ସଂପର୍କ ଏଠି
ସଂପର୍କ ଏଠି
ସଂପର୍କ ଏଠି ପ୍ରେମର ସୂତା ଖିଅରେ ବନ୍ଧା
ସାମାନ୍ୟ ନେଲେ ଭିଡି଼ ଯାଏ ସେ ଛିଡି଼
ଲାଗେ କୁହୁକର ପେଡି଼ ଯାଦୁର ଛଡି଼
ପ୍ରଥମେ ପ୍ରଥମେ ଆକର୍ଷି ନିଏ
ଚୁମ୍ବକରେ ଲୁହାଖଣ୍ଡ ପରି ଯାଏ ଯୋଡି଼
କ୍ଷୀର ନୀର ମିଶ୍ରଣର ଥାଇ ନିବିଡ଼ତା
ଅଲଗା ହେବା ଲାଗୁଥିଲେ ବି ଅସମ୍ଭବ
ହଠାତ କେତେବେଳେ ସେ
ଭାଙ୍ଗିଯାଏ ଗାଢ଼ ନିଦ୍ରାର ମଧୁର ସ୍ଵପ୍ନ ଭଳି
ଖୋଜିଲେ ମିଳେନା ତାର ଅସ୍ତିତ୍ବ
ସବୁ ଅଚାନକ ଯାଏ ବିଗିଡି଼
ସଂପର୍କ ଏଠି ପାଣିର ଗାର ଧୂଆଁଧାର
ନିମିଷକେ ହଜିଯାଏ ଠିକଣା ତାର
ଯେତେ ସ୍ମୃତି ଥାଉ ଅଭୁଲା କି ଅପାଶୋରା
ଉଡ଼ନ୍ତା ଚଢେଇ ପରି ଉଡି଼ଯାନ୍ତି
ପୋଷା ମାନନ୍ତିନି ଦିଅନ୍ତିନି ସହଜେ ଧରା
ଏଠି କିଏ କାହାର ହୁଏ ସାହାରା
ଛାଡି଼ ଦେଇ ଜଣେ ଜଣକୁ ଚାଲିଯାଏ
ପିଠିରେ ପଡି଼ଲେ ଟିକିଏ ଖରା
କେହି ହୁଅନ୍ତିନି କାହାରି ବୋଲକରା
ମନ ମଳିନ ପଡେ ହୃଦୟେ ଆବିଳ ଭରା
କରି ହୁଏନା ତାକୁ ସଫାସୁତୁରା
ସଂପର୍କ ଏଠି ସ୍ବାର୍ଥରେ ବଶ କୁଟିଳ ହସ
ନିରୁଦ୍ଦିଷ୍ଟ ହୁଅନ୍ତି ଭରସା ବିଶ୍ଵାସ
ଆଶା ଆକାଂକ୍ଷା ଆକାଶର ଭସା ବାଦଲ
ବରଷେ ନାହିଁ ଖାଲି ବହେ ବତାସ
ଭାଗ୍ୟକୁ ନିନ୍ଦି ଅନ୍ୟକୁ ଦିଆହୁଏ ଦୋଷ
ନିଜ ଉପରେ ରହେନା ନିଜର ବିଶ୍ବାସ
କାମନା ସରୁଛି ନା ହେଉଛି ଦୁଃଖର ବିନାଶ
ସବୁ ଧିରେ ଧିରେ ହୋଇଯାଏ ଶେଷ
ରହିଯାନ୍ତି ଅଶାନ୍ତି ଅସନ୍ତୋଷ ଅବଶୋଷ
ହୁଏ ଯିଏ ଶାନ୍ତ ସରଳ ନମ୍ର ଭଦ୍ର ମଣିଷ
ବୁଝେ ଯଦି ସଂପର୍କ ଏଠି କେବଳ ବିଶ୍ଵାସ
ସେବା ତ୍ୟାଗ ହୁଏ ତାର ନିଶ୍ଵାସ ପ୍ରଶ୍ଵାସ ।