଗୋ ! ୩୭ |

କେମନ୍ତେ ହେଲି ଯୋଗୀ-ହୃଦୟେଶ୍ୱରୀ

ରହିଛି ରଘୁବଧୂ-ଶରୀର ଧରି,

ମରି ତ ନାହିଁ ମୁହିଁ, ଅଛି ସ୍ମରଣ;

କୌଶଲ୍ୟା-ସୁତ ସିନା ମୋର ଶରଣ ଗୋ ! ୩୮ |

ହୃଦୟେ କଲି ପୁଣି ଦୃଢ଼ ନିଶ୍ଚୟ

ଯେ କେହି ହେଉ ଯୋଗୀ କି ଅଛି ଭୟ ?

ଯାବତ ଜୀବନେ ମୋ ଥିବ ସ୍ଣରଣ;

କୌଶଲ୍ୟା-ସୁତ ଏକା ମୋର ଶରଣ ଗୋ ! ୩୯ |

ହେଉ ଏ ଯମାଳୟ ଅଥବା ସ୍ୱର୍ଗ

ବିହରୁଥାନ୍ତୁ ଏଥି ଦେବତା ବର୍ଗ,

କେ କରିପାରିବ ମୋ ଚିତ୍ତ ହରଣ ?

କୌଶଲ୍ୟା-ସୁତ ଏକା ମୋର ଶରଣ ଗୋ ! ୪୦ |

ସହସ୍ର ଦାସୀରେ ମୋ କି ପ୍ରୟୋଜନ

ଆଉ କି ଅଛି ମୋର ସ୍ନାନ ଭୋଜନ,

କାନନେ ଭ୍ରମୁଥିବେ ମୋ ପ୍ରାଣପତି;

ତାଙ୍କ ଚରଣେ ଏକା ରହିବ ମତି ଗୋ ! ୪୧ |

ମଞ୍ଜୁଳ ବୀଣା ଧରି ସତେ ଭାରତୀ

ସଙ୍ଗୀତ ଯଦି ମୋର ପାଶେ କରନ୍ତି,

ମୋ କର୍ଣ୍ଣେ ହେବ କାହିଁ ତାହାର ମୂଲ୍ୟ;

କାନ୍ତ-ଶ୍ରୀମୁଖ-କଥା ପାଦକ ତୁଲ୍ୟ ଗୋ ! ୪୨ |

ଏକନ୍ତ ଭାବି ଭାବି ଶ୍ରୀପଦେ ଧ୍ୟାନ

ଦେଇ ହରାଇଦେଲି ଜୀବନଜ୍ଞାନ,

କେମନ୍ତେ କେତେ କାଳ ହେଲା ଅତୀତ;

କିଛି ନ ଜାଣେ ପତି ଚିନ୍ତା ବ୍ୟତୀତ ଗୋ ! ୪୩ |

କିନ୍ତୁ ସେ ରାଜ୍ୟେ ମୋତେ ଦିନ-ଶର୍ବରୀ

ପ୍ରତୀତ ହେଲା ଦେବ-ସମୟ ପରି,

ଦେବଭୁବନ ତାକୁ ମଣିଲି ମନେ;

ଦେବ-ସାହସ ପୂର୍ଣ୍ଣ କଲି ଜୀବନେ ଗୋ ! ୪୪ |

ଈଶ୍ୱରେ ମନାସିଲି ଦେବ ଶକତି;

ଦେବୀ-ହୃତୟୋଚିତ ପତି-ଭକତି,

ପତି ଚରଣାମୃତେ ରଖିଲି ଆଶା;

ଗଣିଲି ନାହିଁ ଆଉ କ୍ଷୁଧା ପିପାସା ଗୋ ! ୪୫ |

ବିବିଧ ଅଙ୍ଗରାଗ ବହୁ ଭୂଷଣ

ବିବିଧ ଖାଦ୍ୟ ଆଣି ସେବିକାଗଣ,

କହିଲେ କେତେ ମତେ ଚାଟୁବଚନ;

