ସର୍ବୋଚ୍ଚ ସ୍ଥାନରେ ପରା
ସର୍ବୋଚ୍ଚ ସ୍ଥାନରେ ପରା
ସଂସ୍କୃତି ଅଟେରେ ସର୍ବୋପରି ଯହିଁ
ରଖିଥିବୁ ପ୍ରାଣ ଯାଏ,
ଥିଲେଟି ସଂସ୍କାର ଜୀବନ ଯାତ୍ରାରେ
ଆଦର ତାହାରି ହୁଏ।
ନଭୁଲିବୁ କେବେ ସଂସ୍କାର ନିଜର
ନଭୁଲିବୁରେ ସଂସ୍କୃତି,
ନଭୁଲିବୁ କେବେ ଜନନୀର ଭାଷା
ଭରି ଦିଏ ଜ୍ଞାନ ଶକ୍ତି।
ଆଦର କରିବୁ ନିଜ ମାତୃଭାଷା
ଜନନୀର ଭାଷା ପରା,
କରିବୁ ସୁରକ୍ଷା ମନ ପ୍ରାଣ ଦେଇ
ଅଟେରେ କର୍ତ୍ତବ୍ୟ ପରା।
ଓଡ଼ିଆ ସଂସ୍କୃତି ଓଡ଼ିଆର ଭାଷା
ବୋଳି ଅଛି ଶିଶୁ କାଳୁ,
କିପରି ଭୁଲିବୁ ନିଜ ମାତୃଭାଷା
ମିଳିଛି ଜନନୀ କୋଳୁ।
ଆଦର କରିବୁ ପଢିବୁ ଓଡ଼ିଆ
ଜ୍ଞାନର ପ୍ରଦୀପ ଏହୁ,
ଏହାବଳୁ ହେବ ଉନ୍ନତି ତହର
ସମ୍ମାନ ପାଇବୁ ବହୁ।
ହୀନିମାନ କିମ୍ପା କରୁଛୁ ଏହାର?
ଜୀବନେ ଅସ୍ତିତ୍ଵ ଏହୁ,
ଶିକ୍ଷା ପ୍ରାଥମିକ ନାହିଁ ନିଜ ଭାଷା
ଦାସତ୍ୱ ଯାଇନି ଦେହୁ।
ରାଷ୍ଟ୍ରଭାଷା ତୋର ଅଟେ ପରାହିନ୍ଦୀ
ଓଡ଼ିଆ ଟି ମାତୃଭାଷା,
ଦାସତ୍ବ ଭାଷାର ପଛରେ ଧାଇଁଛୁ
ଶିକ୍ଷାଟି ବିଦେଶୀ ଭାଷା।
କିପରି ମନୁଷ୍ୟ ସାଜିଛୁ ମହୀରେ
ଭାଷା ରାଷ୍ଟ୍ରପ୍ରେମ କାହିଁ,
ପ୍ରୀତି ଦାସତ୍ବର ଯାଇ ନାହିଁ ଦେହୁ
ଚିନ୍ତିତ କରୁଛି ତହିଁ।
ଓଡ଼ିଆ ଠାକୁର ପ୍ରଭୁ ଜଗନ୍ନାଥ
ପରା ଦାରୁବ୍ରହ୍ମ ସେହୁ,
ଓଡ଼ିଆ ଭାଷାଟି ସବୁଠୁ ପୂରଣା
ଜାଣି ନାହୁଁ କିବା ଏହୁ।
ବାନା ନୀଳଚକ୍ର ଦେଏରେ ସନ୍ଦେଶ
ତ୍ୟାଗ ସତ୍ୟ ଭକ୍ତି ପ୍ରେମ,
ଏପରି ଗୌରବ ଏ ଭୂମିର ପରା
ଯହିଁ ଅହିଂସାର ଧର୍ମ।
ବିଚ୍ଛିନ୍ନାଞ୍ଚଳର ଦୁର୍ଗତି କୁ ଦେଖ
ଆତୁର ଟି ଶିକ୍ଷା ପାଇଁ,
ଉତ୍କଳୁ ବିଚ୍ଛିନ୍ନ ଅଟେ ଏହୁ ଭୂମି
କର୍ତ୍ତବ୍ୟ ଟି ଧ୍ୟାନ ପାଇଁ।
ଓଡ଼ିଆ ରୋଦନ ଶିକ୍ଷାର ନିମନ୍ତେ
ନାହିଁ ଧ୍ୟାନ କାର ଏଠି,
ଅତି କଷ୍ଟକର ଜୀବନ ବ୍ୟତୀତ
ନାହିଁ ଭାଷା ଶିକ୍ଷା ଏଠି।
