ସ୍ତ୍ରୀ ମୁଁ ନବ ବିବାହିତା
ସ୍ତ୍ରୀ ମୁଁ ନବ ବିବାହିତା
ଘର ଅଗଣାକୁ ଛାଡି ମୁଁ ଆସିଛି
ଯେଉଁଠାରେ ଥିଲି ପରୀ
ଟୋପାଏ ସିନ୍ଦୂର କରିଦେଲା ପର
ଧୂଳି ଖେଳ ଗଲା ସରି ।
ସ୍ୱାମୀ, ଶାଶୁ, ଯାଆ, ନଣନ୍ଦ, ଦିଅର
ସାଥିରେ କରିବି ଘର
ମୋ ହାତେ ଗଢ଼ିବି ସୁନାର ସଂସାର
କରି ପର ଆପଣାର ।
ଝିଅ ଜନମ ତ ପର ଘର ପାଇଁ
ଶୁଣି ବିନ୍ଧୁଥିଲା କାନ
ଖାଣ୍ଡବ ପ୍ରସ୍ଥକୁ କରି ଇନ୍ଦ୍ର ପ୍ରସ୍ଥ
ସୁଖରେ କାଟିବି ଦିନ ।
ନ ହୋଇ ଅଧୀର ଭାଷିବି ମଧୁର
କରି ଦୁଇ କୁଳ ହିତ
ଦୁହିତା ଜନମ କରିବି ସାର୍ଥକ
ସହି ଘାତ, ପ୍ରତିଘାତ ।
ଧଇର୍ଯ୍ୟ, ଭକତି, ଶକତି ମୋହର
ରଖି ବିଭୁ ପାଦେ ଲୟ
ଗୁରୁ ଗୁରୁଜନ ଆଶୀର୍ବାଦ ଲଭି
ବିତିଯାଉ ଏ ସମୟ ।