ବଳିଲା ନାହିଁ କାହିଁ ତହିଁ ମୋ ମନ ଗୋ ! ୪୬ |

ଦାସୀଙ୍କ ବଚନରୁ ଜାଣିଲି କ୍ରମେ

ରାବଣ ତ୍ରିଭୁବନ-ଜୟୀ ବକ୍ରମେ,

ଡରନ୍ତି ସୁରପତି ଶୁଣି ତା' ନାମ;

ସିନ୍ଧୁ-ପରଖୀକୃତ ଲଙ୍କା ତା; ଧାମ ଗୋ ! ୪୭ |

ସେହି ରାଜ୍ୟକୁ ମୁହିଁ ହୋଇଛି ନୀତ

ନେଇଛି ଯୋଗୀବେଶେ ସେ ଦୁର୍ବିନୀତ,

ନବର ନଗର ତା' ଅତୁଳ ରମ୍ୟ;

ନର କିନ୍ନରଙ୍କର ଦୁରଧିଗମ୍ୟ ଗୋ ! ୪୮ |

ଯହିଁ କି ବଳିଥାଏ ତାହାର ଚିତ୍ତ

ଭୟେ କରନ୍ତି ଦେବେ ତାହା ରଚିତ,

ଆସିଲେ ଅରୁଣିମା ତାର ନୟନେ;

ବିପଦଭୟ ବ୍ରହ୍ମା କରନ୍ତି ମନେ ଗୋ ! ୪୯ |

ରାବଣ ନାମ ଶୁଣି ପାରିଲି ଜାଣି

ପିନାକୀ ଚାପେ ଭାଙ୍ଗିଥିଲା ତା ଆଣି,

ଭାବିଲି କି ସାହସ କରିଛି ଶ୍ୱାନ;

କରିବା ପାଇଁ ଯଜ୍ଞ-ଅମୃତ ପାନ ଗୋ ! ୫୦ |

ସତକୁ ସତ ଦିନେ ଆସି ଦୁର୍ମତି

ଅନଳ ତେଜେ ଉଭା ହେଲା ମୋ କତି,

ପାପ-ବଚନେ ପାପ-ମାନସେ ପାପୀ;

ବକିଲା କେତେ ଆତ୍ମଗରିମା ଜ୍ଞାପି ଗୋ ! ୫୧ |

ମୋ ଦୁଃଖ ଘନଘଟା ଲୋତକ ଧାର

ଚାହିଁ ଘୁଞ୍ଚିଲା କହି ଗର୍ବ-ଅନ୍ଧାର,

ଚମକିଗଲା ମୋର ସେ ଘନଘଟା-

ମଧ୍ୟେ ତୋ ଆଶା ଭୀମ ବିଦ୍ୟୁତ ଛଟା ଗୋ ! ୫୨ |

ସଖି, ମୁଁ ହେଲି ଯେଉଁ ଦିବସୁଁ ଜ୍ଞାତ

ପାପୀ ଦାନବ ଛୁଇଁଅଛି ମୋ ହାତ,

ଛୁଇଁଲା ସ୍ଥଳୁଁ ଉଠି ବ୍ୟାପି ଶରୀର;

ଦୁଃସହ ଜ୍ୱାଳା କରେ ପ୍ରାଣ ଅସ୍ଥିର ଗୋ ! ୫୩ |

ମଣଇଁ ବିଷଦିଗ୍ଧ ଶରପଟଳ-

ସଦୃଶ ଅପଘନ ଲୋମ ସକଳ,

ବ୍ୟାଧ ବିହଗାହତ ହରିଣୀଗଣ;

କି ଦୁଃଖ ଭୋଗୁଥିବେ ଭାବେ ମୋ ମନ ଗୋ ! ୫୪ |

ସରି ଯେ ଦୁର୍ବିସହ ଦୁଃଖ ମରମେ

ମତିକି ଦୃଢ଼ କରିଥାଏ ଧରମେ,

ଦୃଢ଼ ଭରସା ମୋର ଥାଏ କେବଳ;

ଅବଳା ପାଇଁ ସଦା ଧରମବଳ ଗୋ ! ୫୫ |

ନ ଜାଣି ସିନା ଥରେ ରାକ୍ଷସଧାମେ

ହସ୍ତ ବଢ଼ାଇ ଭିକ୍ଷା ଦେଲି ମୁଁ ଭ୍ରମେ,

ଏବେ କରିବ ଯଦି ବଳ ପ୍ରକାଶ;

