STORYMIRROR

Niranjan Mishra

Abstract

4  

Niranjan Mishra

Abstract

ସରସ୍ବତୀ ବନ୍ଦନା

ସରସ୍ବତୀ ବନ୍ଦନା

1 min
268


ଦିବ୍ୟ ଭୂଷଣ ଭୂଷିତା ମରାଳ ବାହିନୀ ।

ଶୁଭ୍ରବସନା ଜନନୀ ମାତ ବୀଣାପାଣି ।୧।

ଲଲାମେ ଶୋହେ ତୋହର ସିନ୍ଦୁରର ଟୀକା ।

ସୁବର୍ଣ୍ଣ କିରୀଟ ରାଜେ କେକୀ ପୁଚ୍ଛ ଶିଖା।୨।

ଅକ୍ଷମାଳା ଆବର ପୁସ୍ତକ ଶୋହେ ସଦା।

କର୍ପୂର ସମ ଗଉର ଦୀପ୍ତି ବରପ୍ରଦା।୩।

ସ୍ୱ ତେଜେ ତେଜସ୍ବିନୀ ମା ଜଗତ ଜନନୀ ।

ପଙ୍କଜାସନେ ନିବିଷ୍ଟା ଆହ୍ଲାଦ ଦାୟିନୀ।୪।

ପଦାମ୍ବୁଜ ନିବେଶି ଅମ୍ବୁଜ କୁସୁମରେ।

କୋଟି ସୁଖ ଭରୁଅଛ ଭକତ ମନରେ ।୫।

ଗଳେ ଦୋଳେ ଗଜମୋତି ହାର ମା ତୁମର।

କୁନ୍ଦ କୁସୁମ ମାଳା ଦିଶଇ ମନୋହର।୬।

ଚତୁର୍ଦ୍ଦିଗ ତେଜୋମୟ ଦୀପ୍ତିରେ ତୁମର।

ବିଚ୍ଛୁରିତ ତେଜ ହତ କରେ ଅନ୍ଧକାର ।୭।

ପ୍ରସନ୍ନ ବଦନା ମାତ ତୋତେ ସୁମରିଲେ ।

ବରଦାୟିନୀ ହେଉ ମା କରୁଣା ତୁ କଲେ ।୮।

ବାଣୀ ନ ସ୍ଫୁରଇ ନ ହୋଇଲେ ତୋ କରୁଣା ।

ବ୍ରହ୍ମା ବିଷ୍ଣୁ ରୁଦ୍ର ସଭିଏଁ ହୁଅନ୍ତି ବଣା ।୯।

କଣ୍ଠେ ବସି ପଦମାନ କହୁ ତୁ ସର୍ବଦା ।

ତୋର କୃପା ବିନା ମାତ କେ ଆନ ବରଦା।୧୦।

ଶୁଦ୍ଧ ସ୍ଫଟିକ ସମାନ ମତି ମୋର କର।

ବନ୍ଦନା କରେ ମୁଁ ମାତ ତୋର ଶ୍ରୀପୟର।୧୧।

ମାଘ ଶୁକଳ ପଞ୍ଚମୀ ତୋ ଜନମ ଦିନ।

ପ୍ରଣତି ଢାଳେ ମାତ ମୋ ଘେନ ନିବେଦନ ।୧୨।

ପ୍ରାତଃ କାଳେ ସୁମରୁଛି ଜନନୀ ତୁମକୁ।

ମାନସ ପୂଜନ ମାତ ସମର୍ପେ ତୁମକୁ।୧୩।

କୃପା ବହି କୃପାମୟୀ କରୁଣା କରିବୁ।

ଅଜ୍ଞାନ ତମିସ୍ରା ନାଶି ଆଲୋକ ଭରିବୁ।୧୪।



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract