ମୁଁ ବାଘ କହୁଚି
ମୁଁ ବାଘ କହୁଚି
ପ୍ରକୃତି ଅଟଇ ଈଶ୍ୱରଙ୍କ ଦାନ
ଜୀବଜନ୍ତୁ ଛନ୍ତି ରହି
ସଭିଏଁ ରହିଲେ ସୁନ୍ଦର ଏ ଧରା
ପରିପୂର୍ଣ୍ଣ ଲାଗେ ମହୀ ।
ସୃଷ୍ଟିର ତୁମେ ଯେ ସର୍ବଶ୍ରେଷ୍ଠ ଜୀବ
ନାହିଁ କିଏ ତୁମ ସମ
ତେବେ କାହିଁପାଇଁ କର ଅବିଚାର
ଭୁଲି ସ୍ନେହଶ୍ରଦ୍ଧା ପ୍ରେମ ।
ଜଙ୍ଗଲ କାଟିଲ ବାସ ଧ୍ଵଂସ କଲ
ରହିବାକୁ ନାହିଁ ସ୍ଥାନ
ନିଜ ନିଜ ମଧ୍ୟେ ସଙ୍ଘର୍ଷ ଘଟଇ
ଯନ୍ତ୍ରଣାରେ ବିତେ ଦିନ ।
ବନ୍ଧୁକ ବିଷ ବା ଫାଶ ମାଧ୍ୟମରେ
ବାଘକୁ କର ଶିକାର
ଅର୍ଥଲୋଭେ ବୁଦ୍ଧି ବିବେକ ହରାଇ
କର୍ମ କର ନିରନ୍ତର ।
ଦିନୁ ଦିନ ଆମ ସଂଖ୍ୟା କମୁଅଛି
ବଢ଼ଇ ଅଜଣା ଭୟ
ଏପରି ଚାଲିଲେ ବେଶୀ ଦିନ ନୁହେଁ
ବ୍ୟାଘ୍ରବଂଶ ଲୋପ ଥୟ ।
ଜାଗ, ନେତ୍ର ଖୋଲି ଜାଗ ହେ ମାନବ
ଛାଡି ଏ ବିଳାସ ଭୋଗ
ମନ ମଧ୍ୟେ ତୁମେ ଦୟାଭାବ ବହି
ଦେଖାଅ ନୂତନ ଦିଗ ।