ମାରିବି ଅବା ହେବି ତା ହସ୍ତେ ନାଶ ଗୋ ! ୫୬ |

ଯଦ୍ୟପି ସତ୍ୟ ଅଛି ଜଗତେ ଧର୍ମ

ଦେଖିବ ଜଗତ ମୋ ଅଦ୍ଭୁତ କର୍ମ,

ପାପ-କାର୍ପାସ ହେଲେ ପର୍ବତ ସମ;

ପୁଣ୍ୟାଗ୍ନି-କଣା ତାକୁ ଦହନେ କ୍ଷମ ଗୋ ! ୫୭ |

ଦେଖ ସଜନୀ, ହୋଇ ଧରମ ଋତ

ମୋ ପ୍ରାଣେ ଢାଳିଦେଲା ଯେହ୍ନେ ଅମୃତ !

କପିଏ ଦେଇ ମୋତେ କାନ୍ତ ସମ୍ବାଦ;

ରାବଣ ସଙ୍ଗେ କରିଗଲା ବିବାଦ ଗୋ ! ୫୮ |

ଅଚିରେ ରଘୁମଣି ବାନର ବଳେ

ସେତୁ ପ୍ରସ୍ତୁତ କରି ସାଗର-ଜଳେ,

ଲଙ୍ଘି ତୁର୍ଲଂଘ୍ୟ ବାରି ଆକ୍ରମି ଲଙ୍କା;

ରାକ୍ଷସପତି-ପ୍ରାଣେ ରୋପିଲେ ଶଙ୍କା ଗୋ ! ୫୯ |

ଦୁଷ୍କର ରଣ-ଯଜ୍ଞ କଲେ ଆରମ୍ଭ

କମ୍ପିଲା ଲଙ୍କା ଶୁଣି କପି-ଆରବ,

ରାକ୍ଷସ-ବଂଶେ ଥିଲେ ଯେତେକ ବଳୀ;

ସମସ୍ତ ଆସି ହେଲେ ସେ ଯଜ୍ଞେ ବଳି ଗୋ ! ୬୦ |

ଧରମ-ପଥେ ଥିଲା କେବଳ ଜଣେ

ରହିଲା ରଘୁପତି ପଦଶରଣେ,

ଅଟଳ ଯୂପ ହେଲା ସେ ମହାଧ୍ୱରେ;

ଅଭୟ ପୁଷ୍ପମାଳା ଧରି କଣ୍ଠରେ ଗୋ ! ୬୧ |

ଯେତିକି ବହିଥିଲା ମୋ' ନେତ୍ର ନୀର

ତା କୋଟି ଗୁଣ ହେଲା ରକ୍ଷ-ରୁଧିର,

ରାବଣ ଭାସି ଶୋକସାଗେ କ୍ରାସେ;

ପଡ଼ିଲା ପ୍ରଭୁ-ବାଣ-କୁମ୍ଭୀର-ଗ୍ରାସେ ଗୋ ! ୬୨ |

ତା' ପରେ ରଘୁପତି ମୋତେ ଅଣାଇ

ବୋଇଲେ ସ୍ନେହ ଶୂନ୍ୟ ନେତ୍ରେ ଅନାଇ,

"କୁସଙ୍ଗୁ ବଳି ନାହିଁ ଜଗତେ ପାପ;

କୁସଙ୍ଗୀ ସଙ୍ଗେ ମିଳେ ଘୋର ସନ୍ତାପ ଗୋ ! ୬୩ |

କାମାନ୍ଧ ଦାନବର ପାପ-ଭବନେ

ଥିଲ, ସ୍ପରଶିଥିବ ପାପ ତୋ ମନେ,

ନ ପାରେ କରି ତୋତେ ଆଉ ଗ୍ରହଣ;

ଗ୍ରହଣ କଲେ ହେବ ଲୋକଗର୍ହଣ ଗୋ ! ୬୪ |

ଜଳଦ ଜଳ କଲେ ନୀଚେ ଗମନ

ଆଉ କି ତାକୁ ରଖି ପାରଇ ଘନ ?

