ସଂଘର୍ଷର ସ୍ଵର
ସଂଘର୍ଷର ସ୍ଵର
ହଁ ହଁ ମୁଁ ସେଇ ଧର୍ଷିତା ନାରୀ
ଅପବାଦର ବୋଝ ବୋହି
କଳଙ୍କର ଅଳଙ୍କାର ପିନ୍ଧି
ସ୍ୱପ୍ନହୀନ ହୃଦୟକୁ ଧରି
ଚାଲୁଥିଲି ଅନ୍ଧାରି ଦିନର
ଛାଇ ଆଲୁଅରେ
ପଥ ଭ୍ରଷ୍ଟ ପଥିକ ସାଜି।
ନା ଆଜି ଭୟ ଅଛି ଅନ୍ଧକାରକୁ
ନା ମଣିଷ ରୂପି ପିଶାଚକୁ
ଶକ୍ତି ସାମର୍ଥ୍ୟକୁ ଦ୍ୱିଗୁଣିତ କରି
ଅସହାୟତାକୁ ପଛକୁ ଫିଙ୍ଗି
ଅସୁମାରୀ ସ୍ୱପ୍ନ ଭରା ହୃଦୟଟେ ଗଢି
ପୁଷ୍ପ ବିଞ୍ଚା ପଥଟେ ତୋଳିଛି ।
ପୁରା କରିବି ମୁଁ
ଦେଖିଥିବା ମୋର ସେଇ ଅଧାଗଢା
ନିଆରା ଦୁନିଆକୁ।
ଆଙ୍କିବି ମୁଁ ପ୍ରତିଛବି ଭବିଷ୍ୟତର
ଲେଉଟାଇ ଇତିହାସର ପୃଷ୍ଠାକୁ।
ଦୁନିଆକୁ ଦେଖେଇ ବି ମୁଁ
ଆତ୍ମହତ୍ୟା ନୁହେଁ ଶେଷ ଅସ୍ତ୍ର
ବରଂ ଧ୍ୱଂସ କର ଅନ୍ୟାୟକୁ।
