ସତ୍ୟ ଯୁଗ ଆସୁଛି
ସତ୍ୟ ଯୁଗ ଆସୁଛି
ଆଲୋକ ବର୍ତ୍ତିକା ଭାରତ ବିଶ୍ୱରେ ପ୍ରାଗୈତିହାସିକ କାଳୁ
କରୋନା ଭରିଛି ବିଶ୍ୱରେ ଆତଙ୍କ ଭାରତୀୟ ଆମେ ଭାଳୁ ।
ଗୃହବନ୍ଦୀ ସର୍ବେ ମାସାଧିକ କାଳ ସତେ ଅଣସର ମାନ
ନୂତନ ଲେପରେ ଦାରୁ ଦିଅଁ ଦେବେ ନବ ଯୌବନ ଦର୍ଶନ !
ସଭିଏଁ ସମାନ ପଦବୀ କ୍ଷମତା ହେଲା ଆଜି ମୂଲ୍ୟହୀନ
କାହା ଘରେ ନାହିଁ ବାଇ କର୍ମଚାରୀ ବାହନ ଚାଳକ ମାନ ।
ଯେତେ ଧନ ଥାଉ ସାତ୍ତ୍ଵିକ ଆହାର ସାଥେ ଅଛି ପରିବାର
ପ୍ରଦୂଷଣ ମୁକ୍ତ ରାସ୍ତାଘାଟ ଆମସଫା ଗାଆଁରୁ ସହର ।
କେହି ନୁହେଁ ଆଜି ମଦମତ୍ତ ମନ ମଧ୍ୟେ ଜଡସଡ ଭୟ
ସର୍ବେ ଏକମୁଖ ହୋଇ ଡାକୁଛନ୍ତି ରଖ ପ୍ରଭୁ ଇଛାମୟ।
ତିରିଶି ଅପ୍ରେଲ ବେଳକୁ ଚାଳିଶ ଦିନ ହୋଇବ ପୁରଣ
ଅଣସର ହୁଏ ପକ୍ଷଟିଏ ତହୁଁ ଅଧିକ ଏ ନିର୍ବାସନ ।
ଆପଣା ଘରକୁ ବୈକୁଣ୍ଠ ସମାନ ନିରନ୍ତର ସ୍ନେହ ଭରି
ସଂସ୍କାର ସଂସ୍କୃତି ପରମ୍ପରା ଆମ ଆସିବ ତହିଁରେ ଫେରି ।
କଳ କାରଖାନା ବ୍ୟବସାୟ ସବୁ ବନ୍ଦରେ ପ୍ରଭାବିତ
ମାରଣ ତାରଣ ବଡ ହେବା ସ୍ୱପ୍ନ କରୁନାହିଁ ଉଚ୍ଚକିତ।
ଏପରି ମହତ ଜୀବନ ଶୈଳୀକୁ ଆତ୍ମାରେ କଲେ ଗ୍ରହଣ
ସତ୍ୟ ଯୁଗ ଆଉ ବେଶୀ ଦୂର ନୁହେଁ କଳିର ଅପସାରଣ ।
ନମସ୍କାର ପରିଷ୍କାର ସଂସ୍କାର ଯୋଗ ପ୍ରାଣାୟାମ ଭରା
ଭାରତୀୟ ସଂସ୍କୃତିର ଜୟଜୟ ହୁଏ ଆଜି ବିଶ୍ୱ ସାରା ।