ଅନଳ-ଶିଖା-ପରି ଅନଳେ ଦହି;

ହେଲେ ସେ ଜଳ ଊର୍ଦ୍ଧ୍ୱେ ଘନେ ମିଶଇ ଗୋ ! ୬୫ |

ଭାବିଲି, ଥିଲି ସିନା ଧରି ଜୀବନ

ସେବିବି ବୋଲି ପ୍ରଭୁ ପଦ୍ମଚରଣ,

ନ ହେବି ଯଦି ପଦସ୍ପର୍ଶେ ଭୋଜନ;

ଜୀବନେ ଆଉ ମୋର କି ପ୍ରଯୋଜନ ଗୋ ! ୬୬ |

ଦହିବି ଦେହ ଚାହିଁ ଚାହିଁ ଶ୍ରୀମୁଖ

ଏଥୁଁ ଅଧିକ ମୋର କି ଅଛି ସୁଖ ?

ଦଗ୍ଧ ହେଲେ ଦେହ, ଅବଶ୍ୟ ପ୍ରାଣ

ପ୍ରଭୁ ଶ୍ରୀଅଙ୍ଗେ ଯାଇ ପାଇବ ସ୍ଥାନ ଗୋ ! ୬୭ |

ଧରମ-ବଳେ ଯେବେ ରହିବ ଦେହ

ଲଭିବି ପ୍ରଭୁଙ୍କର ଦ୍ୱିଗୁଣ ସ୍ନେହ !

ବୋଇଲି, 'ଜଳା ହେଉ ହବ୍ୟବାହନ;

କରିବ ଦାସୀ ତହିଁ ଅବଗାହନ ହେ !' ୬୮ |

ଅକୁଣ୍ଠ ଆଜ୍ଞାବହ ସକୁଣ୍ଠ-ଚିତ୍ତେ

ଲକ୍ଷ୍ମଣ ବହ୍ନି ଜାଳି ଦେଲେ ତ୍ୱରିତେ |

ଅନଳଶିଖାମାନ ବାତ କମ୍ପନେ;

ଅତି ଚଞ୍ଚଳ ହେଲେ ନଭ ଲମ୍ଫନେ ଗୋ ! ୬୯ |

ସତୃଷ୍ଣ ଦୃଷ୍ଟି ଦେଇ ମୁଖ କମଳେ

ଅନଳ ପାଶ ଯାଇ ହୃଦୟବଳେ,

ବୋଇଲି, 'ରବି-ଶଶୀ-ବାୟୁ-ଗଗନ;

ପାବକ ତୁମେ ଜାଣ ପ୍ରାଣୀଙ୍କ ମନ ହେ ! ୭୦ |

ରାଘବ ବିନା ଅନ୍ୟେ ଯଦି ମୋ ଚିତ୍ତ

ପ୍ରେମେ ଆକୃଷ୍ଟ ହୋଇଥିବ କିଞ୍ଚିତ,

ଅନଳ ପଟୁ ତୁମ୍ଭେ ସର୍ବ ଭକ୍ଷଣେ;

ଦିଅ ହେ କରି ମୋତେ ଭସ୍ମ ଏକ୍ଷଣେ ! ୭୧ |

ହୋଇ ତ ଥିଲି ରକ୍ଷ-ନଗରେ ବନ୍ଦୀ

ସେ ଯଦି ଥିବ ମୋତେ ପତକେ ଛନ୍ଦି,

କୋଟି ଜନମ କାନ୍ତ ପଦ-କମଳ;

ଚାହିଁବି ନାହିଁ, ମୋତେ ଦହ ଅନଳ ହେ ! ୭୨ |

ପାତକୀ ପୂଣ୍ୟବନ୍ତ ତୁମ୍ଭେ ନ ଜାଣ

ସ୍ୱଧର୍ମ ଚିର ସତ୍ୟ ଯଦି ଜଗତେ;

ମୋ ଧର୍ମ ଅପବାଦୁଁ ରଖିବ ମତେ ହେ ! ୭୩ |

ହେ ଧର୍ମ ! ନିଜ ଗୁଣେ ରହ ମୋ ଅଙ୍ଗେ

ନ ଡରି ଅନଳରେ ପଶ ମୋ ସଙ୍ଗେ,

ଜୀବନେ ନ ପରିଲେ ମୋତେ ମରଣେ;

