ସନ୍ନ୍ୟାସ
ସନ୍ନ୍ୟାସ
ତୁମ ସମ୍ଭାଳ ତୁମର ସୁନ୍ଦର ଗୃହସ୍ଥକୁ
ମୁଁ ତ ଏବେ ସନ୍ନ୍ୟାସ ନେବା ପଥରେ ,
ବହୁତ ହୋଇଗଲା,
ଲୋକଦେଖାଣିଆ ଦାମ୍ପତ୍ୟର ବୋଝ
ବାକି ଜୀବନ ତୁମେ ବି ତ ଟିକେ
ଚେଷ୍ଟା କର ,
ବୋଝ ମୁଣ୍ଡାଇ ଚାଲିବା ନିମନ୍ତେ,
କ'ଣ ନାରୀଟିଏ ବୋଲି,
ମୋ ପକ୍ଷରେ ଅପ୍ରାପ୍ୟ ଏ ସନ୍ନ୍ୟାସ !
ଯୁଗ-ଯୁଗାବ୍ଦରୁ ମୋ ଉପରେ ହିଁ ନ୍ୟସ୍ତ,
ସଂସାରର ସବୁ ବୋଝ ,
ଜାୟା-ଜନନୀ-ଭଗିନୀ ରୂପେ
କାଳ କାଳ ବ୍ୟାପୀ ଚିତ୍ରାୟିତ ,
ମୋର ହିଁ କାୟା-କଳ୍ପ ,
ସଂସାର ମାୟାଜାଲରେ ଛନ୍ଦି ହୋଇ
ମୁଁ କ'ଣ କେବେ ବି ହୋଇପାରିବି ନାହିଁ!
ମୋକ୍ଷ-ପଥ-ଗାମିନୀ ,
ହିମାଳୟର ପାଦ ଦେଶରୁ
ସର୍ବ ପ୍ରଥମେ,
ଦ୍ରୌପଦୀଙ୍କ ପାଦ ଖସିବା ପରି ,
ମୁଁ ମଧ୍ୟ ପ୍ରତି ମୂହୁର୍ତ୍ତରେ,
ହେଉଥିବି ବିପଥଗାମିନୀ ,
ସେଦିନ ତ କାହିଁ !
ପାଞ୍ଚ-ପାଣ୍ଡବଙ୍କ ମଧ୍ୟରୁ
ଜଣେ ହେଲେ ମଧ୍ୟ
ହାତ ଧରି ନ ଥିଲେ କୃଷ୍ଣାଙ୍କର !
କ'ଣ ବା ଭୁଲ ଥିଲା ତାଙ୍କର !
ସେଦିନ ଯଦି ଗୌତମ ବୁଦ୍ଧଙ୍କ ପ୍ରତିବଦଳରେ
ଗୃହତ୍ୟାଗୀ ସନ୍ନ୍ୟାସିନୀ ହେବା ପାଇଁ,
ଚେଷ୍ଟା କରିଥା'ନ୍ତେ ଯଶୋଧାରା,
କ'ଣ ଇତିହାସ ତାଙ୍କୁ କରିପାରନ୍ତା କ୍ଷମା !
ସବୁବେଳେ ଧର୍ମ-କର୍ମ ,
ନ୍ୟାୟ-ନୀତିର ରଜ୍ଜୁରେ ,
କାହିଁକି ବନ୍ଧା ନାରୀଟିଏ !
କେଉଁ ବିଧାତା ତା' ଉପରେ ଲଦିଛନ୍ତି !
ସମଗ୍ର ଗୃହର ଦାୟିତ୍ଵ !
ସମସ୍ତ ଗୃହସ୍ଥର ଦାୟିତ୍ୱ !
କିନ୍ତୁ ,
ମୁଁ ତ ଏବେ ନିଜକୁ କରିଛି ମୁକ୍ତ ,
ତୁମ ଉପରେ ଲଦିଛି,
ସମଗ୍ର ଗୃହସ୍ଥର ବୋଝ !
ମୁଁ ଜାଣେ ,
ତୁମର ପାରିବାପଣିଆ ମୋ ଠାରୁ ବେଶ୍ ଭଲ,
ସେଥିପାଇଁ ମୁଁ ଏବେ ନିଶ୍ଚିତରେ ସାଜିଛି
ତୁମ ଅର୍ଦ୍ଧାଙ୍ଗିନୀରୁ
ସନ୍ନ୍ୟାସ ପଥର ପଥଚାରିଣୀ ,
