ସପନର ଦୁନିଆ
ସପନର ଦୁନିଆ
ସପନରେ ଆସି ସପନେ ଲେଉଟ
ସପନ ନାୟକ ମୋର,
ସପନଟି ସତ ହେବ କେବେ ନାଥ
ଗଢିବି ସପନ ଘର ।
ସ୍ଵପ୍ନେ ସଜାଇଛି ଶୟନ କକ୍ଷକୁ
ଗଜଦନ୍ତ ପଲଙ୍କରେ,
ରୋଷେଇ ଶାଳରେ ରାନ୍ଧିଛି ଶ୍ରଦ୍ଧାରେ
ତିଅଣ କେତେ ପ୍ରକାରେ।
ଗାଧୁଆ ଘରେ ମୁଁ ସଜାଡ଼ି ରଖିଛି
ଗୋଲାପ ଅତର ଜଳ,
ପାଟ ବସ୍ତ୍ର ଭାଙ୍ଗି ସରାଗେ ଥୋଇଛି
ତା ସାଥେ ଦୟଣା ମାଳ।
କୁଟୀର କରିଛି ବଡଦେଉଳ ମୁଁ
ସାଜିଛି ତୋହର ଦାସୀ,
ତୋ ସେବାରେ ଊଣା ରଖିନି କାଳିଆ
ତୋ ପଥ ଚାହିଁଛି ବସି।
ସତେ କି ଆସିବୁ ଶ୍ରୀମନ୍ଦିର ଛାଡ଼ି
ଏ ଦାସୀ ଝୁପୁଡି ଘରେ,
ଭ୍ରାତା ଓ ଭଗିନୀ ଜାୟା ମୋହ ତ୍ୟାଗୀ
ନେବୁ କି ମୋତେ ବାହୁରେ ।