ସେବିକା କରି ଦେବ ପ୍ରଭୁ ଚରଣେ ହେ ! ୭୪ |

ମୋ ତନୁ ଦଗ୍ଧ ହେଲେ ହେବ ତ ଖାର

ତାହାକୁ କରାଇବ ପାଦପେ ସାର

ସେ ତରୁ କାଷ୍ଠ ଦେଇ ବର୍ଦ୍ଧକୀ ହସ୍ତେ;

କରାଇ ଦେବ ପ୍ରଭୁ ପାଦୁକା ମତେ ହେ !' ୭୫ |

ପ୍ରଭୁ ଶ୍ରୀମୁଖ ପୁନଃ ପୁନଃ ଅନାଇ

ନିଃଶଙ୍କେ ଅନଳରେ ପଶିଲି ଯାଇଁ |

ଚାହିଁ କାନ୍ଦିଲେ ରଘୁମଣି ଲକ୍ଷ୍ମଣ;

କାନ୍ଦଲେ ଘୋର ରବେ ସୈନିକଗଣ ଗୋ ! ୭୬ |

ଅସଂଖ୍ୟ ନେତ୍ରେ ହେଲା ଜଳ ପ୍ରବଳ

ମଜ୍ଜାଇ ଦେଲା ମୋତେ କାରୁଣ୍ୟଜଳ,

ଅନଳ ତହିଁ ବୋଧ ହେଲା ଶୀତଳ;

ପୂରିଲା ହାହା ରବେ ନଭୋମଣ୍ଡଳ ଗୋ ! ୭୭ |

ମୋ ଅନୁକୁଳେ ହେଲା ଆକାଶ-ବାଣୀ

ସତୀତ୍ୱ ମୋର ପ୍ରଭୁ ପାରିଲେ ଜାଣି,

ଅନଳ ଧର୍ମ ବଶେ ହେଲା ନିର୍ବାଣ;

ବଞ୍ଚିଲା ଧର୍ମ-ବଳେ ତହିଁ ମୋ ପ୍ରାଣ ଗୋ ! ୭୮ |

ଦଗ୍ଧ ହୋଇଗଲା ମୋ ଦୁଃଖରାଶି

ଭାଗ୍ୟେ ମୁଁ ହେଲି ପ୍ରଭୁପୟରେ ଦାସୀ,

ଭାବିଲି; କଷ୍ଟେ ରଖିଥିବାରୁ ଜୀବ;

ଲଭିଲି ସିନା ପ୍ରଭୁ-ପଦ ରାଜୀବ ଗୋ ! ୭୯ |

ବସାଇ ମୋତେ ପ୍ରଭୁ ସ୍ୟନ୍ଦନବରେ

ଘେନି ବାନର ରକ୍ଷଦଳ ସଙ୍ଗରେ,

ବାହୁଡ଼ା-ବିଜେ କଲେ ଅଯୋଧ୍ୟା ମୁଖେ;

ଗଗନ-ପଥେ ଜୟ-ଉଲ୍ଲାସ-ସୁଖେ ଗୋ ! ୮୦ |

ହୋଇ ବିରହ-ମରୁ-ପ୍ରଦେଶ ପାର

ପାଇଲି ଶୁଷ୍କ ପ୍ରାଣେ ପ୍ରେମକୂପାର,

ଅପୂର୍ବ ସୁଖ ପ୍ରାଣେ ହେଲା ଉଦୟ;

ମଣିଲି ଜଗତକୁ ଆନନ୍ଦମୟ ଗୋ ! ୮୧ |

ଯଦ୍ୟପି ଦୁଃଖ ଥାଏ ନିଜ ଜୀବନେ

ସୁଖ ନ ଦିଏ ଦେଖା ବିଶ୍ୱଭୁବନେ,

ନିଜ ଜୀବନେ ହେଲେ ସୁଖ ଆଗତ;

ସୁଖରେ ପରିପୂର୍ଣ୍ଣ ଦିଶେ ଜଗତ ଗୋ ! ୮୨ |

ଯେ ରଥେ ପଡ଼ିଥିଲି ବିପଦ-କୂପେ,

ଚଢ଼ିଲି ସେହି ରଥେ ସମ୍ପଦ ପ୍ତୂପେ,

ଯା' ଚାହିଁ ଚାହିଁ କରିଥିଲି କ୍ରନ୍ଦନ;

