ମୋ ଦେଶ ମହାନ
ମୋ ଦେଶ ମହାନ
କନ୍ୟାକୁମାରୀରୁ କାରାକୋରମ୍ ଯାଏ
ବିଶାଳ ମୋହର ରାଷ୍ଟ୍ର,
ଅରୁଣାଚଳରୁ ଆଜମେର୍ ଯାଏ
ପରିବ୍ୟାପ୍ତ ତାର ପୃଷ୍ଠ !
ସହିଛି ଅନେକ ଘାତ ପ୍ରତିଘାତ
କେବେ ସେ ପଡିନି ଥକି,
ପୂର୍ବରୁ ଅଧିକ ସୁଦୃଢ଼ ହୋଇଛି
ଶ୍ରେଷ୍ଠତା ରହିଛି ବାକି !
ପଞ୍ଚସ୍ତରୀତମ ମୁକ୍ତିର ବରଷ
ପାଳନ କରୁଛି ଦେଶ,
ଭାରତ ମାତାର ପ୍ରତି ଜନଙ୍କର
ମୁଖରୁ ଝରୁଛି ହସ !
ବରଷୁ ବରଷ ଅନେକ ବରଷ
ସମୟ ଗଲାଣି ବିତି,
ବିକାଶ ବଢୁଛି ,ଦେଶ ବଦଳୁଛି,
ସୁଦୃଢ଼ ହେଉଛି ଭିତ୍ତି !
ବିକାଶ ମାର୍ଗରେ ଦେଶ ଗତିଶୀଳ,
ବଢୁଛି ଭାରତ ମାନ,
ଦେଶରୁ ବିଦେଶ ସାରା ବିଶ୍ୱବାସୀ
କରୁଛନ୍ତି ଜୟଗାନ !
ଦେଶମାତୃକାର ସୁରକ୍ଷା ନିମନ୍ତେ
କର୍ମ କଲେ ନିରନ୍ତର,
ଅଖଣ୍ଡ ଭାରତ ସ୍ୱପ୍ନ ହେବ ସତ,
ବିସ୍ମିତ ହେବ ସଂସାର !
ରାଷ୍ଟ୍ରହିତ ପାଇଁ ଜୀଇଁବା ମରିବା,
ରାଷ୍ଟ୍ର ଅଟେ ସର୍ବୋପରି,
ଅନ୍ୟଥା ଏ ଜନ୍ମ ନିଷ୍ଫଳ ହୋଇବ,
ଦେଖୁଛନ୍ତି ନରହରି !
ରାଷ୍ଟ୍ରପ୍ରେମ ଶାନ୍ତି ମୈତ୍ରୀ ମନେ ବହି
ରାଷ୍ଟ୍ରଭକ୍ତି ଗୀତ ଗାଇ,
ଜାତୀୟ ଉତ୍ସବ କରିବା ପାଳନ
ସଭିଏଁ ଏକତ୍ର ହୋଇ !
