ସଂକଟେ ଆସ୍ଥା ପ୍ରକଟ
ସଂକଟେ ଆସ୍ଥା ପ୍ରକଟ
ରହଲୋ କୋରନା ଜମା ତୁ ଡରାନା
ଅଛନ୍ତି ପରମେଶ୍ୱର
ପ୍ରଭୁ ଚଉବାହା ଜଗତକୁ ସାହା
ସଙ୍କଟ କରିବେ ଦୂର
ଚକା ଚକା ଆଖି ସବୁ ଦେଖୁଅଛି
ନୀଳାଚଳ ଧାମେ ବସି
ଶଙ୍ଖ ଚକ୍ର ଗଦା ହସ୍ତେ ତା'ର ଅଛି
ଅବିଳମ୍ବେ ଦେବ ନାଶି
ଅନେକ ଯାତନା ଭୟ ବିଭୀଷିକା
ଅତିଷ୍ଠ ହେଲାଣି ତୋର
ରାସ୍ତା ଘାଟ ଶୂନ୍ୟ ଗୃହରେ ରୋଦନ
ଚତୁର୍ଦ୍ଦିଗେ ହାହାକାର
ଦିନ ମଜୁରିଆ ଖାଦ୍ୟ ଅଭାବରେ
ଶୋଇଛି ଘର କୋଣରେ
ବେପାରୀ ବାପୁଡା ବିନା ବେପାରରେ
ରହେ ଭୋକ ଉପାସରେ
ଯିବା ଆସିବାର ପଥ ରୋଧ କଲୁ
ବିଦେଶୀ ବିଦେଶେ ରହି
କାମ ଧନ୍ଦା ଛାଡି ଭଡା ଘରେ ବସି
କାନ୍ଦୁଛି ମୁହଁ ଲୁଚେଇ
ଘରର ମାଲିକ ଜୁଲମ କରୁଛି
ଘର ଛାଡି ଦେଇ ଯାଆ
ଘରୁ ବାହାରିଲେ ପଦାକୁ ଆସିଲେ
କିଏ ଅଛି କା'ର ସାହା
ସ୍ୱାସ୍ଥ୍ୟ ସେବା ସଂସ୍ଥା ହେଉଛି ହୀନସ୍ତା
ତଥାପି ସେବାରେ ମଗ୍ନ
ପାଣି ଓ ବିଜୁଳି କର୍ମଚାରୀ ବୁଲି
କାର୍ଯ୍ୟରେ ରଖନ୍ତି ଧ୍ୟାନ
ସାଧାରଣ ଲୋକେ ଗୃହବନ୍ଦୀ ଏବେ
ଘରୁ ବାହାରିବା ମନା
ପୋଲିସ ସୈନିକ ଆମର ରକ୍ଷକ
ଘରକୁ ଆସିବା ମନା
ଅସାଧୁ ବେପାରୀ କରୁଛନ୍ତି ଚୋରି
ଦ୍ରବ୍ୟ ମୂଲ୍ୟ କରି ବୃଦ୍ଧି
ପ୍ରଶାସନ ହାତେ ଧରା ପଡିଗଲେ
ଖସନ୍ତି ଖଟାଇ ବୁଦ୍ଧି
ସାନିଟାଇଜର କଳାରେ ବେପାର
ପଇସା ନିଅନ୍ତି ଭିଡି
ମୁଖ ପଟି ପାଇଁ ପ୍ରତିଯୋଗିତାରେ
ବଜାରରେ ଭିଡାଭିଡ଼ି
ଦାଣ୍ଡର ଭିକାରୀ ଘରେ ଗାଈଗୋରୁ
ପାଳିତ ପଶୁଙ୍କ ସ୍ଥିତି
ଖାଦ୍ୟ ଅଭାବରେ ଭୋକ ଉପାସରେ
ନାହିଁ ଆଉ ତାଙ୍କ ଗତି
ଦେଶ ଦେଶ ବୁଲି ଯମ ଦୂତ ସାଜି
ଲୋକଙ୍କୁ କରୁ ହତାଶ
ନିରୀହ ଜନତା ଶିକାରରେ ତୋର
ଅକାଳରେ ସ୍ୱର୍ଗବାସ
ଦେଶେ ସରକାର ଭୟେ ଥରହର
ଉପାୟ ମିଳୁନି କିଛି
ସବୁ ଯୋଜନାକୁ ପଣ୍ଡ କରିଦେଇ
ସହଜରେ ଯାଉ ଖସି
ପ୍ରଭୁ ଲୀଳାମୟ ଟେକିଦେଲେ ବାହା
ରହିବନି ସତ୍ତା କେବେ
ତିନି ଭୁବନରେ ସ୍ଥାନ ମିଳିବନି
ଆସିଗଲା ବେଳ ଏବେ
ସବୁରି ତୁଣ୍ଡରେ ହରି ହରି ଡାକ
ହୃଦୟେ ଭକ୍ତିର ଭାବ
ଭାବଗ୍ରାହୀ ଆଉ ପାରିବେନି ସହି
ସରିଲାଣି ତୋର ଭୋଗ
ଦିବ୍ୟ ଦୃଷ୍ଟି ତାଙ୍କ ପଡିବ କୋରନା
ଶେଷ ହେବ ତୋର ବଂଶ
ଅବିଳମ୍ବେ ତୋର ଆତଙ୍କର ଚାଷ
ସମୂଳେ ହୋଇବ ନାଶ