ତା' ଚାହିଁ ଚାହିଁ ହେଲା ମୁଦ ବର୍ଦ୍ଧନ ଗୋ ! ୮୩ |

ରତ୍ନଦୀପିତ ରଥ ତା ଚିତ୍ରଗତି

ଉପରେ ମେଘ ତଳେ ସରିତପତି,

ସରିତ ଧରାଧର ଧରଣୀରୁହ;

ହେଲେ ମୋ ନୟନର ପୀରତିବ୍ୟୂହ ଗୋ ! ୮୪ |

ପୂର୍ବ ନିବାସ ବନସ୍ଥଳ ସକଳ

ବିହାର-କୁଞ୍ଜପୁଞ୍ଜ ରମ୍ୟ ଅଚଳ,

ଧୂମ-ଜଟିଳ ଋଷି-ଆଶ୍ରମମାନ;

ଚିତ୍ତକୁ ମୋର କରୁଥିଲେ ଆହ୍ୱାନ ଗୋ ! ୮୫ |

ବ୍ୟସ୍ତକୁନ୍ତଳା ମୁନିକୁମାରୀଗଣ

ରଥ-ନିର୍ଘୋଷ ଦୁରୁଁ କରି ଶ୍ରବଣ,

ଚକିତେ ଚାହିଁଥାନ୍ତି ଊର୍ଦ୍ଧ୍ୱ ବଦନେ;

ଜନ୍ମାଇ ପୂର୍ବ-ସୁଖ-ସ୍ମୃତି ମୋ ମନେ ଗୋ ! ୮୬ |

ପବିତ୍ର ସ୍ନେହ ତାଙ୍କ ସମୁଦାଦର

ମୃତୁ ମଧୁର କଥା-ଲସିତାଧର,

ମମତାମୟ ଶାନ୍ତ ସରଳ ଦୃଷ୍ଟି;

କଲେ ମୋ ସ୍ମୃତିକ୍ଷେତ୍ରେ ପୀୟୁଷ ବୃଷ୍ଟି ଗୋ ! ୮୭ |

କ୍ରମଶଃ କୁମାରୀଙ୍କ ନାମ ସକଳ

କମଳରୂପେ ଫୁଟି ହେଲେ ବିମଳ,

ଘୋର-ବିରହ-ନିଶା-ତମ-ଶେଷରେ;

ସୁଖ-ଦିବସ-ମୁଖେ, ମୋ ମନ ସରେ ଗୋ ! ୮୮ |

ତାଙ୍କ ବିଗତ ଭାବ ସୌରଭରାଶି

ଆମୋଦେ ପ୍ରାଣକୁ ମୋ ଦେଲେ ଉଲ୍ଲାସି,

ବନଦର୍ଶନେ ମଲ ନୋହୁଁଣୁ ତୂପ୍ତ

ଆଗକୁ ରଥବର ଚାଲିଲା ଦ୍ରୁତ ଗୋ ! ୮୯ |

ନିସର୍ଗଶୋଭାଳୟ ସୁରମ୍ୟ ବନ

ବର୍ଜନ ନ ପାରିଲା କରି ମୋ ମନ,

ସେ ମନ ଥିଲା ପୁଣି ନଭେ ସ୍ୟନ୍ଦନେ;

ଲାଗିଲା ତେଣେ ପୁରେ ଶ୍ୱଶ୍ରୂଚରଣେ ଗୋ ! ୯୦ |

ଶ୍ୟମସୁନ୍ଦର-କାନ୍ତି କାନ୍ତକୁ ସଙ୍ଗେ

ଘେନି ଖେଳନ୍ତେ ସ୍ଥଳକ୍ରୟ ସୁରଙ୍ଗେ,

ମନ ମୋ ହେଲା ଅର୍ଦ୍ଧମଣ୍ଡଳାକାର

ନବ ନୀରଦେ ଶକ୍ରଚାପ ପ୍ରକାର ଗୋ ! ୯୧ |

ପ୍ରାଣ-ପ୍ରତିମ ପୁତ୍ର ବନ-ପ୍ରୟାତ

ହେଲାରୁ ଶ୍ୱଶୁର ମୋ ଅଯୋଧ୍ୟା-ନାଥ,

ନିର୍ବାଣ କରି ଦୁଃଖେ ଜୀବନ-ଦୀପ;

