ସ୍ପନ୍ଦିତ ହେଉ ପ୍ରାଣ
ସ୍ପନ୍ଦିତ ହେଉ ପ୍ରାଣ


ଓଡ଼ିଆ ବଧୂ ଓଡ଼ିଆ ପୁଅ ଛାଡିଛି ଟାଣପଣ
ଓଡ଼ିଆ ଜାତି ଓଡ଼ିଆ ମାଟି ମୁଖେ ଦେଉଛି ହାଣ
ଓଡ଼ିଆ ପ୍ରୀତି ପରବ ରୀତି ଓଡ଼ିଆ ସ୍ଵାଭିମାନ
ନବ ବରଷ ଅସିଛି ହେଲେ ଜାଣନ୍ତି କେତେ ଜଣ !
ପଣାସଂକ୍ରାନ୍ତି ଆସିଛି ହେଲେ ପଣାରେ ନାହିଁ ମନ
ଛେନା ନବାତ ରହିଛି ଯହିଁ ଓଡ଼ିଆ ହୃଦପ୍ରାଣ
ପକ୍ଵ ବିଲ୍ଵ ରମ୍ଭା ସପୁରୀ ରସାଳ ଇକ୍ଷୁରସ
ସାତଦରିଆ ଆରପାରିରେ ଗାଏ ଓଡ଼ିଆ ଯଶ ।
ମହାବୀରଙ୍କ ଜୟନ୍ତୀ ସାଥେ ଝାମୁଯାତରା ଆସେ
ମେରୁପରବ ଆଣେ ଗରବ ନବରାତ୍ରିରେ ହସେ
ଜନମମାଟି ଜନମଦାତ୍ରୀ କରିକି ଅବହେଳା
ରହିଛି କିଏ ଭଲରେ କାହିଁ କରି ବିଜାତି ମେଳା ।
ସ୍ଵଧର୍ମ ନାଶି ପରଧରମେ ରଖିଛି ଯିଏ ମନ
ଭୁଲିଛି ଯିଏ ଆପଣା ଭାଷା ଆପଣା ଖାଦ୍ୟଗୁଣ
ଉଠିଛି କେବେ ଟେକିଛି ଶୀର ଦେଖିଛ କିଏ କାହିଁ
ନବବରଷ ଆସିଛି ହେଲେ ଜାଣନ୍ତି ନାହିଁ କେହି ।
ଅସ୍ତାଚଳେ ଡୁବିବା ଆଗୁ ଓଡ଼ିଆ ରବିକାନ୍ତି
ଓଡ଼ିଆ ସବୁ ଆସରେ ଆସ ଗାଇବା ଐକ୍ୟ ଗୀତି
ଚେତନା ଆମ ହଜିଛି କାହିଁ ଭାଜିଛି କାହିଁ ମନ
ତନ୍ଦ୍ରା ହଟୁ ନୟନୁ ଆମ ସ୍ପନ୍ଦିତ ହେଉ ପ୍ରାଣ ।