ସଂସାର ହାଟ
ସଂସାର ହାଟ
![](https://cdn.storymirror.com/static/1pximage.jpeg)
![](https://cdn.storymirror.com/static/1pximage.jpeg)
ସଂସାର ହାଟରେ ଜୀବନ।
ପଡ଼ିଣ ହୁଏ ହୀନିମାନ।।
ଚାଲିଛି ଭାବର ବେପାର।
ଅଭାବେ ସର୍ବ ଛାରଖାର।।
ବିନାମୂଲ୍ୟରେ ମିଳେନାହିଁ।
ତ୍ୟାଗ ବିହୁନେ ଭୋଗ ନାହିଁ।।
ସମ୍ପର୍କ ଏଠି କିଣା ବିକା।
ସ୍ୱାର୍ଥ ହିଁ ମୂଲ୍ୟବାନ ଏକା।।
ସ୍ୱାର୍ଥରେ ଯେବେ ପଡ଼େ ବାଧା।
ଗଣ୍ଠି ହୁଗୁଳେ ହୋଇ ଅଧା।।
କେ ହସେ କାରେ ଦୁଃଖ ଦେଇ।
କେ କାନ୍ଦେ କାର ହସ ପାଇଁ।।
ଅହଙ୍କାରର ପୁଞ୍ଜି ଧରି।
ପୁରାନ୍ତି ନିଜର କୋଥଳି।।
କେ ବିକେ ଅର୍ଜିତ ଯୋଗ୍ୟତା।
କେ ନିଜ ଶ୍ରମର ବିକ୍ରେତା।।
ଲଗାଏ ବାଜି କେ ଜୀବନ।
ଚତୁରେ କେ ହରେ କା ଧନ।।
କେ ଦେହ ବିକେ ଏ ହାଟରେ।
କେ ମୁଢ଼ କପଟ ଆଚରେ।।
କେ ନିଜ ପ୍ରତିପତି ବଳେ।
ନିରୀହ ସମ୍ପଦକୁ ହରେ।।
କେ ନିଜ ଇଛାରେ ବେପାରୀ।
କେ ସାଜେ କାହା ହାତେ ଗୁଡ଼ି।।
ଲାଭ ହିଁ ମୂଳ ଏ ହାଟର।
ଲାଭ ନଥିଲେ କେ କାହାର।।
ନିଜର ଲାଭ ଟିକେ ପାଇଁ।
ଅପରେ ଯାତନା ଦିଅଇ।।
ଏ ହାଟ ଅତ୍ୟନ୍ତ ବିଚିତ୍ର।
ଲୋଭରେ ବଦଳେ ଚରିତ୍ର।।
ଆସନ୍ତି ଶୁନ୍ୟ ମୁଣି ଧରି।
ଫେରନ୍ତି ଏଠୁ ଖାଲି ପୁଣି।।
ତଥାପି ଅବୋଧ ମାନବ।
ବିସ୍ତାରେ ନିସତ ପ୍ରଭାବ।।
ଏ ହାଟ ମାୟା ଆବରଣେ।
ଆକର୍ଷେ ଜୀବେ ଅକାରଣେ।।
ନିଷ୍କାମ କର୍ମ ଏକ ମାତ୍ର।
ହାଟରୁ ମୁକ୍ତ ହେବା ସୂତ୍ର।।
ଏବେଠୁ ସ୍ୱ-ବାସ ସ୍ମରଣେ।
ଆସକ୍ତି ମୁକ୍ତ ହୁଅ ହେଳେ।।