ଗୀର୍ବାଣପୁର ଗଲେ ଶକ୍ର ସମୀପ ଗୋ ! ୯୨ |

ଭରତ ରାଜ୍ୟ ରାଜ-ବିହୀନ ଚାହିଁ

ବନେ ଅଇଲେ ସ୍ୱାମୀ ସମୀପ ଧାଇଁ,

କହିଲେ ଦୁଃଖେ ଯୁକ୍ତ କରପୁଟରେ;

ସେକାଳେ ଥିଲୁ ଆମ୍ଭେ ଚିତ୍ରକୂଟରେ ଗୋ ! ୯୩ |

ବହୁ ବିନୟ କରି କହିଲେ ବୀର

ସ୍ୱାମୀଙ୍କୁ ସ୍ୱାମୀ ହେବା ପାଇଁ ମହୀର,

ପ୍ରଗାଢ଼ତର କରି ପିତୃଭକତି;

ରାଘବ କଲେ ନାହିଁ ତହିଁ ସମ୍ମତି ଗୋ ! ୯୪ |

ବୋଇଲେ, ଯେଉଁ ସତ୍ୟ ନ କଲେ ଭଙ୍ଗ

ତେଜିଲେ ପଛେ ପିତା ସ୍ୱକୀୟ ଅଙ୍ଗ,

ପିତୃପାଳିତ ଧର୍ମ-ବିହଙ୍ଗୀ-ବେକ;

କେମନ୍ତେ ମୋଡ଼ିଦେବି ତେଜି ବିବେକ ହେ ! ୯୫ |

ଭରତ କାନ୍ଦି କାନ୍ଦି ପଡ଼ି ଚରଣେ ବୋଇଲେ, 'ରଖ ମୋତେ ପଦଚାରଣେ,

ଅବନୀ ତେଜି ଅସ୍ତ-ନଗେ ଭାସ୍କର;

ଗଲେ କି ତାଙ୍କୁ ଛାଡ଼ି ପାରଇ କର ହେ ! ୯୬ |

ପ୍ରଭୁ ବୋଇଲେ, 'ରାତ୍ରେ ଅବନୀଦୁଃଖ

ଖଣ୍ଡନ କରିଥାନ୍ତି ଶୀତମୟୁଖ |'

ଭରତ ବିନୟରେ ଦେଲେ ଉତ୍ତର;

'ଶଶାଙ୍କ ପାଇଥାନ୍ତି ଭାସ୍କର-କର ହେ ! ୯୭ |

ରତ୍ନପାଦୁକା ଘେନି ମୋ ଶିରଦେଶ

ବହିପାରିବ ମହୀ ଯେସନେ ଶେଷ,

ମସ୍ତକେ ଶୋଭୁଥିଲେ ପାଦୁକାମଣି;

ଅରାତିକୁଳ ମୋତେ ମଣିବେ ଫଣୀ ହେ !' ୯୮ |

ପାଦୁକା ଦେଲେ ପ୍ରଭୁ ଭରତ କରେ

ଘେନିଲେ ବୀର ତାହା ସ୍ୱମସ୍ତକରେ,

ବହୁଡ଼ି ବୀରମଣି ସାଶ୍ରୁ ଲୋଚନେ;

ଲାଗିଲେ ରାଜଲକ୍ଷ୍ମୀ-ଦୁଃଖ-ମୋଚନେ ଗୋ ! ୯୯ |

ଚଉଦ ବର୍ଷ ଶେଷେ ଆମ୍ଭର ପଥ

ଅନାଉଥିଲେ ତହିଁ ଲାଗିଲା ରଥ,

ଶାଶୁମାନଙ୍କ ପଦଧୂଳି ଗ୍ରହଣ-

କଲି ମୁଁ ରଥୁଁ କରି ଅବରୋହଣ ଗୋ ! ୧୦୦ |

ସାନୁଜ ସପତ୍ନୀକ ପ୍ରଭୁଙ୍କୁ ଚାହିଁ

ଭରତ ମୁଦ-ନଦେ ମନ ମଜ୍ଜାଇ,

ପାଦୁକା ପ୍ରତ୍ୟର୍ପଣ କରି ପୟରେ;

