STORYMIRROR

Hrushikesh Satpathy

Classics

3  

Hrushikesh Satpathy

Classics

ସପନ ସ୍ଲୋଗାନ

ସପନ ସ୍ଲୋଗାନ

1 min
404

ସୁନା ଚଢ଼େଇକୁ ଖୋଜୁ ଖୋଜୁ ଆଜି

     ପାଇଲି ମୁଁ ରୂପା ଜହ୍ନ

ସେ ଜହ୍ନ ଗାଇଲା ଗୀତ ଅପାସୋରା

     ଚୁମି ଦେଇଗଲା ମନ


ମନରେ ମନରେ  ଭାବି ନେଇଗଲି

    ଜଣାଶୁଣା ତା' ସଙ୍ଗୀତ

ସେଇ ସଙ୍ଗୀତର ସୁରରେ ସୁରରେ

     ଅଛି ପ୍ରୀତି ଅପ୍ରମିତ


ଗାଇ ଯାଉଥିଲା  ସମ୍ପର୍କ ସଙ୍ଗୀତ

     ବନ୍ଧନ, ଭାବ ବିସ୍ତୃତ

କେମିତି କହିବି   ବୁଝି ମୁଁ ପାରୁନି

    ତା' ଗୀତ ସ୍ୱୟଂ ସମ୍ଭୂତ


ସମ୍ପର୍କ ସଙ୍ଗୀତ  ଆଜିର ନ ଥିଲା

    ନ ଥିଲା କିଛି ଦିନର

ଜନମ ହେବାର  ପୂର୍ବର ସୃଜନୀ

    ସତେକି ସେ ଜାତିସ୍ମର


ସତରେ ସମ୍ପର୍କ   ନିଭୃତ ମନର

    ନମ୍ର ନମ୍ର ନିବେଦନ

ଦୁଇଟି ମନର  ପ୍ରାଣର ପୃଷ୍ଠାରେ

    ଅଭିଷିକ୍ତ ଆବେଦନ


ଲାଜକୁଳୀ ଲତା ସରମେ ଯେମିତି

    ନରମରେ ନଇଁଯାଏ

ସୁନ୍ଦର ସମ୍ପର୍କ ସତ୍ୟନିଷ୍ଠ ହୋଇ

   ଯୁଗ ଯୁଗ ଲେଖା ହୁଏ


ଲେଖା ହୁଏ ତାହା ଦୁଇଟି ହୃଦୟେ

   ପୁଣ୍ୟ ପତ୍ର ଫଳକରେ

ସେଇ ଫଳକର ପାଖୁଡା ପାଖୁଡା

   ହସୁଥାଏ ପୁଲକରେ


ସୁନା ଚଢ଼େଇର  ସପନ ସ୍ଲୋଗାନ

    ଥିଲା ସତେ ବିଚକ୍ଷଣ

ମାନବେ ମାନବେ ଦେଇ ଯାଉଥିଲା

    ସମ୍ପର୍କ ଦିବ୍ୟ ଦର୍ଶନ


ସେ ସୁନା ଚଢ଼େଇ ସେଇ ରୂପା ଜହ୍ନ

   ସେ ସମ୍ପର୍କ ଅପାସୋରା

ସାଇତି ରଖିଲି   ହୃଦୟ ଭିତରେ

   ସମ୍ପର୍କ ସ୍ୱୟଂ ଅସରା


ହଜେଇ ଦେବିନି ହରେଇବି ନାହିଁ

   ଭାଙ୍ଗିବି ପାରିବି ନାହିଁ

ଗାଇ ଯାଉଥିବି ସୁରରେ ସୁରରେ

   ସମ୍ପର୍କ ସୁରେ ସଜାଇ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics