STORYMIRROR

Lata Behera

Abstract

4  

Lata Behera

Abstract

ସୃଷ୍ଟି

ସୃଷ୍ଟି

1 min
377


ଭଗବାନଙ୍କ ସୃଷ୍ଟି ଅଟଇ ବିଚିତ୍ର 

     ଅତି ଲୋଭନୀୟ ସିଏ

ଜଳ, ସ୍ଥଳ, ବନ, ଆକାଶ, ପବନ

   ମହିମା ବର୍ଣ୍ଣିବ କିଏ ।


ନୀଳ ଆକାଶର ନୀଳିମା ଦେହରେ

   ଶୋଭା ସୂର୍ଯ୍ୟ, ଚନ୍ଦ୍ର ,ତାରା 

ସବୁଜ ସୁନ୍ଦର ଶ୍ୟାମଳ ବନାନୀ

    କି ସୁନ୍ଦର ଦିଶେ ଧରା ।


ସୂର୍ଯ୍ୟମୁଖୀ ଫୁଲ ଏମିତି ଗଢିଛ

   ସୂର୍ଯ୍ୟଙ୍କୁ ସେ ଚାହିଁ ଥାଏ

ତଡାଗ ଭିତରେ କମଳଟି ଫୁଟେ

    ସୂର୍ଯ୍ୟ ଯେବେ ଉଇଁ ଯାଏ ।


ଜହ୍ନକୁ ଦେଖିଲେ କଇଁ ହସୁ ଥାଏ

    ସମୀର ସାଥିରେ ଖେଳି

ଟିକି ପ୍ରଜାପତି ଉଡି ବୁଲୁଥାଏ

   ଏ କଳିରୁ ସେ କଳି ।


ଗୁଣ୍ଡୁଚିମୂଷାର ପିଠିରେ ଦେଇଛ

    କି ସୁନ୍ଦର ତିନି ଗାର

ପହିଲି ଫଗୁଣେ ବୃକ୍ଷ ପ୍ରଫୁଲ୍ଲିତ

   ଶୁଭେ କୋଇଲିର ସୁର ।


ଆକାଶରେ କଳା ମେଘ ଘୋଟି ଗଲେ

   ମୟୁର ନୃତ୍ୟ କରଇ 

ଗଙ୍ଗଶିଉଳିର ମଧୁର ମହକେ

   ଶର୍ବରୀ ମହକୁ ଥାଇ ।  


ତରୁର ଦେହରେ ପ୍ରସ୍ଫୁଟିତ ଫୁଲ

    ଫୁଲରୁ ସୃଷ୍ଟି ଯେ ଫଳ

ଗିରି ବକ୍ଷ ଦେଶୁ ଝରି ପଡୁ ଥାଏ

    ଶୀତଳ ମଧୁର ଜଳ ।


ସାଗର ଦେହର ନୀଳ ଉର୍ମିମାଳ

    ବେଳାଭୂମି ଛୁଇଁ ଯାଏ

କି ସୁନ୍ଦର ଦିଶେ ନୀଳ ପାରାବାର

    ଦୁଃଖ ସେ ଭୂଲେଇ ଦିଏ ।


ଜଳ ସ୍ଥଳଚର ସୃଷ୍ଟି କରିଅଛି

    କରିଛ ଉଭୟଚର

ଆକାଶ ବକ୍ଷରେ କିସୁନ୍ଦର ଡେଣା

   ଛାଡିଣ ଉଡେ ଖେଚର ।


ଚାରି ଗୋଟି ବେଦ ସୃଷ୍ଟି କରି ଅଛ

   ବ୍ରହ୍ମାଙ୍କ ମୁଖୁ ନିସୃତ

ଋକ ,ସାମ, ଯଜୁ ,ଅଥର୍ବ ବେଦ ସେ

   ଜଗତେ ସିଏ ବିଖ୍ୟାତ ।


ଚାରି ଗୋଟି ଯୁଗ ସୃଷ୍ଟି କରିଅଛ

   ସତ୍ୟ, ତ୍ରେତୟା, ଦ୍ବାପର 

କଳିଯୁଗ ସିଏ ଲୋକେ ପ୍ରକଟିତ 

   ନିଅ ପ୍ରଭୁ ଅବତାର ।


ରାକ୍ଷାସ, ଦାନବ, ମାନବ, ବାନର

   ଅନେକ କରିଛ ସୃଷ୍ଟି 

ଆକାଶ ମାର୍ଗରେ ମେଘ ସୃଷ୍ଟି କରି

    କର ଜଳଧାରା ବୃଷ୍ଟି ।


ତୁମରି ସୃଷ୍ଟିରେ ସଭିଁ ଏ ସମାନ

   ଜଗତ ପାଳନ କର

ପାପର ବିନାଶ ଧର୍ମର ସ୍ଥାପନ

   ପାଇଁ ନିଅ ଅବତାର ।


ଦୁଷ୍କଙ୍କୁ ବିନାଶି ସାଧୁଙ୍କୁ ଯେ ସ୍ଥାପି

   ଭକ୍ତ ପରେ ଦିବ୍ୟ ଦୃଷ୍ଟି 

କି ବର୍ଣ୍ଣି ପାରିବ ମୁର୍ଖ ଲତା ଏଇ

   ଧନ୍ୟ ପ୍ରଭୁ ତୁମ ସୃଷ୍ଟି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract