ସର୍ବହରାର ଇସ୍ତାହାର
ସର୍ବହରାର ଇସ୍ତାହାର
ମୁଁ ସର୍ବହରା
ଅରକ୍ଷିତ ବେସାହାରା
ଭାତ ମୋ ପାଇଁ ଅପହଞ୍ଚ
ବସ୍ତ୍ର ଓ ବାସଗୃହ
ଦୂରନ୍ତ ସ୍ଵପ୍ନ
ସୁଖ ସଂଭୋଗ
ଜାଦୁଗରର ଇନ୍ଦ୍ରଜାଲ
ବୁର୍ଜ୍ଜୁଆଙ୍କ ଦ୍ଵାରା
ଚିରଦିନ ଶୋଷିତ
ଅଥଚ ସେମାନଙ୍କ
ଦୟାରେ ପ୍ରତିପାଳିତ
ସାମାଜ ଶାସ୍ତ୍ରୀ - ଅର୍ଥଶାସ୍ତ୍ରୀଙ୍କ
ପ୍ରୟୋଗଶାଳାରେ ପରୀକ୍ଷିତ
ଇଜ୍ଜତ ମହତ ମୋର
ଦୁନିଆ ଦାଣ୍ଡରେ
ସଦା ଭୁଲୁଣ୍ଠିତ
ମୋ ସ୍ବାର୍ଥ ସମ୍ମାନ ଉତ୍ଥାନ ପାଇଁ
କେତେ କୁସ୍ତି କସରତ
କେତେ ବାକ୍ ବିତଣ୍ଡା
କେତେ ରକ୍ତାକ୍ତ ସଂଘର୍ଷ
କେତେ ଅନୁଦାନ ପ୍ରୋତ୍ସାହନ
କେତେ ଅରଣ୍ୟ ରୋଦନ
କେତେ କୁମ୍ଭୀର କ୍ରନ୍ଦନ
ଅଥଚ ମୁଁ ଶୋଷିତ ନିଷ୍ପେସିତ
ଚିରକାଳ ଚିରଦିନ
ମାର୍କ୍ସବାଦ - ଲେଲିନବାଦ
ପୁଞ୍ଜିବାଦ - ସାମ୍ୟବାଦ
ସମାଜବାଦ - ଗାନ୍ଧୀବାଦ
ସାଂସ୍କୃତିକ ରାଷ୍ଟ୍ରବାଦ
ମୋ ପାଇଁ କେତୋଟି
ଦୁର୍ବୋଧ୍ୟ କ୍ଲିଷ୍ଟ ଶବ୍ଦ ପୁଞ୍ଜ
ବଜାରବାଦ - ଉଦାରବାଦ
ଅର୍ଥନୀତିରେ ମୁଁ
ଗୋଟେ ପଣ୍ଯ ସାମଗ୍ରୀ
ଶ୍ରମ ଶକ୍ତିର ଉତ୍ସ
ମୂଲର ବଜାରେ
ପେଟର ଭୋକ ମହଙ୍ଗା
ଅଥଚ ମଣିଷ ଖୁବ୍ ଶସ୍ତା
ଦେଶ ଗଢା ହୁଏ
ମୋ ରକ୍ତ ମାଂସ ସ୍ବେଦର
ଅକାତର ବଳିଦାନରେ
ମୁଁ ଖଟିଖିଆ ଦିନ ମଜୁରିଆ
ତୃତୀୟ ବିଶ୍ବର
ଅଗ୍ରଣୀ କର୍ଣ୍ଣଧାର
ମାନବାଧିକାର
ମୌଳିକାଧିକାର ରୁ
ବଞ୍ଚିତ ଲାଞ୍ଛିତ
ମୁଁ ସର୍ବହରା
ଲଢ଼ି ଲଢ଼ି ଭାଗ୍ୟ ସହ
ବିଧି ସହ
ବଞ୍ଚିବା ଟା
ମୋର ଅଧିକାର
ଏହି ମୋର ଆତ୍ମଲିପି
ସର୍ବହରାର ଇସ୍ତାହାର
