ସଂସାର ବନ୍ଧନ
ସଂସାର ବନ୍ଧନ
ସଂସାର ବନ୍ଧନ ମାୟାରେ ଛନ୍ଦିତ
କେହି ବି କାହାର ନୁହେଁ,
ମଲାବେଳେ କେହି ସାଥିରେ ଯାଏନା
ମାଟି ପିଣ୍ଡ ଜଳିଥାଏ ।
ଦେଖେ ନିତି ଏହି ଅପ୍ରିୟ ସତ୍ୟକୁ
ତଥାପି ବିଶ୍ୱାସ ନାହିଁ,
ମୃତ୍ୟୁର ସତ୍ୟକୁ ଗ୍ରହଣ କରେନା
ରହେ ସ୍ନେହେ ବାନ୍ଧି ହୋଇ ।
ମାୟା ହେଉ ପଛେ ସଂସାର ବନ୍ଧନ
ଲାଗେ ବାସ୍ତବତା ପରି,
ପରସ୍ପରେ ବାନ୍ଧି ରଖିଥାଏ ପରା
ସ୍ନେହ ମମତାର ଡୋରୀ ।
ପରିବାରେ ଥାଏ ଅତୁଟ ବନ୍ଧନ
ଉନ୍ମୁକ୍ତ ହୃଦୟ ପ୍ରୀତି,
ପତି ପତ୍ନୀ ଅବା ସନ୍ତାନ ସନ୍ତତି
ରହନ୍ତି ଯେ ହୋଇ ସାଥି ।
ଏକ ମନ ଏକ ହୃଦୟକୁ ନେଇ
ବହେ ମମତାର ଧାରା,
ରକ୍ତର ସମ୍ପର୍କ ତୁଟେ ନାହିଁ କେବେ
ଧରା ଲାଗେ ସ୍ୱର୍ଗ ପରା ।
ସଂସାର ବନ୍ଧନେ ସମାଜର ନୀତି
ଶୃଙ୍ଖଳିତ କରିଥାଏ,
ବିବାହ ବନ୍ଧନ ଅନ୍ୟ ପରିବାରେ
ସମ୍ପର୍କ ଯେ ଯୋଡିଥାଏ ।
ନୂଆ ପରିବାର ଗଢ଼ା ହୁଏ ଯେବେ
ହୁଏ ତ ନୂଆ ସଂସାର,
ନୂଆ ମନେ ବହେ ବନ୍ଧନର ମାୟା
ଛୁଇଁ ଯେ ପ୍ରୀତି ସମୀର ।
ସଂସାର ବନ୍ଧନ ନଥିଲେ ସଂସାରେ
ଜୀବନେ ନଥାନ୍ତା ମୂଲ୍ୟ,
ନଥାନ୍ତା ସମାଜ ବଞ୍ଚିବାଟା ସାର
ଶୁଷ୍କ ମରୁଭୂମି ତୁଲ୍ୟ ।
ସଂସାର ବନ୍ଧନ ସମାଜର ଦାନ
ବଞ୍ଚିବାକୁ ଦିଏ ରାହା,
ସହଭାଗି ସବୁ ଦୁଃଖେ ଅବା ସୁଖେ
ପରସ୍ପରେ ହୋଇ ସାହା |