ସନାତନ ଧର୍ମ
ସନାତନ ଧର୍ମ
ସନାତନ ଧର୍ମ ଅନନ୍ତ ଶାଶ୍ୱତ
ନାହିଁ ଯାର ଆଦ୍ୟ ଅନ୍ତ,
ଥିଲା ଅଛି ରହିଥିବ ଭାବିଷ୍ୟତେ
ଥିବାଯାଏଁ ସୂର୍ଯ୍ୟ ଚନ୍ଦ୍ର ।
ସର୍ବ ପୁରାତନ ଧର୍ମ ସନାତନ
ମାନବତାର ସେ ମୂଳ,
ବିଜ୍ଞାନକୁ ନେଇ ହୋଇଛି ଗଠିତ
ସଭିଙ୍କୁ ଯୋଗାଏ ବଳ ।
'ସ' ରେ ସତ୍ୟ, 'ନ' ରେ ନ୍ୟାୟ
'ଆ' ରେ ଅଟଇ ଆସ୍ଥା,
'ତ' ରେ ତପସ୍ୟା, ନ' ରେ ନିଷ୍ଠା
ଏହା ସନାତନ ବାର୍ତ୍ତା ।
ଆତ୍ମା ନୁହେଁ ମର, ଅଟଇ ଅମର
ପ୍ରତି ଘଟେ କରେ ବାସ,
ସେଥିପାଇଁ ପ୍ରତି ଜୀବଙ୍କୁ ସମ୍ମାନ
ଦେଇଥାଏ ଏ ଅବଶ୍ୟ ।
ପଞ୍ଚଭୂତ ଅଟେ ଆମର ଦେବତା
ମନେଥାଉ ଦିବା ନିଶି,
ଆତ୍ମା ରହିଥାଏ ଶରୀର ମରଇ
ପଞ୍ଚଭୂତେ ଯାଏ ମିଶି ।
ଅଗ୍ନିଙ୍କ ରୂପରେ ରହିଛନ୍ତି ସୂର୍ଯ୍ୟ
ମୂର୍ତ୍ତିକା ରୂପେ ଗଣେଶ,
ଜଳ ମଧ୍ୟେ ଶିବ, ବାୟୁ ମଧ୍ୟେ ଦୁର୍ଗା
ଆକାଶରେ ହୃଷୀକେଶ ।
ସନାତନ ଧର୍ମେ ଆତ୍ମାର ତତ୍ତ୍ୱ
ପରମାତ୍ମାଙ୍କର ସ୍ଥିତି,
ବିଶ୍ୱଶାନ୍ତି ବିଶ୍ୱକଲ୍ୟାଣ ପାଇଁ
କାର୍ଯ୍ୟ କରିଥାଏ ନିତି ।
ଅନୁଶାସନରେ ଜୀବନକୁ ବାନ୍ଧେ
ଶୃଙ୍ଖଳିତ ହୁଏ ମନ,
ଜୀବନରେ ଭରେ ଶାନ୍ତି ଓ ସମୃଦ୍ଧି
ନୀତିନିଷ୍ଠ ହୁଏ ଜନ ।
ସୁସ୍ଥ ନିରାମୟ ଜୀବନର କଳା
ପ୍ରାପ୍ତି ହୁଏ ଆଜୀବନ,
ପୁରୁଷାର୍ଥ ମୋକ୍ଷ ପ୍ରାପ୍ତିର କୌଶଳ
ଶିକ୍ଷା ଦିଏ, ସନାତନ ।
