ସ୍ନେହ,ପ୍ରେମ,ପ୍ରୀତି ଅମୂଲ୍ୟ ସମ୍ପତ୍ତି
ସ୍ନେହ,ପ୍ରେମ,ପ୍ରୀତି ଅମୂଲ୍ୟ ସମ୍ପତ୍ତି
ସ୍ନେହ, ପ୍ରେମ, ପ୍ରୀତି ଅମୂଲ୍ୟ ସମ୍ପତ୍ତି
ବାଣ୍ଟୁ ଥିଲେ ବଢୁ ଥାଏ
ମନ ହଜିଯାଏ ପରମ ତୃପ୍ତିରେ
ବ୍ୟକ୍ତିତ୍ଵ ବିକଶୁ ଥାଏ I
ସ୍ନେହ ସୁଧା ଧାରା ଅମୃତ ପସରା
ବଚନେ ମାଧୁରୀ ଭରେ
ତା ପରଶ ଦିଏ ଚନ୍ଦନ ପ୍ରଲେପ
ବ୍ୟଥା ହାରୀ ମନ୍ତ୍ର ଟିଏ ।
ସ୍ନେହର ଭାଷାତ ଶାନ୍ତି ପ୍ରଦାୟିନୀ
ପ୍ରେମ ଯେ ପବିତ୍ର ଗଙ୍ଗା
ଶାଶ୍ଵତ ପ୍ରେମର ପ୍ରତିଟି ଛନ୍ଦ ଯେ
ତ୍ୟାଗ ରାଗିଣୀରେ ବନ୍ଧା |
ପ୍ରୀତିର ନିର୍ଝର ଶାନ୍ତି ପ୍ରଦାୟିନୀ
ମନେ ଶୀତଳତା ଭରେ
ତା ଝର୍ଝର ନାଦ ସୌନ୍ଦର୍ଯ୍ୟ ମଣ୍ଡିତ
ମୋକ୍ଷ ଦ୍ଵାର ଖୋଲିଦିଏ ।
ମଣିଷ ଜୀବନେ ଧନ ଦଉଲତ
ଆଜି ଅଛି କାଲି ନାହିଁ
ସ୍ନେହ, ପ୍ରେମ, ପ୍ରୀତି ସମ୍ପତ୍ତି ହୋଇଲେ
ଦୁଃଖ ବାଟ ଭୁଲି ଥାଇ ।
ସ୍ନେହର ପରଶ ପ୍ରୀତିଝରା କଥା
ମନେ ଦେଇଥାଏ ଶାନ୍ତି
ଦାତା ଗ୍ରହୀତା ଙ୍କ ଅପୂର୍ବ ବନ୍ଧନ
ହୃଦୟେ ଉକୁଟେ କାନ୍ତି |
ସ୍ନେହ, ପ୍ରେମ ବଶେ ଧରଣୀ ହସଇ
ପ୍ରୀତିର ଝରଣା ବହେ
ଏ ଅମୂଲ୍ୟ ଧନ କରୁଥିଲେ ଦାନ
ପଶୁ କଥା ମାନି ରହେ ।
ସ୍ନେହ ବୋଳା କଥା ପ୍ରୀତିର ପରଶେ
ବାଟ ଭୁଲା ବାଟେ ଆସେ
ପ୍ରେମ ଗଭୀରତା ମାପି ପାରିଲେ ଯେ
ତ୍ୟାଗ ର ଓଁକାର ଭାସେ ।
ମଣିଷ ଜୀବନ ଶ୍ରେଷ୍ଠ ସୃଷ୍ଟି ପରା
ଜୀବନ ତା ଛନ୍ଦମୟ
ସ୍ନେହ, ପ୍ରେମ, ପ୍ରୀତି ମଧୁର ମିଳନେ
ଜୀବନ ତା ସୁଖମୟ |
ସ୍ନେହ, ପ୍ରେମ, ପ୍ରୀତି ଅମୂଲ୍ୟ ସମ୍ପତ୍ତି
ଯେଉଁ ଘରର ଆଧାର
ସେ ଘରଟି ଖାଲି ଘର ନୁହେଁ ପରା
ମାଟି ବୈକୁଣ୍ଠ ର ପୁର ।
ସ୍ନେହ, ପ୍ରେମ, ପ୍ରୀତି ମିଶ୍ରିତ ଡୋରିଟେ
ମୂଲ୍ୟ ତା ଅନ୍ତଃ ସଲୀଳା
ସେ ଡୋରି ବନ୍ଧନ ଅକାଟ୍ୟ ଅଛେଦ୍ୟ
ସମ୍ମାନ ତାର ମେଖଳା |
ସ୍ନେହ, ପ୍ରେମ, ପ୍ରୀତି ଶକ୍ତି ସଂଲଗ୍ନିକା
ଦୁର୍ବଳକୁ ଶକ୍ତି ଦିଏ
ଦୁର୍ଗମ ପଥକୁ ଅତିକ୍ରମ ପାଇଁ
ସାହସ ଲାଠି ହୁଏ ।
ପ୍ରେମର ପରଶ, ସ୍ନେହର ଆଶ୍ଳେଷେ
କଳିଟିଏ ଫୁଟି ଉଠେ
ପ୍ରୀତି ମନ୍ଦାକିନୀ ତାକୁ ଛୁଇଁ ଦେଲେ
ମରୁରେ ପଦୁଅ ଫୁଟେ |
ସ୍ନେହ, ପ୍ରେମ, ପ୍ରୀତି ଅମୂଲ୍ୟ ସମ୍ପତ୍ତି
ତା ସମ ସମ୍ପତ୍ତି ନାହିଁ
ବାଣ୍ଟି ଦେଉ ଥିଲେ ବଢୁଥାଏ ସିଏ
ସନ୍ତୋଷେ ଭରଇ ମହୀ ।
ଏ ଅମୂଲ୍ୟ ଧନ କରି ଉପାର୍ଜନ
ଚାଲ ବିତ୍ତଶାଳୀ ହେବା
ସେ ଧନ ଦାନରେ ସନ୍ତୋଷ ସାଉଁଟି
ଶାନ୍ତି ମହଲ ଗଢ଼ିବା ।
