ସଂକଟେ ମୋ ମାତୃଭାଷା
ସଂକଟେ ମୋ ମାତୃଭାଷା
ମାତୃଭାଷା ପ୍ରେମ ଏ ଓଡିଶା ଭୂମେ
କମି କମି ଯାଏ କାହିଁ,
ଆପଣା ମନକୁ ପଚାରି ଓଡ଼ିଆ
ଦିଅ ହେ ଉତ୍ତର ତହିଁ।
ତୋ ପୂର୍ବ ପୁରୁଷ ସହି କେତେ କ୍ଳେଶ
ଗଢିଲେ ଉତ୍କଳ ଭୂଇଁ,
ତାହାରି ସନ୍ତାନ ହୋଇ ତୁହି ଧନ
ଭୁଲିଲୁ ଆଜ କିମ୍ପାଇଁ ।
ଉତ୍କଳ ଗୌରବ ମଧୁବାବୁ ସାଥେ
ପଣ୍ଡିତ ଉତ୍କଳ ମଣି,
କର୍ମ ବୀର ଗୌରୀ ଫକୀରମୋହନ
ଦେଲେ ନବ ରୂପ ଜାଣି।
ଭାଷା ପ୍ରେମ ମନେ ଜାଗିଥିଲା ବୋଲି
ଲଙ୍ଘିଲେ କାନନ, ଗିରି
ସେଇ ପ୍ରେମେ ପଡି ଏ ଓଡ଼ିଶା ଗଢି
ଜାତି ପ୍ରାଣ ଦେଲେ ଭରି।
ସେ ଓଡ଼ିଆ ସୁତ ହୋଇ ତୁହି ମିତ
ଭାଷା ପ୍ରେମେ ନୋହୁଁ ବାଇ
ତଥାପି କେମନ୍ତ ସରମେ କହୁଚୁ
ମୋଠୁଁ କେ' ଓଡ଼ିଆ ନାହିଁ ।
ମାତୃଭାଷା ପ୍ରେମ ତୋ ହୃଦେ ନଥାଇ
ଅଭିନୟ କରୁ କାହିଁ,
କେତେ ସଭାସ୍ଥଳେ କହୁ ବଳେ ବଳେ
ଓଡି଼ଆଠୁଁ ବଳି ନାହିଁ।
ଘର ଆଗେ ତୋର ଥିବା ସେ ଫଳକେ
ଅଛି କି ଓଡ଼ିଆ ଲେଖା,
ତୋ ସୀମାନ୍ତ ଗ୍ରାମ ପଡୋଶୀ କୋଳାଏ
ତହିଁ କି ଅଛି ତୋ ଦେଖା ।
'ସଢେଇକଳା'ଠୁଁ ଖରସୁଆଁ ଯାଏଁ
ହଜିଛି ଦିନେ ତୋ ପାଇଁ,
ତୋ ନୟନ ଆଗେ 'କୋଟିଆ' ବି ଯିବ
ଥିବୁ ଜଳ ଜଳ ଚାହିଁ।
ପହିଲି ରାଇଜ ଏ ଓଡ଼ିଶା ଆମ
ଭାଷା ଆଧାରେ ଯେ ଗଢ଼ା,
ଓଡ଼ିଆ ବଚନ କହିବାରେ ତତେ
ମାତ୍ର ଅନୁରୋଧ ଲୋଡ଼ା ।
କିସ ପରକାର ଭାଷା ପ୍ରେମ ଏତ
ହେଉ ନାହିଁ ତିଳେ କଳି,
ନଥିପତ୍ର ଅବା ସୂଚନା ଫଳକେ
ଲାଗିନି ଓଡ଼ିଆ କାଳି।
ଭାଷା ବ୍ୟବହାର ନହେଲେ କୁମର
ଲୀନ ହେବ ଏହା ଦିନେ,
ସେକାଳେ ଯେତେ ତୁ କଲେ ବି ପ୍ରୟାସ
ଲଭିବୁ କି ଫଳ ମନେ ।
ବେଳୁ ସାବଧାନ ହୋଇ ଯାଆ ଧନ
ଏବେ ବୁଡି ନାହିଁ ବେଳ,
ବଚନେ, ଲିଖନେ ଲଗା ତୁ ଓଡ଼ିଆ
ପାନ କରି ଭାଷା ଜଳ।
ସରକାରୀ ସ୍ତରେ ବ୍ୟକ୍ତିଗତ ଶୀରେ
ନିରତେ ଲୋଡ଼ା ପ୍ରୟାସ,
ଭାଷା ପ୍ରେମ ମନେ ଛାଏଁ ଜାଗିଲେ ହେଁ
ହୋଇବ ଭାଷା ବିକାଶ।
