ସତର୍କ ଚିଠି
ସତର୍କ ଚିଠି
କର କପାଳରେ ଲେଖା ତୋ ମରଣ
ଚିତ୍ରଗୁପ୍ତ ପାଞ୍ଜି କରୁଛି ଗଣନ ||1||
ସମୟ ହୋଇଲେ ଯିବାକୁ ପଡିବ
ତା ପୁରୁବୁ ତିନି ଚିଠି ପଠାଇବ ||2||
ପ୍ରଥମ ଚିଠିରେ ଚୁଟି ତୋ ପାଚିବ
ସତରକ ଘଣ୍ଟି ବଜାଇ କହିବ ||3||
ସାବଧାନ ହୁଅ ଛାଡ଼ିମାୟା ମୋହ
ପାଖେଇ ଆସୁଛି ଯିବାର ସମୟ ||4||
ଦ୍ୱିତୀୟ ଚିଠିରେ ଦୃଷ୍ଟି କମିଯିବ
ଆଖି ଥାଇ ସବୁ ଝାପସା ଦିସିବ ||5||
ତୃତୀୟ ଚିଠିରେ ଦାନ୍ତ ହଲିଯିବ
ରସନାକୁ କହେ ଆୟତେ ରଖିବ ||6||
ସୁଆଦିଆ ଖାଦ୍ୟ ଖାଇବା ସମୟ
ଚାଲିଗଲା ଏବେ ବଞ୍ଚିବାକୁ ଖାଅ ||7||
ନଜାଣିଲା ପରି ଅବୁଝା ନହୁଅ
ଫୁଟାଣି ନ ମାରି ସାବଧାନ ହୁଅ ||8||
ସାଇତି ରଖିଛୁ କୋଠାବାଡ଼ି ଘର
ଅମାପ ସମ୍ପତି ହେବନାହିଁ ତୋର ||9||
ଏସବୁର ତୁହି ମାଲିକ ନୁହଁଇ
ସବୁ ରହିଯିବ ତୋସାଥେ ନଯାଇ ||10||
ବିଶ୍ୱଦରବାରେ ମିଛ ତୋ ଆସନ
ଦେଖାଉ ପଦବୀ ଆସନ ଶାସନ ||11||
ଅକରମେ ମାତି ଗରବ ଦେଖାଉ
ରାମକୃଷ୍ଣ ନାମ ସବୁ ଭୁଲିଯାଉ ||12||
ସବୁ ଜାଣି ଶୁଣି ହେଉତୁ ଅଜଣା
ସଂସାର ମାୟାରେ ହେଉ ବାଟବଣା ||13||
ସମୟାନୁକ୍ରମେ ସତରକ କଲା
ସଜାଗ ହେବାକୁ ଇସାରା ସେ ଦେଲା ||14||
ଧରମ କରମ କରିଥିବୁ ଯେତେ
ସ୍ମୃତିରେ ରହିବ ଏ ସାରା ଜଗତେ ||15||
ହରି ପାଦ ପଦ୍ମେ ଲଗାରେ ତୋ ମନ
ପାଖେଇ ଆସିଲା ଛାଡ଼ିବୁ ଭୁବନ ||16||
