ଷଡ଼ଯନ୍ତ୍ର
ଷଡ଼ଯନ୍ତ୍ର
ଷଡ଼ଯନ୍ତ୍ର ବଳେ ମାନବ କରେ ସ୍ୱାର୍ଥ ସାଧନ
ଲୋଭ ହିଂସା କୂଟ କପଟ ଛନ୍ଦ ପ୍ରତିପାଦନ |
ଅନ୍ୟ ନାମ ତାର ଚକ୍ରାନ୍ତ ବୁଦ୍ଧି କୌଶଳ ଖେଳ
ଅନ୍ତରାଳେ କରି ଯୋଜନା କାଟେ ବଇରୀ ଚେର |
ଷଡ଼ଯନ୍ତ୍ରକାରୀ ଜୀବନେ କେବେ ନୁହେଁ ବନ୍ଦିତ
ପର ପାଇଁ ଖୋଳା ଗାତରେ ନିଜେ ହୁଏ ପତିତ |
ଫନ୍ଦିରେ କେବେତ ସଫଳ କେବେ ହୁଏ ବିଫଳ
ରାଗ ଦ୍ୱେଷ ଈର୍ଷା କଳହ ତାକୁ କରେ କବଳ |
ପର ମନ୍ଦ ପାଞ୍ଚୁ ତା ମନ୍ଦ ପାଞ୍ଚିଥାନ୍ତି ଗୋବିନ୍ଦ
ସତ୍ୟ ପଥ ଛାଡ଼ି ମିଥ୍ୟାରେ ଜଡ଼ି ହୁଏ ନିଷିଦ୍ଧ |
ପରୋକ୍ଷରେ ଜାଲ ବିଛାଏ କ୍ରୁର ଚକ୍ରାନ୍ତକାରୀ
ହୀନ ଉପାୟରେ ଅଧର୍ମେ ଗମେ ସେ ପାପଚାରୀ |
ଷଡ଼ଯନ୍ତ୍ର ରହି ଆସିଛି ପୁରାଣୁ ପରମାଣୁ
ସତ୍ୟଠାରୁ କଳି ପର୍ଯ୍ୟନ୍ତ ସ୍ପଷ୍ଟ ନାନା ପ୍ରମାଣୁ |
>
ସତ୍ୟରେ ବାମନ ରୂପରେ କୂଟେ ଚାପିଲେ ବଳୀ
କପଟ ପଶାରେ ପାଣ୍ଡବେ ଗଲେ ଅରଣ୍ୟେ ଚଳି |
ଷଡ଼ଯନ୍ତ୍ର କରି ଶକୁନି ରଚେ ଭାରତ ରଣ
ଶିଖଣ୍ଡି ଦେଖାଇ ଭୀଷ୍ମକୁ ଦେଲେ ଶର ଶୟନ |
ମାୟା ମୃଗ ଛଳେ ସୀତାଙ୍କୁ ହରିନେଲା ରାବଣ
ଷଡ଼ଯନ୍ତ୍ର କରି ଫିରିଙ୍ଗି କଲେ ଦେଶ ଶାସନ |
ଧନ ରାଜ୍ୟ ଯଶ ରମଣୀ ଲୋଭେ ଚାଲେ ଚକ୍ରାନ୍ତ
କଳି ଯୁଗେ ଷଡ଼ଯନ୍ତ୍ରରେ ସାରା ଭୁବନ ବ୍ୟାପ୍ତ |
ଷଡ଼ଯନ୍ତ୍ର ବଳେ ଜିଣିଲେ ନୁହେଁ ପୌରୁଷେ ଗଣା
ଶୃଗାଳ ନୀତି ଏ କାପୁରୁଷତା ବାଜେ ବାଜଣା |
ଦେଶ ହିତେ ଶତ୍ରୁ ସାଧନେ ଷଡ଼ଯନ୍ତ୍ର ସ୍ଵାଗତ
ବୁଦ୍ଧି ବଳେ ନର ପାରଇ କରି ବିଶ୍ୱ ଆୟତ୍ତ |
ଆତ୍ମୀୟ ସ୍ୱଜନ ପାଇଁକି ଷଡ଼ଯନ୍ତ୍ର ନକର
ସତ୍ୟ ଶାନ୍ତି ଦୟା କ୍ଷମାଦି ଦିବ୍ୟ ଗୁଣ ଆଚର ।