ସଂକ୍ରମଣ
ସଂକ୍ରମଣ
ସବୁ ଆଡେ ତାଲାବନ୍ଦ
ତା ବୋଲି କର୍ଫ୍ୟୁ ତ ଜାରି ହେଇନି
ଓଠ ଚାରିପଟେ !!
କେଇଟା ଶବ୍ଦ ପାଇଁ ଏତେ କୃପଣତା ?
କେଉଁ ଭୟ ଏବେ ତୁମ ଭିତରେ
ଏପଟେ ମୋବାଇଲର ମେସେଜ ଚେକ୍
ସେପଟରୁ ନ ଆନ୍ସର
କି ଲାଭ ପାଅ ତୁମେ ?
ମତେ ହଇରାଣ କରିବାରେ
ସଂକ୍ରମଣ ବ୍ୟାପିଯାଏ ଖୁବ ଶୀଘ୍ର ସମ୍ପର୍କରେ
ଏକଥା କିଏ କହିଥିଲା କହିଲ ?
କେବେ ବିଶ୍ୱାସରେ
କେବେ ସନ୍ଦେହରେ
ମୁଁ ତ ସନ୍ଦିହାନ
ଏବେ ବି ଉତ୍ତର ଅପେକ୍ଷା ରେ ।
ଏଇ ବନ୍ଦ ତାଲାର ଚାବି ହଜିଛି
କେଉଁ ନିର୍ଦ୍ଦିଷ୍ଟ ତାରିଖ ବିନ୍ଦୁରେ
ତୁମପଟୁ କର୍ଫ୍ୟୁ କେବେ ହଟିବ
ମୁଁ ଅଛି ସେଇ ଅପେକ୍ଷା ରେ
ଦେଖ ମୁଁ ବନ୍ଦ କରିଦେଇଛି
ଝରକା କବାଟ
ସଂକ୍ରମଣ କୁ କିଳିଦେଇ
ଯୋଜନ ଦୁରତ୍ୱରେ
ଏବେ ତ ଖୋଲ ତୁମ ବନ୍ଦ ତାଲା
ମୁକ୍ତ କର ତୁମ ଶବ୍ଦର କବାଟ
ସଂକ୍ରମଣ ଏବେ ନିରାପଦ ବ୍ୟବଧାନ ରେ
ଥରେ ଦେଖିନିଅ ମୋ ବ୍ୟାକୁଳତାର ଫର୍ଦ୍ଦ
ଅଘୋଷିତ କର୍ଫ୍ୟୁ ର ଦସ୍ତାବିଜରେ.
ଉଠାଇ ଦିଅନା
ସଂକ୍ରମଣ ଭୟର ଏ ଦୂରତ୍ୱ
ମୁଁ ଅଛି ତୁମ ଦରଜା ଖୋଲିବାର ପ୍ରତୀକ୍ଷା ରେ ।
