ସଫଳତାର ଅନ୍ୟ ନାମ ସଘଂର୍ଷ
ସଫଳତାର ଅନ୍ୟ ନାମ ସଘଂର୍ଷ
ଦେଖିଅଛେ ବହୁଳ ଆଦର୍ଶ ଓ ଦର୍ଶନ,
ଅନେକ ସଭ୍ୟତା ସଂସ୍କୃତି
ବିଭିନ୍ନ ଧର୍ମକୁ ଧର୍ମ ପୀଠ ଓ ଧର୍ମ ଭାବକୁ
ଧ୍ୱଜାଧାରୀ ପ୍ରଚାର କରନ୍ତି |୧|
ରହି ଅଛି ଗଦା ଗଦା ଚାଲି, ଚଳଣି,
ବେଶ ଭୁଷା ଓ ଭାଷା
ବିଶାଳ ଏ ପୃଥିବୀରେ ମଣିଷର ମୁକ୍ତି
ପାଇଁ କେତେ ଆଶା |୨|
କେତେ ଶୀତ ଯାଏ, ଗ୍ରୀଷ୍ମ ବି ଆସେ,
ଧାବମାନ ସମୟ ଗତିରେ
ଚାଲିଯାଏ ସମୟ ତ ବେଦ ବେଦାନ୍ତର
ସାର ମର୍ମ ଜାଣିବାରେ |୩|
ଆଗକୁ ମାଡେ ଭଜନ, କୀର୍ତ୍ତନ, ସତ୍
ସଙ୍ଗ ସାଥି ର ଆସରେ
ମୋର ମୋର ଆବୋରି ଥିବା ଭାବ ଛାଡିଛି
କି କିଏ ଜୀବନରେ |୪|
ମୋ ପରିବାର, ମୋ ବନ୍ଧୁ ,ମୋ ପିଲା,
ମୁଁ ର ବନ୍ଧନୀ ପାଚେରୀରେ
ଜୀବନଟା ଯାକ ହୋଇ ବନ୍ଧା କଟି ଯାଏ
ଜୀବନ ଏହି ପରିଧି ଭିତରେ |୫|
ପରିବର୍ତ୍ତନଶୀଳ ଦୁନିଆରେ ମଣିଷ ଆଗକୁ
ଆଗକୁ ମାଡି ଚାଲିଛି
ନୂଆ ଶତାବ୍ଦୀରେ ପାଦ ରଖି ପୁରୁଣା କଥାକୁ
ସେ ଭୁଲି ତ ଯାଉଛି |୬|
ସବୁ ଭିତରେ ନିଜକୁ ଖୋଜଇ ଏ ମଣିଷ
ପ୍ରତିଯୋଗିତା ଦୌଡ଼ରେ
କଣ ପାଇଛି ବା ହରେଇଛି ହିସାବକୁ ସମୟ
ନଥାଏ ତା ପାଖରେ |୭|
ଧୈର୍ଯ୍ୟର ଜୀବନ ଯାପନରେ ମନ ପାଏ କିଛି
କ୍ଷଣ ପାଇଁ ଶାନ୍ତି
ପ୍ରକୃତିର ବିଚିତ୍ରତା ଜାଣି କଲେ ଯାତ୍ରା ପାଏ ସେ
ଭଲ ମନ୍ଦ ଅନୁଭୂତି |୮|
ଜୀବନଦୌଡର କସରତରେ ଶିଖେ ବିଫଳତାର
କାରଣ ଆଳସ୍ଯ
କଷ୍ଟ ସତ କିନ୍ତୁ ମଣିଷକୁ ମଜବୁତ୍ କରି ଗଢି କରି
ତୋଳେ ସଘଂର୍ଷ |୯|