ପ୍ରଭୁଙ୍କୁ ପୂଜା କଲେ ଛତ୍ର ଚାମରେ ଗୋ ! ୧୦୧ |

ମୋ କାନ୍ତ ରାଜା ହେଲେ, ମୁଁ ହେଲି ରାଣୀ

ସେବିଲି ପଦ ପ୍ରଭୁ-ମାନସ ଜାଣି,

ମୋ' ମନେ ଯେବେ ଯାହା ହୁଏ ଉଦିତ;

ସତ୍ୱରେ ହୁଏ ତାହା ସୁସମ୍ପାଦିତ ଗୋ ! ୧୦୨ |

ରାଜ-ଦମ୍ପତି ବସି ପ୍ରୀତି-ନାବରେ

ବିହାର କରୁଥିଲୁଁ ସୁଖ-ସାଗରେ,

ସମ୍ପଦ-ତରଙ୍ଗରେ ବହୁ ବତ୍ସର;

ମଜ୍ଜାଇଦେଲୁଁ ହୋଇ କୌତୁକପର ଗୋ ! ୧୦୩ |

କେ ଜାଣିଥିଲା ମୋର ଲଲାଟେ ବିହି

ଅସୀମ ଦୁଃଖ-ଲିପି ରଖିଛି ଲିହି,

ବିପଦରୂପୀ ଘୋର ବଡ଼ବାନଳ;

ଉପୁଜି ଧ୍ୱଂସ କରି ଦେବ ସକଳ ଗୋ ! ୧୦୪ |

ଦିବସ-ଶୋଭା-ଶେଷେ-ରଞ୍ଜିତ ନଭ

ପରାଏ ଭାଗ୍ୟ ଶେଷେ ହେଲା ମୋ ଗର୍ଭ,

ଦୋହଦ ପୂରଣେ ମୋ ହେଲେ ତତ୍ପର;

ପ୍ରାଣେଶ ସ୍ନେହଭରେ ଅଧିକତର ଗୋ ! ୧୦୫ |

ବିପିନ ବାନ୍ଧବୀଙ୍କ ସଙ୍ଗେ ବିପିନେ

କ୍ରୀଡ଼ନ୍ତି ବୋଲି କାନ୍ତେ କହିଲି ଦିନେ,

ସେହି ରଜନୀ ସହି, ନୋହୁ ପ୍ରଭାତ;

ଲକ୍ଷ୍ମଣ ସଙ୍ଗେ ମୋତେ ପେଷିଲେ ନାଥ ଗୋ ! ୧୦୬ |

ଲକ୍ଷ୍ମଣ ଆଣି ମତେ ଜାହ୍ନବୀ-ତୀରେ

ନାବୁଁ ଓହ୍ଲାଇ ଯାହା କହିଲେ ଧୀରେ-

କହି ନିରୁଦ୍ଧ ହେଲା ସତୀଙ୍କ କଣ୍ଠ;

କାନ୍ଦିଲେ ଚାହିଁ ଆଗେ ଭୀଷଣ କଷ୍ଟ ଯେ ! ୧୦୭ |

ଭାସିଲେ ଅନଗଳ ଲୋତକ-ଝରେ

ଧଇଲେ ମୁନିସୁତା ତାଙ୍କୁ ସତ୍ୱରେ,

କାନ୍ଦିଲେ ନଜେ ମୁଖେ ମୁଖ ଲଗାଇ;

ଶୁଣି ତାପସୀମାନେ ଆସଲେ ଧାଇଁ ଯେ ! ୧୦୮ |

ବେନଙ୍କି ଘେନି ବେଗେ କୁଟୀରେ ଯାଇ

କହିଲେ ନାନା କଥା ଚିତ୍ତ ରଞ୍ଜାଇ,

ପାଦପେ ଜଳଦାନ ପୁଷ୍ପଚୟନ-

ପ୍ରଭୁତି କଥା ନେଇ କଲେ ଶୟନ ଯେ ! ୧୦୯ |


Rate this content
Log in

Similar oriya poem from Classics